ମେ ପ୍ରଥମ ସପ୍ତାହରେ ଖେଳ ଆରମ୍ଭ ନହେଲେ ଚଳିତ ବର୍ଷ ବାତିଲ ହେବ IPL 2020
23/03/2020 at 9:57 PM

ନୂଆଦିଲ୍ଲୀ ୨୩। ୦୩: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ଏବଂ ଏହାର ପ୍ରକୋପକୁ ଦୃଷ୍ଟିରେ ରଖି ଆଇପିଏଲ ୨୦୨୦ର ଆୟୋଜନା ହେବା ମୁସ୍କିଲ ଲାଗୁଛି। ମାତ୍ର ଏହାକୁ ନେଇ ଅନେକ ପ୍ରକାରର ଖବର ଆସୁଛି। ଦେଶରେ ଦ୍ରୁତ ଗତିରେ ବ୍ୟାପୁଥିବା ଏହି ମହାମାରୀ ଆଇପିଏଲର ୧୩ତମ ସଂସ୍କରଣ ଉପରେ ଗ୍ରହଣ ଲଗାଇ ଦେଇଛି।
ଏହି ବିପଦଜ୍ଜନକ ଭାଇରସ କାରଣରୁ ପ୍ରଥମେ ଆଇପିଏଲକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହାର ଆରମ୍ଭ ମାର୍ଚ୍ଚ ୨୯ରେ ଆରମ୍ଭ ହେବାର ଥିଲା। ଏହା ମଧ୍ୟରେ ଖବର ଆସିଥିଲା ଯେ, ଯଦି ଏପ୍ରିଲ ୧୦ ପର୍ଯ୍ୟନ୍ତ ଆଇପିଏଲ କେବେ ହେବ ସ୍ପଷ୍ଟ ନୁହଏ ତେବେ ଆଗାମୀ ବର୍ଷ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇପାରେ।

ମାତ୍ର ଏହା ମଧ୍ୟରେ ପ୍ରଶଂସକଙ୍କ ପାଇଁ ଆସିଛି ଭଲ ଖବର। ଯଦି ଏପ୍ରିଲର ଶେଷ ଆଡକୁ ଏହି ଭାଇରସର ସ୍ଥିତି ନିୟନ୍ତ୍ରଣରେ ରହେ ତେବେ ମେର ପ୍ରଥମ ସପ୍ତାହରେ ଆଇପିଏଲ ୨୦୨୦ ଆରମ୍ଭ ହୋଇପାରେ। ମିଡିଆରେ ଚାଲୁଥିବା ଖବର ଅନୁଯାୟୀ ବିସିସିଆଇ ଅଧିକାରୀ କହିଛନ୍ତି ବର୍ତ୍ତମାନ ସମୟରେ ଆଇପିଏଲ ବିଷୟରେ ଚିନ୍ତା କରିବା ବହୁତ ମୁସ୍କିଲ। ବୋର୍ଡ ଏବେ ମଧ୍ୟ ପୂର୍ବ ସଂସ୍କରଣ ପରି ଖେଳ ଆୟୋଜନ କରିବାକୁ ଚାହୁଁଛି ତାହା ତେବେ ସମ୍ଭବ ଯଦି ପ୍ରଥମ ମ୍ୟାଚ୍ ମେ ପ୍ରଥମ ସପ୍ତାହରେ ଆରମ୍ଭ ହୁଏ।

ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଆମକୁ ଏପ୍ରିଲ ଶେଷ ସୁଦ୍ଧା ଅପେକ୍ଷା କରିବାକୁ ପଡିବ। ମାତ୍ର ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚ୍ ମେ ପ୍ରଥମ ସପ୍ତାହରେ ଯଦି ଆୟୋଜନ ନହୁଏ ତେବେ ଏହାର ଆୟୋଜନ କରିବା ସମ୍ଭବ ନୁହଁ।
ଏହି ସମୟରେ ଅଧିକାରୀ ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ଆଇପିଏଲ ଆୟୋଜନକୁ ମନେ ପକାଇଛନ୍ତି। ସେ କହିଛନ୍ତି ଯେ, ଏହା ସବୁଠୁ ଛୋଟ ଆଇପିଏଲ ଥିଲା। ୨୦୦୯ ଆଇପିଏଲରେ ୩୭ ଦିନରେ ୫୯ ମ୍ୟାଚ୍ ଖେଳା ଯାଇଥିଲା। ଯଦି ସବୁ କିଛି ସମୟ ମୁତାବକ ଠିକ୍ ରହେ ତେବେ ଏଥର ଆଇପିଏଲ ଆୟୋଜନ ବାହାର ଦେଶରେ କରାଯାଇପାରେ।