ଆଇପିଏଲ ୨୦୨୧: ନିରପେକ୍ଷ ସ୍ଥାନରେ ମ୍ୟାଚ୍ ଖେଳିବେ ସମସ୍ତ ଦଳ, ମିଳିବନି ହୋମ ଗ୍ରାଉଣ୍ଡରେ ଖେଳିବାର ସୁଯୋଗ
7/03/2021 at 9:57 PM

ନୂଆଦିଲ୍ଲୀ ୦୭।୦୩: ବିସିସିଆଇ ଆଇପିଏଲ ୨୦୨୧ର କାର୍ଯ୍ୟସୂଚୀ ଜାରି କରିଛି। ବିଶ୍ଵର ସବୁଠୁ ଲୋକପ୍ରିୟ ଟି-୨୦ କ୍ରିକେଟ୍ ଲିଗ୍ ଆଇପିଏଲ ଏପ୍ରିଲ ୯ରୁ ଆରମ୍ଭ ହେବ। ଏହାର ଫାଇନାଲ ମ୍ୟାଚ୍ ମେ ୩୦ରେ ଖେଳାଯିବ। ମୋଟ୍ ୬ଟି ସ୍ଥାନ ଅହମ୍ମଦାବାଦ, ମୁମ୍ବାଇ, ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ ଓ ଚେନ୍ନାଇରେ ମ୍ୟାଚ୍ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। କରୋନାର ବର୍ଦ୍ଧିତ ମାମଲା ପରେ ମଧ୍ୟ ମୁମ୍ବାଇକୁ ଭେନ୍ୟୁ ତାଲିକାରେ ସାମିଲ କରାଯାଇଛି। ଭାରତୀୟ ଦଳ ଜୁନ ୧୮ରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ର ଫାଇନାଲ ମ୍ୟାଚ୍ ଖେଳିବ। ତେଣୁ ଏହା ପୂର୍ବରୁ ଲିଗ୍ ମେ ମାସରେ ସମାପ୍ତ କରାଯାଉଛି। ସବୁଠୁ ବଡ କଥା ଚଳିତ ଆଇପିଏଲରେ ସମସ୍ତ ଦଳ ନିରପେକ୍ଷ ସ୍ଥାନରେ ମ୍ୟାଚ୍ ଖେଳିବେ। କୌଣସି ଦଳ ଏଥର ନିଜର ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବେ ନାହିଁ।
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ଲେଅଫ୍ ଓ ଫାଇନାଲ ମୁକାବିଲା ଖେଳାଯିବ। ୫୨ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୂର୍ଣ୍ଣାମେଣ୍ଟରେ ମୋଟ୍ ୬୦ଟି ମୁକାବିଲା ଖେଲାଯିବ। ୫୬ ଲିଗ୍ ମ୍ୟାଚ୍ରୁ ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁରେ ୧୦-୧୦ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦ ଓ ଦିଲ୍ଲୀରେ ୮-୮ ମ୍ୟାଚ୍ ଖେଳାଯିବ। ଏଥର ସମସ୍ତ ଦଳ ନିରପେକ୍ଷ ସ୍ଥାନରେ ମ୍ୟାଚ୍ ଖେଳିବେ। ଗୋଟିଏ ଟିମ୍କୁ ଚାରୋଟି ସ୍ଥାନରେ ମ୍ୟାଚ୍ ଖେଳିବେ। ୧୧ ଦିନ ଦୁଇଟି ମୁକାବିଲା ଖେଳାଯିବ। ୬ଟି ଦଳ ୩-୩ ଏବଂ ଦୁଇଟି ଦଳ ୨-୨ ମୁକାବିଲା ଖେଳିବେ। ପ୍ରଥମ ମ୍ୟାଚ୍ ଅପରାହ୍ନ ୩ଟା ୩୦ ଏବଂ ଦ୍ଵିତୀୟ ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ଟାରୁ ଆରମ୍ଭ ହେବ।
ପ୍ରାରମ୍ଭିକ ମ୍ୟାଚ୍ରେ ଦର୍ଶକଙ୍କୁ ଅନୁମତି ଦିଆଯାଇ ନାହିଁ। ବୋର୍ଡ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଅନ୍ତିମ ପର୍ଯ୍ୟାୟ ମୁକାବିଲାରେ ଦର୍ଶକଙ୍କୁ ଆସିବାକୁ ମଞ୍ଜୁରି ଦିଆଯାଇପାରେ। ଦେଶରେ କରୋନା କେସ୍ ବଢୁଥିବାରୁ ବୋର୍ଡ ଏମିତି ନିଷ୍ପତ୍ତି ନେଇଛି।