କେବଳ ଆନ୍ଧ୍ରପ୍ରଦେଶ ଅଥବା ଓଡ଼ିଶା ନୁହେଁ ଛତିଶଗଡ଼ ଲାଗି ବିପଦର କାରଣ ହୋଇପାରେ ସାମୁଦ୍ରିକ ବାତ୍ୟା, ଚେତାଇଲେ ପାଣିପାଗ ବିଭାଗ

Published By : Prameya-News7 Bureau | December 02, 2021 IST

ରାୟପୁର ୨।୧୨:  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ଅବପାତରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ସାମୁଦ୍ରିକ ବାତ୍ୟାର ରୂପ ନେଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ମୁହାଁଇପାରେ। ତେବେ ଡିସେମ୍ବର ୪ ତାରିଖରେ ଏହା ଭୂ-ଭାଗକୁ ପ୍ରବେଶ କରିବା ପରେ ଛତିଶଗ଼ଡ଼ ଲାଗି ମଧ୍ୟ ବିପଦର କାରଣ ହୋଇପାରେ ବୋଲି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଗୁରୁବାର ଅଗ୍ରୀମ ସତର୍କତା ଜାରି କରିଛନ୍ତି।

ରାୟପୁର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଏଚ.ପି.ଚନ୍ଦ୍ରାଙ୍କ ଅନୁସାରେ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତି ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ସହିତ ସମୁଦ୍ର ପୃଷ୍ଠରୁ ୫.୮ କିଲୋମିଟର ଊର୍ଦ୍ଧ୍ୱରେ ପବନର ଏକ ଘୂର୍ଣ୍ଣିବଳୟ ମଧ୍ୟ ରହିଛି। ଯାହା ଗୁରୁବାର ପ୍ରବଳ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଅବପାତରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ପୁଣି ସକ୍ରିୟ ହୋଇ ମଧ୍ୟ ବଙ୍ଗୋପସାଗରକୁ ପହଞ୍ଚିବା ନେଇ ଆକଳନ କରାଯାଉଛି।

{"id":553345,"width":839,"height":416,"sizeSlug":"full","linkDestination":"none"}

ଏଣୁ ଆଶଙ୍କା କରାଯାଉଛି ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ସୀମାବର୍ତ୍ତି ଛତିଶଗଡ ଜିଲ୍ଲାମାନଙ୍କରେ ଏହାର ପ୍ରକୋପ ପଡିପାରେ। ଏହାର ପ୍ରଭାବରେ ରାଜ୍ୟରେ ପବନର ବେଗ ବଢ଼ିବା ସହ କେଉଁଠି କେଉଁଠି ଭୀଷଣ ବର୍ଷା ମଧ୍ୟ ହୋଇପାରେ। ତେବେ ଯାହା ଅନୁମାନ କରାଯାଉଛି ଏହି ଲଘୁଚାପ ଯୋଗୁ ଦକ୍ଷିଣ ଛତିଶଗଡ଼ ବର୍ଷାରେ ସର୍ବାଧିକ ପ୍ରଭାବିତ  ହୋଇପାରେ ବୋଲି ଚନ୍ଦ୍ରା ସତର୍କ କରାଇଛନ୍ତି।

ରାଜ୍ୟରେ ଖରିଫ ଫସଲ ଅମଳ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ବର୍ଷା ଚାଷୀଙ୍କୁ ପ୍ରଭାବିତ କରିବ ବୋଲି ସେ ଚେତାବନୀ ଦେଇଛନ୍ତି। ନଭେମ୍ବର ମାସରେ ହୋଇଥିବା ଅଦିନିଆ ବର୍ଷା ରାଜ୍ୟରେ ଫସଲ ନଷ୍ଟ କରିଥିଲା। ଲୋକେ କାଟି ଥିବା ଫସଲରେ ବି ପାଣି ପାଶିଥିଲା। ଏଥିରେ ଯଦି ଡିସେମ୍ବରରେ ବର୍ଷା ହୁଏ ତେବେ ରାଜ୍ୟରେ ଚାଷୀ ଗୁରୁତର ପ୍ରଭାବିତ ହୋଇପାରନ୍ତି ବୋଲି  ଆଶଙ୍କା କରାଯାଉଛି।

ଫସଲ ଅମଳ ସହ ରାଜ୍ୟରେ ସରକାରୀ ଧାନ କିଣା ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଛି। ଏଥିଲାଗି ସାରା ରାଜ୍ୟରେ ୨ ହଜାର ୩୯୯ଟି କ୍ରୟ କେନ୍ଦ୍ର ସ୍ଥାପିତ ହୋଇଛି। ଧାନ କିଣାର ପ୍ରଥମ ଦିନରେ ସରକାର ୮୮ ହଜାର ମେଟ୍ରିକ ଟନରୁ ଅଧିକ ଧାନ କିଣିଛନ୍ତି। ଯଦି ଝଡବତାସ ହୁଏ ତେବେ ଚାଷୀଙ୍କ ସହ ସରକାର ମଧ୍ୟ କ୍ଷତିଗ୍ରସ୍ତ ହୋଇପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.