ଆଜି ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ, ଆଇପିଏଲ ଓ ଟି୨୦ ବିଶ୍ୱକପ୍ ଉପରେ ନିଆଯିବ ବଡ ନିଷ୍ପତ୍ତି

Published By : Prameya-News7 Bureau | May 29, 2021 IST

ମୁମ୍ବାଇ,୨୯/୦୫:  ଶନିବାର ବିସିସିଆଇ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି । ସଭାପତି ସୌରଭ ଗାଙ୍ଗୁଲି ଇତି ମଧ୍ୟରେ ମୁମ୍ବାଇରେ ଆସି ପହଞ୍ଚିଛନ୍ତି । ସ୍ୱତନ୍ତ୍ର ସାଧାରଣ ବୈଠକ ଅବସରରେ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଓ ଅଧା ରହିଯାଇଥିବା ଆଇପିଏଲ୍‌ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

କରୋନା ସଂକ୍ରମଣ ଯୋଗୁଁ ଅଧାରୁ ଅଟକି ଯାଇଥିବା ଆଇପିଏଲ୍‌ର ବାକି ଅଂଶକୁ ଆୟୋଜନ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ସମୟ ବାହାର କରାଯାଇଛି। ସେପ୍ଟେମ୍ବର ୧୮ କିମ୍ବା ୧୯ରୁ ଆଇପିଏଲ୍‌ର ବାକି ଅଂଶ ଆରମ୍ଭ କରି ଅକ୍ଟୋବର ୧୦ ତାରିଖରେ ଶେଷ କରିବାକୁ ଯୋଜନା କରାଯାଇଛି । ଏହି ସମୟ ମଧ୍ୟରେ ୧୦ଦିନ ୨ଟି ଲେଖାଏଁ ମ୍ୟାଚ୍‌ ରହିବ ।

ବୈଠକରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆୟୋଜନ ମୁଖ୍ୟ ପ୍ରସଙ୍ଗ ହେବ । ଅକ୍ଟୋବର ୧୮ରୁ ବିଶ୍ୱକପ୍‌ ଆରମ୍ଭ ହେବ। ବିସିସିଆଇ ଘରୋଇ ଗ୍ରାଉଣ୍ଡରେ ବିଶ୍ୱକପ୍‌ ଆୟୋଜନ କରିବାକୁ ଅଧିକାର ପାଇଛି । ହେଲେ ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ଥିବାରୁ ୟୁଏଇକୁ ବିଶ୍ୱକପ୍‌ ସ୍ଥାନାନ୍ତରିତ ହେବାର ଆଶଙ୍କା ରହିଛି । ଜୁନ ୧ ତାରିଖରେ ଆଇସିସି ବୈଠକ ରହିଛି । ଏହି ବୈଠକରେ ବିଶ୍ୱକପ୍‌ ସ୍ଥାନାନ୍ତରଣ ନେଇ ଆଲୋଚନା ହେବ । ବିସିସିଆଇ ବିଶ୍ୱକପ୍‌ ଉପରେ ନିଷ୍ପତ୍ତି ନେବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ଆଇସିସିକୁ ଅନୁରୋଧ କରିବା ନିଶ୍ଚିତ ।

ବିଶ୍ୱକପ୍‌ ପାଇଁ ବିସିସିଆଇ ୯ଟି ଷ୍ଟାଡିୟମ୍‌ ଚୟନ କରିଛି । ୟୁଏଇକୁ ବିଶ୍ୱକପ୍‌ ସ୍ଥାନାନ୍ତର ହେଲେ ମୋଟ୍‌ ୩ଟି ଷ୍ଟାଡିୟମ୍‌(ସାରଜା, ଆବୁଧାବି ଓ ଦୁବାଇ)ରେ ସମସ୍ତ ମ୍ୟାଚ୍‌ ଖେଳାଯିବ । ଭାରତରେ ମଧ୍ୟ ମୁମ୍ବାଇ-ଅହମ୍ମଦାବାଦ ଭିତରେ ବିଶ୍ୱକପ୍‌କୁ ସୀମିତ ରଖାଯାଇପାରିବ । ମହାରାଷ୍ଟ୍ରରେ ୱାଙ୍ଖଡ଼େ, ପୁନେ(ଏମ୍‌ସିଏ) ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ ରହିଛି । ଅହମ୍ମଦାବାଦରେ ନମୋ ଷ୍ଟାଡିୟମ୍‌ ପ୍ରସ୍ତୁତ ରଖାଯାଇଛି । ଏହା ବାଦ୍‌ ଖେଳାଳିମାନଙ୍କ ଅଭ୍ୟାସ ପାଇଁ ମୁମ୍ବାଇରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରହିଛି ।

ଘରୋଇ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ନେଇ ବୈଠକରେ ଆଲୋଚନା ହେବ । ଏହା ବ୍ୟତୀତ ଘରୋଇ ଖେଳାଳିଙ୍କୁ ପାଉଣା ଯୋଗାଇବା ଉପରେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । କେବଳ ସେତିକି ନୁହେଁ, ଅନ୍ତର୍ଜାତୀୟ ସିରିଜ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସେପ୍ଟେମ୍ବର/ଅକ୍ଟୋବରରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.