ଭୁବନେଶ୍ଵରରୁ ନୂଆଦିଲ୍ଲୀ ଚାଲିଲା ଟ୍ରେନ୍, ଆଜି ଗଲା କାଲି ଆସିବ : ୧୯ରୁ ଦେଶ ଭିତରେ ବିମାନସେବା

Published By : Prameya-News7 Bureau | May 13, 2020 IST

ଭୁବନେଶ୍ବର ୧୩/୦୫ : ଭୁବନେଶ୍ବରରୁ ନୂଆଦିଲ୍ଲୀକୁ ଚାଲିଲା ସ୍ପେଶାଲ ଟ୍ରେନ୍‌ | ବୁଧବାର  ସକାଳ ୧୦ଟାରେ ୫୪୫ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା  କରିଛି ଏହି ଟ୍ରେନ୍‌ । ଗୁରୁବାର ସକାଳ ୧୦ଟା ୪୫ରେ ଏହା ଦିଲ୍ଲୀରେ ପହଞ୍ଚିବ । ସେହିଭଳି ଗୁରୁବାର ସଂଧ୍ୟା ୫ଟା ୫ରେ ନୂଆଦିଲ୍ଲୀରୁ ଭୁବନେଶ୍ବରକୁ ବାହାରିବ ସ୍ପେଶାଲ ଟ୍ରେନ୍‌ । ସେପଟେ ଲକଡାଉନ ଯୋଗୁଁ ବିଭିନ୍ନ ସ୍ଥାନରେ ଫସିଥିବା ଲୋକଙ୍କ ପାଇଁ ମେ’ ୧୯ରୁ ଜୁନ୍‌ ୨ଯାଏଁ ଚାଲିବ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ । ଦିଲ୍ଲୀରୁ ୧୭୩ ଏବଂ ମୁମ୍ବାଇରୁ ୪୦ ବିମାନ ଚଳାଚଳ କରିବ ।

ଭୁବନେଶ୍ବରରୁ ନୂଆଦିଲ୍ଲୀକୁ ଚାଲିଲା ସ୍ପେଶାଲ ଟ୍ରେନ୍‌ । ବୁଧବାର ସକାଳ ୧୦ଟାରେ ୫୪୫ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି ଏହି ଟ୍ରେନ୍‌ । ଟ୍ରେନ୍‌ ଯିବା ପୂର୍ବରୁ ଭୁବନେଶ୍ବର ରେଳଷ୍ଟେସନକୁ ସାନିଟାଇଜ୍‌ କରାଯିବା ସହ ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରାଯାଇଥିଲା । ଟ୍ରେନ୍‌ ଟିକେଟ୍‌ କରିଥିବା ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିମୟକୁ ବାଧ୍ୟତାମୂଳକ କରାଯାଇଥିଲା । ଗୁରୁବାର ସକାଳ ୧୦ଟା ୪୫ରେ ଏହା ଦିଲ୍ଲୀରେ ପହଞ୍ଚିବ । ସେହିଭଳି ଗୁରୁବାର ସଂଧ୍ୟା ୫ଟା ୫ରେ ନୂଆଦିଲ୍ଲୀରୁ ଭୁବନେଶ୍ବରକୁ ବାହାରିବ ସ୍ପେଶାଲ ଟ୍ରେନ୍‌ ।

ଦୀର୍ଘ ଦେଢ଼ମାସର ଲକଡାଉନ୍‌ ଅବଧି ଭିତରେ ଦେଶରେ ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ବର ସମେତ ଦେଶର ପ୍ରମୁଖ ସହରକୁ ୧୫ଯୋଡ଼ା ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି । ଟ୍ରେନ୍‌ ଯାତ୍ରା ପାଇଁ କେବଳ କନଫର୍ମ ଇ-ଟିକେଟ୍‌ ଥିବା ଯାତ୍ରୀଙ୍କୁ ରେଳଷ୍ଟେସନରେ ପ୍ରବେଶ ଅନୁମତି ମିଳୁଛି । ସେହିଭଳି ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକଙ୍କ ପାଇଁ ମେ’ ୧୯ରୁ ଜୁନ୍‌ ୨ ଯାଏଁ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆର  ବିମାନ ଚଳାଚଳ କରିବ । ଦିଲ୍ଲୀରୁ ୧୭୩ ଏବଂ ମୁମ୍ବାଇରୁ ୪୦ ବିମାନ ଚଳାଚଳ କରିବ  ।  ସେପଟେ ଆସନ୍ତା ୨୦ରେ ବନ୍ଦେ ଭାରତ ମିଶନ -୨ରେ ଆମେରିକାର ଚିକାଗୋ ଓ କୁଆଲାଲମ୍ବୁରରେ ଫସିଥିବା ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଆସିବ ଏୟାର ଇଣ୍ଡିଆ ବିମାନ ।

ସେହିଭଳି ରାଜ୍ୟରେ ଗ୍ରୀନ ଜୋନ୍‌ରେ ବସ୍‌ ଚଳାଚଳ ନେଇ ଘରୋଇ ବସ୍ ମାଲିକ ସଂଘ ଦ୍ବନ୍ଦ୍ବରେ ଥିବା ବେଳେ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି OSRTC ବସ ସେବା । ଆଜି ପ୍ରଥମ କରି କଟକରୁ ଗୋଟିଏ OSRTC  ବସ ଚଳାଚଳ କରିଛି । ଏଣିକି ରାଜ୍ୟର ସମସ୍ତ ଗ୍ରୀନ୍‌ ଜୋନରେ ସରକାରୀ ଯାତ୍ରୀବାହୀ ବସ୍‌ ଚାଲିବ । ତେବେ ଏଥି ପାଇଁ ଯାତ୍ରୀଙ୍କୁ ୨ଗୁଣ ଭଡ଼ା ଦେବାକୁ ପଡ଼ିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେପଟେ ଯାତ୍ରୀଙ୍କ ଠାରୁ ଦୁଇଗୁଣ ଭଡ଼ା ନେଇ ବସ୍‌ ଚଳାଇବା ନୈତିକତା ବାହାରେ ବୋଲି କହିଛି ବସ ମାଲିକ ସଂଘ ।

ଦୀର୍ଘ ଦେଢ଼ମାସ ଧରି ଲକ୍‌ଡାଉନ୍‌ ଯୋଗୁଁ ଯାତ୍ରୀ ପରିବହନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଥିବା ବେଳେ ଲୋକଙ୍କ ସମସ୍ୟାକୁ ଦେଖି ଧୀରେ ଧୀରେ ଟ୍ରେନ୍‌, ବିମାନ ଓ ବସ ସେବା ଆରମ୍ଭ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ସେପଟେ ଓଡ଼ିଶାକୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଯୋଗେ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.