ଖାକିରେ କଳଙ୍କ : କମିଶନରେଟ୍ ପୋଲିସର ଇନ୍ସପେକ୍ଟରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

Published By : Prameya-News7 Bureau | October 11, 2020 IST

ଭୁବନେଶ୍ୱର,୧୧|୧୦: ଖାକିରେ ଲାଗିଲା ଦାଗ । ପୋଲିସ ଇନ୍ସପେକ୍ଟରଙ୍କ ବିରୋଧରେ ଆସିଲା ଯୌନ ନିର୍ଯାତନା ଅଭିଯୋଗ । ଏପରି ଅଭିଯୋଗ କମିଶନରେଟ୍‌ ପୋଲିସ‌ ଭୁବନେଶ୍ୱରର ଜଣେ ଇନ୍ସପେକ୍ଟରଙ୍କ ବିରୋଧରେ ଆସିଛି । ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଭିଏସ୍‌ଏସ୍‌ ନଗରରେ ରହୁଥିବା ଜଣେ ଯୁବତୀ। ଏହାପରେ ସଙ୍ଗେ ସଙ୍ଗେ ଥାନାରେ ଥିବା ଇନ୍ସପେକ୍ଟରଙ୍କୁ ତୁରନ୍ତ କମିଶନରେଟ୍‌ ପୋଲିସ ମୁଖ୍ୟାଳୟକୁ ବଦଳି କରିଦିଆଯାଇଛି। ଦୀର୍ଘ ୧୦ ଦିନ ହେବ ଯୁବତୀ ଜଣଙ୍କ ଥାନାରେ ଏତଲା ଦେଲେଣି । ହେଲେ ପୋଲିସ‌ ମାମଲା ରୁଜୁ କରିଛି। ଜଣେ ଅତିରିକ୍ତ ଡିସିପି ରାଙ୍କର ଜଣେ ଅଧିକାରୀ ଏହି ମାମଲାର ତଦନ୍ତ ଚଳାଇଛନ୍ତି।

ସୂଚନାନୁସାରେ, ରୀମା ପ୍ରଧାନ (ଛଦ୍ମନାମ, ୨୫ ବର୍ଷ) ଭିଏସ୍‌ଏସ୍‌ ନଗରରେ ଘର ଭଡା ନେଇ ରହୁଛନ୍ତି। ତାଙ୍କ ଅଭିଯୋଗ ମୁତାବକ କିଛି ମାସ ତଳେ ରୀମା ଏକ ଠକେଇ ଅଭିଯୋଗ ନେଇ ଥାନାକୁ ଯାଇଥିଲେ। ଥାନା ଅଧିକାରୀ ତଦନ୍ତ ଆଳରେ ଯୁବତୀଙ୍କ ମୋବାଇଲ ନମ୍ବର ନେଇଥିଲେ। ପରେ ତାଙ୍କୁ ବାରମ୍ବାର ହଇରାଣ କରୁଥିଲେ ଓ ଅଶ୍ଳୀଳ ମେସେଜ ପଠାଉଥିଲେ । ତଦନ୍ତ ବିଷୟରେ ଆଲୋଚନା କରିବାକୁ ଡାକି ରୀମାଙ୍କ ସହ ଘଣ୍ଟାଘଣ୍ଟା ଗପୁଥିଲେ । ସମ୍ପର୍କ ବଢ଼ିବା ପରେ ରୀମାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

ଏନେଇ ରୀମା ଆଇଆଇସିଙ୍କ ବିରୋଧରେ ମହିଳା ଥାନାରେ ଏତଲା ଦେବାକୁ ଯାଇଥିଲେ । ତେବେ ବିଧାନସଭା ଚାଲୁଥିବାରୁ ଯୁବତୀଙ୍କୁ ବୁଝା ସୁଝା କରି ଏହି ଘଟଣାକୁ ଚାପି ଦେଇଥିଲା ପୁଲିସ୍‌ । ପରେ ସେ ଡିସିପିଙ୍କ ଅଫିସ୍‌କୁ ଯାଇଥିଲେ। ଡିସିପି ଘଟଣାର ତଦନ୍ତ କରିବାକୁ ଜଣେ ଅତରିକ୍ତ ଡିସିପିଙ୍କୁ ଦାୟିତ୍ୱ ଦେଇଥିଲେ । ସେପଟେ ଶନିବାର ମଧ୍ୟ ଯୁବତୀ ଜଣଙ୍କ ମହିଳା ଥାନାକୁ ଯାଇଥିଲେ। ହେଲେ ମହିଳା ଥାନା ପୋଲିସ ତାଙ୍କୁ ଦେଖା ଦେଇ ନଥିଲେ। ଏବେ ଯୁବତୀଙ୍କୁ ବିଭିନ୍ନ ଧମକ ଚମକ ଦିଆଯିବା ସହ ତାଙ୍କ ଘରେ ଦୁଇ ଜଣ ଏସ୍‌ଆଇ ଯାଇ ଭଙ୍ଗାରୁଜା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.