କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଶୀଘ୍ର ପଡିଆକୁ ଓହ୍ଲାଇବ ଭାରତୀୟ ଦଳ !

Published By : Prameya-News7 Bureau | June 10, 2020 IST

ନୂଆଦିଲ୍ଲୀ ୧୦।୦୬: ଭାରତୀୟ କ୍ରିକେଟ୍‌ ଦଳର ପ୍ରଶଂସକ ଶୀଘ୍ର ନିଜ ପସନ୍ଦର ଖେଳାଳିଙ୍କୁ ପୁଣି ଥରେ ପଡିଆରେ ଖେଳୁଥିବା ଦେଖିବାକୁ  ପାଇବେ। ଏକ ରିପୋର୍ଟ ଅନୁଯାୟୀ ଭାରତୀୟ ଦଳ ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତ କରିବ। ଏହି ଗସ୍ତରେ ଦଳ ସୀମିତ ଓଭର ଶୃଙ୍ଖଳା ଖେଳିବ। ସଂପ୍ରତି କରୋନା ଭାଇରସ୍‌ କାରଣରୁ ସମସ୍ତ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଶୃଙ୍ଖଳା ଓ ଟୂର୍ଣ୍ଣାମେଣ୍ଟ ସ୍ଥଗିତ ରହିଛି।

‘ଦ ଆଇଲ୍ୟାଣ୍ଡ’ର ରିପୋର୍ଟ ଅନୁଯାୟୀ ବିସିସିଆଇ ସୋମବାର ଶ୍ରୀଲଙ୍କା କ୍ରିକେଟ୍‌(SLC)କୁ ଏହି ଗସ୍ତ ଲାଗି ସବୁଜ ସଙ୍କେତ ଦେଇଛି। ଯେବେ ଭାରତ ସରକାର ଏହାର ମଞ୍ଜୁରୀ ଦେବେ ତେବେ ଯାଇ ଏହି ଗସ୍ତ ସମ୍ଭବ ହେବ ବୋଲି ବିସିସିଆଇ କହିଛି।

ଭାରତର ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଜୁନ୍ ମାସରେ ନିର୍ଦ୍ଧାରିତ ଥିଲା। ହେଲେ ଭାରତୀୟ କ୍ରିକେଟ୍ ଦଳ ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତ କରିବ ବୋଲି ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ। ଏସଏଲସିକୁ ମଧ୍ୟ ଏହି ଦ୍ଵିପାକ୍ଷିକ ଶୃଙ୍ଖଳା ଲାଗି ନିଜ ଦେଶର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ନେବାକୁ ପଡିବ। ରିପୋର୍ଟ ଅନୁଯାୟୀ ଅଗଷ୍ଟ ମାସରେ ଲକ୍‌ଡାଉନ୍ ନିୟମରେ କିଛି କୋହଳ ଦିଆଯାଇପାରେ। ଏସଏଲସିକୁ ଭରସା ଯେ, ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଅନୁମତି ମିଳିଯିବ।

ଏସଏଲସି ଟେଲିଭିଜନ ଅଧିକାର ମାଧ୍ୟମରେ ନିଜର ରାଜସ୍ଵ ବଢାଇବା ପାଇଁ କ୍ରିକେଟ୍ ଶୃଙ୍ଖଳା ଉପରେ ବହୁତ ଅଧିକ ନିର୍ଭର କରିଥାଏ। ଏହା ମଧ୍ୟରେ ଏସିଆ କ୍ରିକେଟ୍ ପରିଷଦ(ACC)ରୁ ଅନୁମତି ମିଳିବା ପରେ ଶ୍ରୀଲଙ୍କା ଏସିଆ କପ୍‌ ଟି-୨୦ ଟୂର୍ଣ୍ଣାମେଣ୍ଟର ଆୟୋଜନ କରିବ। ଏହାର ସୂଚନା ଶ୍ରୀଲଙ୍କା କ୍ରିକେଟ୍‌ର ସଭାପତି ସମ୍ମି ସିଲଭା ମଙ୍ଗଳବାର ଶ୍ରୀଲଙ୍କା ଗଣମାଧ୍ୟମକୁ ଦେଇଛନ୍ତି।

ୟୁଏଇରେ ଏହି ଟୂର୍ଣ୍ଣାମେଣ୍ଟକୁ ସେପ୍ଟେମ୍ବରରେ ପାକିସ୍ତାନ ଦ୍ଵାରା ଆୟୋଜିତ ହେବାର ଥିଲା, ମାତ୍ର ଏସଏଲସି ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)ର ସଭାପତି ଏହସାନ ମନିଙ୍କ ୨୦୨୨ ଇଭେଣ୍ଟ ସହ ପ୍ରାୟୋଜନ ଅଧିକାର ନେବାର ପ୍ରସ୍ତାବକୁ ସ୍ଵୀକାର କରି ନେଇଛନ୍ତି।

ଟୂର୍ଣ୍ଣାମେଣ୍ଟରେ ଛଅଟି ଦଳ ସାମିଲ ହେବେ। ପାଞ୍ଚ ପୂର୍ଣ୍ଣକାଳୀନ ସଦସ୍ୟ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ। ଆଉ ଏକ ଦଳ ଅନ୍ୟ ଏସିଆ ଦେଶ ମଧ୍ୟରେ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ଟୂର୍ଣ୍ଣାମେଣ୍ଟର ବିଜେତା ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.