ସାଉଥମ୍ପଟନରେ ଖେଳାଯିବ ଓ୍ଵାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମୁକାବିଲା: ଗାଙ୍ଗୁଲି

Published By : Prameya-News7 Bureau | March 08, 2021 IST

ନୂଆଦିଲ୍ଲୀ ୦୮।୦୩: ଆଇସିସି ଓ୍ଵାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମୁକାବିଲା ସାଉଥମ୍ପଟନର ଏଜେସ ବାଉଲ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୋମବାର ଏହାର ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଫାଇନାଲର ଆୟୋଜନ ଐତିହାସିକ ଲର୍ଡ୍ସରେ ଆୟୋଜନ ହେବାର ଥିଲା।

ଇଂଲଣ୍ଡ ବିପକ୍ଷ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୩-୧ରେ ଜିତିବା ପରେ ଭାରତୀୟ ଦଳ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲରେ ନିଜର ସ୍ଥାନ ସୁନିଶ୍ଚିତ କରିଛି। ଫାଇନାଲ ମୁକାବିଲା ଜୁନ ୧୮ରୁ ୨୨ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବ। ଲର୍ଡ୍ସରେ ଏହି ମ୍ୟାଚ୍‌ ଖେଳାଯିବାର ଥିଲା।

ହେଲେ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଲର୍ଡ୍ସରୁ ଫାଇନାଲ ମୁକାବିଲା ସ୍ଥାନାନ୍ତ କରାଯାଇଛି। ଏହା ପରେ ସାଉଥମ୍ପଟନ କିମ୍ବା ବର୍ମିଂହାମକୁ ମ୍ୟାଚ୍‌ ଆୟୋଜନ ପାଇଁ ବିକଳ୍ପ ଭାବେ ରଖାଯାଇଥିଲା। ତେବେ ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ ଗାଙ୍ଗୁଲି କହିଛନ୍ତି ଯେ, ଫାଇନାଲ ମୁକାବିଲା ସାଉଥମ୍ପଟନରେ ଖେଳାଯିବ। କୋଭିଡ୍ କାରଣରୁ ଏବଂ ଷ୍ଟାଡିୟମଠୁ ହୋଟେଲ୍ ନିକଟରେ ଥିବାରୁ ସାଉଥମ୍ପଟନରେ କରୋନା ସମୟରେ ଅନେକ ମ୍ୟାଚ୍ ଖେଳାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସାଉଥମ୍ପଟନରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମୁକାବିଲା ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.