କ୍ଵାରେଣ୍ଟାଇନରେ ଦିଲ୍ଲୀ କ୍ୟାପିଟାଲ୍ସ: କେକେଆରର ଦୁଇ ଖେଳାଳି କରୋନା ସଂକ୍ରମିତ ହେବାପରେ ବିସିସିଆଇର ନିର୍ଦ୍ଦେଶ

Published By : Prameya-News7 Bureau | May 04, 2021 IST

ନୂଆଦିଲ୍ଲୀ ୦୪/୦୫ : ଆଇପିଏଲ ୨୦୨୧ ସିଜନ ୧୪କୁ ମଧ୍ୟ କରୋନା ଭାଇରସ କବଳିତ କରିଛି। କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ କରୋନାରେ ସଂକ୍ରମିତ ହୋଇଛନ୍ତି। ସୋମବାର ଦିନ କୋଲକାତା ନାଇଟ ରାଇଡ଼ର୍ସ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ସହ ହେବାକୁ ଥିବା ମ୍ୟାଚ ସ୍ଥଗିତ କରାଯାଇଛି। ତେବେ ଟିମର ଅନ୍ୟ ସଦସ୍ୟଙ୍କ କରୋନା ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି। ତଥାପି ଅନ୍ୟ ଖେଳାଳିଙ୍କୁ ଆଇସୋଲେସନରେ ରହିବାକୁ କୁହାଯାଇଛି। କେକେଆର ଖେଳାଳି କରୋନା ସଂକ୍ରମଣର ଶିକାର ହୋଇଥିବା ଖବର ଆସିବାର କିଛି ସମୟ ପରେ ଚେନ୍ନାଇ ସୁପର କିଙ୍ଗ୍ସର ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀ ଓ ଜଣେ ବସ ସଫେଇ କର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା।    

ବର୍ତ୍ତମାନ ଆଇପିଏଲକୁ ନେଇ ଆଉ ଏକ ଖବର ଆସିଛି। ବିସିସିଆଇ ଦିଲ୍ଲୀ କ୍ୟାପିଟାଲ୍ସ  ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ନୋଟିସ ଯାଏଁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୨୯ ତାରିଖରେ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କେକେଆର ଦିଲ୍ଲୀ କ୍ୟାପିଟାଲ୍ସ ସହ ମ୍ୟାଚ ଖେଳିଥିଲା। କେକେଆରର ଦୁଇ ଖେଳାଳି ସଂକ୍ରମିତ ହେବାପରେ ବିସିସିଆଇ ଆଉ କୌଣସି ବିପଦ ମୁଣ୍ଡାଇବାକୁ ଚାହୁଁନାହାନ୍ତି। ସେଥିପାଇଁ ଏହିଭଳି ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ଅଧିକାରୀ କହିଛନ୍ତି ଯେ, ପୁରା ଟିମ ଓ ସପୋର୍ଟ ଷ୍ଟାଫ ଆଇସୋଲେସନରେ ଅଛନ୍ତି। କ୍ଵାରେଣ୍ଟାଇନ କେତେ ସମୟ ତାହା ଜଣାପଡିନାହିଁ। ତେବେ ମେ' ୪ ତାରିଖରେ ମୋଟେରା ଷ୍ଟାଡିୟମରେ ଦିଲ୍ଲୀ ଟିମର ନିର୍ଦ୍ଧାରିତ ଅଭ୍ୟାସ ହେବନାହିଁ ତାହା ବି ଠିକ୍ ନାହିଁ। ଏ ସମ୍ବନ୍ଧରେ କିଛି ସୂଚନା ଦିଆଯାଇନାହିଁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.