ମୁମ୍ଵାଇରେ ଲକ୍‌ଡାଉନ୍‌ ଲାଗିଲେ କ'ଣ କରାଯିବ ? ଆଇପିଏଲ୍‌କୁ ନେଇ ଆସିଲା ଗାଙ୍ଗୁଲିଙ୍କ ବଡ ବୟାନ

Published By : Prameya-News7 Bureau | April 04, 2021 IST

ନୂଆଦିଲ୍ଲୀ ୦୪।୦୪: ଆଇପିଏଲ ୨୦୨୧ର ୧୪ତମ ସଂସ୍କରଣ ପାଇଁ ଓଲଟା ଗଣତି ଆରମ୍ଭ ହୋଇ ଯାଇଛି। ହେଲେ କରୋନାରେ ବଢୁଥିବା ସଂକ୍ରମିତ କାରଣରୁ ଭେନ୍ୟୁ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହାକୁ ନେଇ ସ୍ଥିତି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଯଦି ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ଲାଗେ ତେବେ ମଧ୍ୟ ଏଠାରେ ମ୍ୟାଚ୍ ଆୟୋଜନ ହେବ। ବିଶ୍ଵର ସବୁଠୁ ବଡ କ୍ରିକେଟ୍‌ ଲିଗ୍ ଆଇପିଏଲ୍‌ର ଉଦଘାଟନୀ ମ୍ୟାଚ୍ ଏପ୍ରିଲ ୯ରେ ଖେଳାଯିବ। ଏପ୍ରିଲ ୧୦ରେ ମୁମ୍ବାଇର ଓ୍ଵାଙ୍ଖେଡା ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ।

ଟେଲିଗ୍ରାଫ ସହ ଆଲୋଚନା  ବେଳେ ଗାଙ୍ଗୁଲି କହିଛନ୍ତି, ଲକ୍‌ଡାଉନ୍‌ ଲାଗୁ ହେଲେ ଭଲ କଥା, କାରଣ ଷ୍ଟାଡିୟମ ଆଖପାଖରୁ ଭିଡ କମିଯିବ। କିଛି ଲୋକଙ୍କ ଉପରେ ହିଁ ଧ୍ୟାନ ଦେବାକୁ ପଡିବ, ଯେଉଁମାନେ ଜୈବ ନିରାପତ୍ତା ବଳୟ ମଧ୍ୟରେ ଅଛନ୍ତି। ଏମାନଙ୍କର କ୍ରମାଗତ ଟେଷ୍ଟିଂ ମଧ୍ୟ କରାଯାଉଛି। ଗତ ବର୍ଷ ୟୁଏଇରେ ମଧ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏମିତି କିଛି ଘଟଣା ଘଟିଥିଲା। ଥରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଗଲେ ସବୁ କିଛି ଠିକ୍ ହୋଇଯିବ ବୋଲି ଗାଙ୍ଗୁଲି କହିଛନ୍ତି।

ପୂର୍ବତନ ଭାରତୀୟ ଅଧିନାୟକ କହିଛନ୍ତି, ଲକ୍‌ଡାଉନ୍‌ରେ ଆମକୁ କୌଣସି ସମସ୍ୟା ନାହିଁ। ସରକାରଙ୍କ ପକ୍ଷରୁ ମ୍ୟାଚ୍‌ ଆୟୋଜନ ପାଇଁ ଆମକୁ ସବୁ ପ୍ରକାରର ଅନୁମତି ମିଳିଛି। ମୁମ୍ବାଇରେ ଏପ୍ରିଲ ୧୦ରୁ ଏପ୍ରିଲ ୨୫ ମଧ୍ୟରେ ୧୦ଟି ମୁକାବିଲା ଖେଳାଯିବ। ବାୟୋ ବବଲରେ କୌଣସି ପ୍ରକାରର ସମସ୍ୟା ନାହିଁ। ଆମର ସୁରକ୍ଷିତ ସେଟ୍‌ଅପ ରହିଛି। ଚାରୋଟି ଦଳ ନିଜର ପ୍ରାରମ୍ଭିକ ମୁକାବିଲା ମୁମ୍ବାଇରେ ଖେଳିବେ। ଏଥିରେ ଚେନ୍ନାଇ ସୁପରକିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.