IPL: ଖେଳାଳି ଓ ପରିବାରଙ୍କୁ Covidରୁ ରକ୍ଷା କରିବ BCCIଙ୍କ ବ୍ଲୁଟୁଥ୍ ବ୍ୟାଜ୍
6/09/2020 at 6:35 PM

ମୁମ୍ବାଇ ୬।୯: ଅନୁଷ୍ଠିତ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଉପରେ ଘନେଇଛି କୋଭିଡ-୧୯ର କଳାବାଦଲ। ଚେନ୍ନାଇ ସୁପର କିଙ୍ଗ୍ସର କିଛି ଖେଳାଳି ଓ ତାଙ୍କ ପରିବାର ଲୋକେ କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଥିଲା। ତେବେ ସେପ୍ଟେମ୍ବର ୧ ତାରିଖରେ ଆସିଥିବା ରିପୋର୍ଟରୁ ସମସ୍ତ ୧୩ ଜଣ ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ଆୟୋଜକ ଆଶ୍ୱସ୍ତ ହୋଇଛନ୍ତି।

ହେଲେ ଆଇପିଏଲ ସମୟରେ ଏପରି ପରିସ୍ଥିତି ଯେପରି ନ ଉପୁଜେ ସେଥିଲାଗି ବିସିସିଆଇ ରାସ୍ତା ଖୋଜିନେଇଛନ୍ତି। ଏଥିଲାଗି ଖେଳାଳି ଓ ତାଙ୍କ ପରିବାର ନିମନ୍ତେ ଖାସ୍ ବ୍ଲୁଟୁଥ୍ ବ୍ୟାଜ୍ ବ୍ୟବସ୍ଥା କରିଛନ୍ତି। ଯାହାକୁ ଖେଳାଳି ଓ ତାଙ୍କ ପରିବାର ଲୋକେ ରୁମରୁ ବାହାରିବା ମାତ୍ରେ ପିନ୍ଧିବା ଅନିବାର୍ଯ୍ୟ କରାଯିବ। ଏହା ଦ୍ୱାରା ରୁମ ବାହାରେ ସେମାନଙ୍କ ମିଳାମିସା ଜଣାପଡିବା ସହ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇପାରିବ ବୋଲି ଜଣାପଡିଛି।

ଖେଳାଳି ଓ ତାଙ୍କ ପରିବାର ଲୋକଙ୍କ ଲାଗି କରାଯାଇଥିବା ବ୍ଲୁଟୁଥ୍ ବ୍ୟାଜ୍ ବ୍ୟବସ୍ଥା ଦ୍ୱାରା ଯେଉଁ ତଥ୍ୟ ସଂଗୃହୀତ ହେବ ତାହା ସିଧା ବିସିସିଆଇଙ୍କୁ ମିଳିବ। ଏଥିଲାଗି ବିସିସିଆଇ ଏକ ହେଲଥ୍ ଆପ୍ ମଧ୍ୟ ବିକଶିତ କରିଛନ୍ତି। ଯାହା ଖେଳାଳି, ସେମାନଙ୍କ ପରିବାର ଓ ଆଇପିଏଲ କର୍ମଚାରୀଙ୍କ ସ୍ୱାସ୍ଥ୍ୟର ଲଗାତାର ମନିଟରିଂ କରିବ। କୌଣସି ଷ୍ଟାଫ, ଖେଳାଳି ଓ ତାଙ୍କ ପରିବାର ଲୋକେ ସଂକ୍ରମିତ ହେବା କ୍ଷେତ୍ରରେ ବିସିସିସିଆଇ ତୁରନ୍ତ ପଦକ୍ଷେପ ନେଇପାରିବେ।

ଆଇପିଏଲ ଲାଗି ୟୁଏଇରେ ପହଞ୍ଚିଥିବା ଖେଳାଳିଙ୍କ ମଧ୍ୟରୁ କେତେକ କୋଭିଡ ସଂକ୍ରମିତ ହେବା ଯୋଗୁ ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସେତେବେଳେ ବିସିସିଆଇ ଏହାର ଜବାବ ମଧ୍ୟ ରଖିଥିଲେ। ଆଇପିଏଲ-୨୦୨୦ ଲାଗି କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଥିବା ବେଳେ ଫିକ୍ସର ବି ଘୋଷଣା ହୋଇସାରିଲାଣି। ୧୯ ସେପ୍ଟେମ୍ବରରେ ପ୍ରଥମ ମ୍ୟାଚ୍ ଆବୁଧାବୀରେ ଅନୁଷ୍ଠିତ ହେବାକୁ ଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଅନୁଷ୍ଠିତ ହେବ।