ଧୋନୀଙ୍କୁ ଭାରତୀୟ କ୍ରିକେଟ ଟିମର ମେଣ୍ଟର କରାଯିବା ନେଇ ବିବାଦ ; ଦୁଇ ଦୁଇଟି ପଦରେ ଥିବାରୁ BCCIକୁ ଚିଠି

Published By : Prameya-News7 Bureau | September 09, 2021 IST

ନୂଆଦିଲ୍ଲୀ ୦୯/୦୯ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ଶୀର୍ଷ ନେତୃତ୍ବ ବୁଧବାର ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଟ୍ବେଣ୍ଟି ଟେଣ୍ବି ବିଶ୍ବକପ ପାଇଁ ଦଳର ମେଣ୍ଟର ଭାବେ ନିଯୁକ୍ତି ଦେଇଛନ୍ତି । ଧୋନୀଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିବା ପରେ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଥିବା ବେଳେ ଏହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି ।

ଧୋନୀଙ୍କ ନିଯୁକ୍ତିକୁ ନେଇ ମଧ୍ୟ ପ୍ରଦେଶ କ୍ରିକେଟ ସଂଘର ପୂର୍ବତନ ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଏ ନେଇ ବିସିସିଆଇକୁ ଏକ ଚିଠି ଲେଖି କହିଛନ୍ତି, ‘ଧୋନୀଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦେବା କନଫ୍ଲିକ୍ଟ ଅଫ୍‌ ଇନ​‌ଟ୍ରେଷ୍ଟ୍ ରୁଲ୍‌ ବା ଆଗ୍ରହ ନିୟମର ଉଲ୍ଲଂଘନ । ଯେଉଁଥିରେ ଜଣେ ବ୍ୟକ୍ତି ଦୁଇଟି ପଦବୀରେ ରହିପାରିବେ ନାହିଁ । ଯାହାକି ଲୋଧା କମିଟି ନିୟମକୁ ଉଲ୍ଲଂଘନ କରୁଛି।’

ମହେନ୍ଦ୍ର ସିଂହ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଫ୍ରାଞ୍ଚାଇଜ ଟିମ ଚେନ୍ନାଇ ସୁପର କିଙ୍ଗସ୍‌ର ଅଧିନାୟକ ବି ଅଛନ୍ତି । ତେଣୁ ମେଣ୍ଟର ଦାୟିତ୍ବ ମିଳିବା ପରେ ଏହା ବିରୁଦ୍ଧରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହାଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ବିସିସିଆଇ ସମ୍ବିଧାନର ଧାରା ୩୮(୪) ଆଧାରରେ ଏହା କହିଛନ୍ତି । ଯେଉଁଥିରେ ଜଣେ ବ୍ୟକ୍ତି ଏକାଧିକ ପଦବୀରେ ରହିପାରିବେ ନାହିଁ । ଗୋଟିଏ ପଟେ ଖେଳାଳି ଅନ୍ୟପଟେ ଜାତୀୟ ଟିମର ମେଣ୍ଟର ହୋଇଥିବାରୁ ବିବାଦ ଦେଖାଦେଇଛି ।

ସୂଚନାଯୋଗ୍ୟ, ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି । ଯେଉଁଥିରେ ଭେଟେରାନ୍‌ ମହେନ୍ଦ୍ର ସିଂହ ଧୋନୀଙ୍କୁ ଭାରତୀୟ ଦଳୀ ମେଣ୍ଟର ଭାବେ ନିଯୁକ୍ତି ମିଳିଛି । ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ସଫଳତମ ଅଧିନାୟକ ଭାବେ ପରିଚିତ ଧୋନୀ ନିଜର ଡିସିସନ୍‌କୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି । ତେଣୁ ଭାରତୀୟ କ୍ରିକେଟରେ ତାଙ୍କୁ ଜଣେ ଅନନ୍ୟ କ୍ରିକେଟର ଭା​‌ବେ ଗଣାଯାଏ । ଧୋନୀଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ଟିମ ୨୦୦୭ ମସିହାରେ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଜିତିଥିବା ବେଳେ ୨୦୧୧ରେ ଦିନିକିଆ ବିଶ୍ବକପ ଜିତିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.