ଆଇପିଏଲ୍ ୨୦୨୧ ବନ୍ଦ ହେବାରୁ ବିସିସିଆଇର ୨୨୦୦ କୋଟି କ୍ଷତି ! ଷ୍ଟାର ସ୍ପୋର୍ଟ୍ସ ଦେବନି ଏତିକି କୋଟି ଟଙ୍କା

Published By : Prameya-News7 Bureau | May 04, 2021 IST

ନୂଆଦିଲ୍ଲୀ ୦୪।୦୫: ଆଇପିଏଲ୍ ୨୦୨୧ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ହେବା ପରେ ବୋର୍ଡର ଆନୁମାନିକ କ୍ଷତି ସାମ୍ନାକୁ ଆସିଛି। ଗୋଟିଏ ସିଜିନ୍‌ରୁ ବୋର୍ଡକୁ ହାରାହାରି ୪ ହଜାର କୋଟିର ଆୟ ହୋଇଥାଏ। ମାତ୍ର ଚଳିତ ସିଜିନ୍‌ରେ ୬୦ ମୁକାବିଲା ମଧ୍ୟରୁ ୨୯ଟି ଖେଳାଯାଇଥିବା ବେଳେ ୩୧ ମ୍ୟାଚ୍ ବଳକା ରହିଛି। ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରହିବା କାରଣରୁ ବୋର୍ଡକୁ ଏଥିରେ ଆନୁମାନିକ ୨୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ଘଟିପାରେ।

ବିସିସିଆଇ ଅନୁଯାୟୀ, ଖେଳ ସ୍ଥଗିତ ହେବାରୁ ବୋର୍ଡକୁ ୨୦୦୦ରୁ ୨୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ହେବାର ସମ୍ଭାବନା ରହିଛି। ଯଦି ସଠିକ୍ ଭାବେ ଅନୁମାନ କରାଯାଏ ତେବେ ବିସିସିଆଇର ପାଖାପାଖି ୨୨୦୦ କୋଟି ଟଙ୍କା କ୍ଷତି ଘଟିପାରେ। ୫୨ ଦିନ ପର୍ଯ୍ୟନ୍ତ ହେବାକୁ ଏହି ଟୁର୍ଣ୍ଣାମେଣ୍ଟ ମେ ୩୦ ପର୍ଯ୍ୟନ୍ତ ଖେଳାଯିବାର ଥିଲା। ୩୧ ମୁକାବିଲା ବାକି ଥିଲା। ଏଥିରେ ସବୁଠୁ ବଡ କ୍ଷତି ପ୍ରସାରଣକାରୀ ସଂସ୍ଥାର ରାଜସ୍ଵରେ ହେବ। ଗତ ସିଜିନ୍‌ରେ ବିନା ଦର୍ଶକରେ ମ୍ୟାଚ୍‌ ଆୟୋଜନ କରାଯାଇଥିଲା। ଟିକେଟ୍‌ରୁ ମିଳିବାକୁ ଥିବା ରାଜସ୍ଵର କ୍ଷତି ବୋର୍ଡ ଓ ଫ୍ରାଞ୍ଚାଇଜିକୁ ମଧ୍ୟ ଉଠାଇବାକୁ ପଡୁଛି।

ପ୍ରତି ମ୍ୟାଚ୍‌ରୁ ମିଳେ ୫୪.୪ କୋଟି ଟଙ୍କା

ସ୍ପୋର୍ଟ୍ସ ଷ୍ଟାର ପାଞ୍ଚ ବର୍ଷ ପାଇଁ ବିସିସିଆଇ ସହ ୧୬, ୩୪୭ କୋଟି ଟଙ୍କା ଚୁକ୍ତି କରିଥିଲା। ଅର୍ଥାତ ଗୋଟିଏ ମ୍ୟାଚ୍ର ଭେଲ୍ୟୁ ପାଖାପାଖି ୫୪ କୋଟି ୪୦ ଲକ୍ଷ ଟଙ୍କା। କେବଳ ଷ୍ଟାରଠୁ ବୋର୍ଡକୁ ଖେଳାଯାଇଥିବା ୨୯ ମ୍ୟାଚ୍‌ରୁ ୧୫୮୦ କୋଟି ଟଙ୍କା ମିଳିବ। ମାତ୍ର ବାକି ୩୧ ମ୍ୟାଚ୍ ନେହେଲେ ବୋର୍ଡକୁ ୧୬୯୦ କୋଟି ଟଙ୍କା କ୍ଷତି ସହିବାକୁ ପଡିବ। ଏହି ପରି ଟାଇଟଲ୍ ପ୍ରାୟୋଜକରୁ ୪୪୦ କୋଟି ଟଙ୍କା ମିଳିବାର ଥିଲା।  ଅଧା ଟୂର୍ଣ୍ଣାମେଣ୍ଟ ହୋଇଥିବାରୁ ବୋର୍ଡକୁ କେବଳ ଅଧା ରାଶି ୨୨୦ କୋଟି ଟଙ୍କା ମିଳିବ। ଏହି ପରି ଅନ୍ୟ ପ୍ରାୟୋଜକଙ୍କଠୁ ମିଳିବାକୁ ଥିବା ଟଙ୍କା ଅନୁରୂପ  ହ୍ରାସ ଘଟିବ।

ଫ୍ରାଞ୍ଚାଇଜିଙ୍କ ମଧ୍ୟ ବଡ କ୍ଷତି

ବୋର୍ଡ ଅଧିକାରୀଙ୍କ ଅନୁଯାୟୀ, ଅତି କମ୍‌ରେ ୨୨୦୦ କୋଟି ଟଙ୍କା କ୍ଷତି ହେବ। ବାସ୍ତବରେ ଏଥିରୁ ଅଧିକ କ୍ଷତି ଘଟିବ। କିନ୍ତୁ ଅଧିକାରୀ ଏହା ଜଣାଇ ନାହାନ୍ତି ଯେ, ଏଥିରେ ଫ୍ରାଞ୍ଚାଇଜିଙ୍କ କେତେ କ୍ଷତି ଘଟିବ। ବୋର୍ଡ ନିଜ ଆୟର ଅଂଶ ଫ୍ରାଞ୍ଚାଇଜିକୁ ମଧ୍ୟ ଦେଇଥାଏ। ଆୟ କମ୍ ହେଲେ ଫ୍ରାଞ୍ଚାଇଜିକୁ ମଧ୍ୟ କମ୍ ଅଂଶ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.