ବୟସ ଲୁଚାଉଥିବା ଖେଳାଳି ସାବଧାନ, ମିଛ କହିଲେ ୨ ବର୍ଷ ବ୍ୟାନ୍

Published By : Prameya-News7 Bureau | August 03, 2020 IST

ନୂଆଦିଲ୍ଲୀ, ୦୩|୦୮: କ୍ରିକେଟରେ ଅନେକ ଖେଳାଳି ନିଜ ବୟସର ଜାଲିଆତି କରିଥିବା ଅଭିଯୋଗ ଆସିଥାଏ । ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ନୂଆ ନୀତି ଆଣିଛି ବିସିସିଆଇ । ଯଦି କେହି ବୟସରେ ଜାଲିଆତି କରିଥିବା ପ୍ରମାଣିତ ହୁଏ ତେବେ ସେହି ଖେଳାଳିଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରାଯିବ ।

ନୂଆ ନିୟମ ବିସିସିଆଇର ସମସ୍ତ ବୟସର ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଖେଳାଳିଙ୍କ ଉପରେ ଲାଗୁ ହେବ । ଯଦି ଖେଳାଳି ଭୁଲ ବୟସ କହିଥାନ୍ତି ଓ ପରେ ଦୋଷ ସ୍ୱୀକାର କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ବୟସ ଜାଲିଆତି ଲୁଚାଇଥିବା ଖେଳାଳିଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରାଯିବ ।

ସେହିପରି ଖେଳାଳିମାନେ ସଠିକ ବୟସ ତଥ୍ୟ ଦେଲେ ସେମାନଙ୍କୁ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଦିଆଯିବ । ଖେଳାଳିମାନେ ନିଜେ ଦସ୍ତଖତ କରି ବୟସ ପ୍ରମାଣ ପତ୍ର ସେପ୍ଟେମ୍ବର ୧୫ ସୁଦ୍ଧା ସମ୍ବନ୍ଧୀୟ ବିଭାଗକୁ ପ୍ରଦାନ କରିବେ । ଯଦି କେଉଁ ଖେଳାଳିଙ୍କ ଉପରେ ବାସନ୍ଦାଦେଶ ଲାଗୁ ହୁଏ ତେବେ ୨ ବର୍ଷ ପରେ ମଧ୍ୟ ସେ ବିସିସିଆଇର କୌଣସି ଟୁର୍ଣ୍ଣାମେଣ୍ଟ ଖେଳିପାରିବେ ନାହିଁ ।

ଏତତ୍ ବ୍ୟତୀତ ବାସସ୍ଥାନ ସମ୍ବନ୍ଧୀୟ ଭୁଲ ତଥ୍ୟ ଦେଲେ ମଧ୍ୟ ୨ ବର୍ଷର ବାସନ୍ଦାଦେଶ ଲାଗିବ । ସିନିୟର ମହିଳା ଓ ପୁରୁଷ ଖେଳାଳିଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗିବ । ବିସିସିଆଇର ଅଣ୍ଡର ୧୬ ଟୁର୍ଣ୍ଣାମେଣ୍ଟରେ ୧୪ରୁ ୧୬ ବର୍ଷର ଖେଳାଳି ଭାଗ ନେଇପାରିବେ ।

ଏହାକୁ ନେଇ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଖେଳାଳିମାନେ ନିୟମ ମାନିବା ବାଧ୍ୟତାମୂଳକ । ନଚେତ୍ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.