ନୂଆଦିଲ୍ଲୀ ୨୦/୧୨: ମହିଳା କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ଅଞ୍ଜୁମ ଚୋପ୍ରା ମହିଳା କ୍ରିକେଟକୁ ନେଇ ବିସିସିଆଇ ଉପରେ ପ୍ରଶ୍ନ ଉଠାଇଛନ୍ତି। ମହିଳା କ୍ରିକେଟ ପାଇଁ ବିସିସିଆଇ ପ୍ରୟାସ କରିବା ସହ ସେମାନଙ୍କୁ କମ ମଉକା ଦେବା ଭଲ ସଂକେତ ନୁହେଁ ବୋଲି ଅଞ୍ଜୁମ କହିଛନ୍ତି। ବାଂଲାଦେଶରେ ଫ୍ରାଞ୍ଚାଇଜ୍ ଆଧାରିତ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ କମେଣ୍ଟ୍ରି କରି ଫେରିବା ପରେ ପିଟିଆଇକୁ ଅଞ୍ଜୁମ କହିଛନ୍ତି ମହିଳା କ୍ରିକେଟକୁ ନେଇ ବିସିସିଆଇର ସ୍ପଷ୍ଟତାର ଅଭାବ ରହିଛି।
ପୁରୁଷ ଟିମ୍ର କ୍ରିକେଟ ଗସ୍ତ ଆରମ୍ଭ ହୋଇଯାଇଛି। ଜାନୁଆରୀ ୨୦୨୧ରେ ସେମାନଙ୍କ ଘରୋଇ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାଫା ଅଲି ଟି-୨୦ ଟୁର୍ଣ୍ଣାମେଣ୍ଟ ସହ ଆରମ୍ଭ ହେବାକୁ ଥିବା ବେଳେ ମହିଳା କ୍ରିକେଟକୁ ନେଇ ବୋର୍ଡର ଭବିଷ୍ୟତ ଯୋଜନା ସମ୍ପର୍କରେ କିଛି ଜଣାପଡ଼ିନାହିଁ ବୋଲି ଅଞ୍ଜୁମ କହିଛନ୍ତି।
ବିସିସିଆଇ ମହିଳା କ୍ରିକେଟ ଟିମ୍କୁ ନେଇ କିଛି ଚିନ୍ତା କରୁଥାଇପାରେ କିନ୍ତୁ ଲୋକଙ୍କ ପାଖରେ ଏନେଇ କିଛି ଖବର ନାହିଁ। ମିଡିଆ ପାଖରୁ ହିଁ ଆମକୁ ଜଣାପଡ଼ିବ କିନ୍ତୁ ଏବେ ଯାଏଁ ସେମିତି କିଛି ଚର୍ଚ୍ଚା ନାହିଁ। ମହିଳା ଟିମ୍ ପାଇଁ କଣ ଯୋଜନା ହୋଇଛି ତାହା ଜଣାନାହିଁ ବୋଲି ସେ କହିଛନ୍ତି।
ଭାରତୀୟ ମହିଳା ଟିମ୍ ଅଷ୍ଟେ୍ରଲିଆ ବିପକ୍ଷରେ ଚଳିତବର୍ଷ ୮ ମାର୍ଚ୍ଚରେ ଟି-୨୦ ଫାଇାନଲ୍ ଖେଳିବା ପରଠୁ କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିନାହିଁ। କିନ୍ତୁ ଆଇପିଏଲ୍ ସମୟରେ ମହିଳା ଚ୍ୟାଲେଞ୍ଜର ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳିବାର ସୁଯୋଗ ପାଇଥିଲା ମହିଳା ଟିମ୍। ଏହି ଟୁର୍ଣ୍ଣାମେଣ୍ଟରେ ୩ଟି ଟିମ୍ ମଧ୍ୟରେ କେବଳ ୪ଟି ମ୍ୟାଚ୍ ହୋଇଥିଲା। ପୁରୁଷ ସମେତ ମହିଳା ଟିମର ଦାୟୀତ୍ବ ବିସିସିଆଇର ବୋଲି ଅଞ୍ଜୁମ ଚୋପ୍ରା କହିଛନ୍ତି।
ଅନ୍ୟପଟେ ବିସିସିଆଇ ମହିଳା କି ପୁରୁଷ ନୁହେଁ ବରଂ କ୍ରିକେଟ ବୋର୍ଡ। କୋଭିଡ-୧୯ କାରଣରୁ ମହିଳା ଟିମ୍ର ଇଂଲଣ୍ଡ ଗସ୍ତ ରଦ୍ଦ ହୋଇଥିଲା। ଏହା ପରେ ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଆଲୋଚନା ଚାଲିଥିଲା। କିନ୍ତୁ ଟି-୨୦ ବିଶ୍ବକପ୍ ସ୍ଥଗିତ ହେବା ପରେ ସେହି ଚର୍ଚ୍ଚା ବି ବନ୍ଦ ହୋଇଗଲା। ଦୁବାଇରେ ମହିଳା ଚ୍ୟାଲେଞ୍ଜର ଟୁର୍ଣ୍ଣାମେଣ୍ଟ ପରେ ଶ୍ରୀଲଙ୍କା ଗସ୍ତ ସ୍ଥଗିତ ହୋଇଗଲା। ଏଥିରେ କୌଣସି ସ୍ପଷ୍ଟତା ନାହିଁ। ଜଣେ ଖେଳାଳି ନିର୍ଦ୍ଧିଷ୍ଟ ବୟସ ପର୍ଯ୍ୟନ୍ତ ଖେଳିଥାଏ। ଏଭଳି ସ୍ଥିତିରେ ତାଙ୍କର ଲକ୍ଷ ସ୍ଥିର ରହିବା ଦରକାର ବୋଲି ଅଞ୍ଜୁମ ଚୋପ୍ରା କହିଛନ୍ତି।