ନୂଆଦିଲ୍ଲୀ, ୦୨।୧୧ : ଟି୨୦ ବିଶ୍ୱକପରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ ପାକିସ୍ତାନଠାରୁ ୧୦ ଓ୍ୱିକେଟରେ ଓ ନ୍ୟୁଜିଲାଣ୍ଡଠାରୁ ୮ ଓ୍ୱିକେଟରେ ପରାସ୍ତ ହୋଇଛି । ବିରାଟ ବାହିନୀକୁ ସମସ୍ତେ ଟ୍ରୋଲ କରିଛନ୍ତି । ଏପରିକି ସୋସିଆଲ ମିଡିଆରେ ଆଇପିଏଲ ବ୍ୟାନ୍ ହାସଟ୍ୟାଗ୍ ଟ୍ରେଣ୍ଡ୍ କରୁଛି ।
ଦଳ ହାରିବା ପରେ ଅଧିନାୟକ ବିରାଟ କୋହଲି କହିଥିଲେ ଯେ, ସେମାନେ ଦୀର୍ଘଦିନ ହେଲା ଲଗାତର ଭାବେ ଖେଳୁଛନ୍ତି । ତେବେ ୨୦୧୯ ବିଶ୍ୱକପ ସେମିଫାଇନାଲ ଓ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତ ନ୍ୟୁଜିଲାଣ୍ଡଠୁ ହିଣ ପରାସ୍ତ ହୋଇଥିଲା । ଦଳ ଏକ ପ୍ରକାର ଟି୨୦ ବିଶ୍ୱକପ ସେମିଫାଇନାଲ ରେସରୁ ବାଦ୍ ପଡିସାରିଛି । ଦଳକୁ ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଶେଷ ତିନୋଟି ମ୍ୟାଚକୁ ବଡ ବ୍ୟବଧାନରେ ଜିତିବାକୁ ହେବ ଓ ନ୍ୟୁଜିଲାଣ୍ଡକୁ ଆଫଗାନିସ୍ତାନ କିମ୍ବା ସ୍କଟଲାଣ୍ଡ କିମ୍ବା ନାମିବିୟାଠାରୁ ହାରିବାକୁ ପଡିବ ।
ଟୁର୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ଫେଭରେଟ୍ ଥିଲା । କିନ୍ତୁ ଦଳର ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । କିଛି ବିଶେଷଜ୍ଞ ଖେଳାଳି ଅଧିକ ଆତ୍ମବିଶ୍ୱାସ କାରଣରୁ ଏପରି ସ୍ଥିତି ଭୋଗୁଥିବା କହୁଛନ୍ତି । ସେହିପରି ଦୀର୍ଘଦିନ ହେବ ବିରାଟ ବ୍ରିଗେଡ୍ ବାୟୋ ବବଲରେ ରହିଛି । ଏହାଦ୍ୱାରା ସେମାନଙ୍କ ମାନସିକ ଚାପ ବଢିଛି । ନ୍ୟୁଜିଲାଣ୍ଡଠୁ ପରାସ୍ତ ହେଲା ପରେ ବୋଲର ଜସପ୍ରିତ ବୁମରାହ ଏନେଇ କହିଥିଲେ । ସେମାନେ ଗତ ଅଗଷ୍ଟରୁ ଲଗାତର ଭାବେ କ୍ରିକେଟ ଖେଳୁଥିବା ବୁମରାହ କହିଥିଲେ । ପରିବାରଠୁ ଅଲଗା ରହିବା ମଧ୍ୟ ଏକ କାରଣଥିବା କହିଥିଲେ ବୁମରାହ । ଖେଳାଳିଙ୍କ ଏହି ସମସ୍ୟା ପାଇଁ ବିସିସିଆଇ ଦାୟୀ ବୋଲି କହିଛନ୍ତି କ୍ରିକେଟ୍ ସମୀକ୍ଷକ ।
ବିସିସିଆଇ ଟଙ୍କା ଓ ଲାଭ ଲୋଭରେ ଖେଳାଳିଙ୍କ ମାନସିକ ସମସ୍ୟାକୁ ହେୟଜ୍ଞାନ କରୁଛି । ଆଇପିଏଲ ପରେ ତୁରନ୍ତ ଆରମ୍ଭ ହୋଇଥିଲା ଟି୨୦ ବିଶ୍ୱକପ୍ । ଦଳରେ ଯେଉଁ ୧୫ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି ଅଧିକାଂଶ ଗତ ଜୁନରୁ ଲଗାତର ଭାବେ କ୍ରିକେଟ୍ ଖେଳୁଛନ୍ତି । ସେମାନଙ୍କୁ ସେଭଳି ବିଶ୍ରାମ ମିଳୁନାହିଁ । ବିସିସିଆଇ ଯେତେ ଅସୁବିଧା ହେଲେ ବି ଯେନତେନ ପ୍ରକାରେଣ ଆଇପିଏଲ ଆୟୋଜନ କରିବାକୁ ଚାହୁଁଛି । ଦଳର ବରିଷ୍ଠ ଖେଳାଳି ଫଟାଫଟ୍ କ୍ରିକେଟ୍ ଖେଳୁଛନ୍ତି ।
ଗୋଟିଏ ପଟେ ବିସିସିଆଇ ଟଙ୍କା ପଛରେ ପଡିଛି । ଅନ୍ୟପଟେ ଦଳର ପ୍ରତିଭା ହ୍ରାସ ପାଉଛି । ଖେଳାଳିମାନଙ୍କୁ ମେସିନ୍ ଭଳି ମଧ୍ୟ ବ୍ୟବହାର କରୁଛି । ଯାହା ଭାରତୀୟ କ୍ରିକେଟ ଅଧୋଗତିର ସବୁଠାରୁ ବଡ କାରଣ ।