୨୫ ସୁଦ୍ଧା ବାତ୍ୟାର ରୂପ ନେବ 'ୟଶ୍', ଏହି ସ୍ଥାନରେ ମାଡ ହେବ !

Published By : Prameya-News7 Bureau | May 20, 2021 IST

ଭୁବନେଶ୍ୱର,୨୦/୦୫: ଆସୁଛି ବାତ୍ୟା । ଏ ବର୍ଷ ବି ମେ’ ମାସରେ ଆସୁଛି ବାତ୍ୟା ୟଶ୍ । ଏହା ସିଧାସଳଖ ଓଡ଼ିଶାରେ ମାଡ଼ ହେବ କି ଘଷି ହୋଇ ପଳାଇବ, ଏଯାଏଁ ସ୍ପଷ୍ଟ ହୋଇନି । ତଥାପି ପାଣିପାଗର ପ୍ରାକ୍‌ ଆକଳନ କହୁଛି, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟଶ୍’ ଓଡ଼ିଶାରେ ପ୍ରଭାବ ପକାଇବା ସମ୍ଭାବନା ଅଛି । ବିଶେଷ କରି ଉପକୂଳ ଏବଂ ଉତ୍ତର ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ।

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଗତବର୍ଷର ଅମ୍‌ପନ୍‌ ବାତ୍ୟା ଭଳି ଏଥର ବି କରୋନା ସଙ୍କଟ ଭିତରେ କୋଭିଡ୍‌ ନିୟମ ପାଳନ କରି ଯେମିତି ସମ୍ଭାବ୍ୟ ସ୍ଥିତିର ମୁକାବିଲା କରିହେବ, ସେ ଦିଗରେ ସରକାର ଗୁରୁତ୍ୱ ଦେଇଛନ୍ତି । କୋଭିଡରୁ ସୁସ୍ଥ ହେବା ପରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ବୁଧବାର ସନ୍ଧ୍ୟାରେ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାପାଳ, ପୁଲିସ, ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆଗୁଆ ପ୍ରସ୍ତୁତ ଓ ସଜାଗ ରହିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ୨୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ୭୨ ଘଣ୍ଟା ଭିତରେ (୨୫ ତାରିଖବେଳକୁ) ଏହା ଘନୀଭୂତ ହୋଇ ବାତ୍ୟା ରୂପ ନେବ । ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସନ୍ଧ୍ୟାରେ ଓଡ଼ିଶା-ପଶ୍ଚିମ ବଙ୍ଗ ଉପକୂଳ ପାଖରେ ପହଞ୍ଚିବ । ତେବେ ଆସନ୍ତା ୨୨ ତାରିଖବେଳକୁ ଏ ବାବଦରେ ଅଧିକ ତଥା ସ୍ପଷ୍ଟ ଆକଳନ କରିହେବ ।

ଆଇଏମଡି ରିଜିଓନାଲ ସ୍ପେଶାଲାଇଜଡ ମେଟ୍ରୋଲୋଜିକାଲ ସେଣ୍ଟର ତଥା ସାଇକ୍ଲୋନ ପୂର୍ବାନୁମାନ ବିଭାଗ ମୁଖ୍ୟ ଆର୍‌.କେ.ଜେନାମଣି କହିଛନ୍ତି, ବାତ୍ୟା ରୂପ ନେବା ପରେ ଏହାର ନାଁ ରହିବ ‘ୟଶ୍’ । ଏହି ନାମକରଣ ଓମାନ କରିଛି । ପ୍ରାକ ଆକଳନ ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଏହା ପ୍ରଭାବରେ ୨୫ ତାରିଖ ଅପରାହ୍ନରୁ ଓଡ଼ିଶାରେ ପାଗ ବଦଳିପାରେ । ଉପକୂଳ ଓଡ଼ିଶା, ବିଶେଷ କରି ଉତ୍ତର ଓଡ଼ିଶାରେ ବର୍ଷା ଓ ପବନ ଅଧିକ ରହିବ । ସମୁଦ୍ର ମଧ୍ୟଅଶାନ୍ତ ରହିବ । ଯେଉଁମାନେ ଗଭୀର ସମୁଦ୍ର ଭିତରକୁ ଯାଇଛନ୍ତି, ସେମାନେ ୨୩ ତାରିଖ ସୁଦ୍ଧା ଫେରି ଆସିବାକୁ ସତର୍କ ସୂଚନା ଜାରି କରାଯାଇଛି । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି, ୨୩ରେ ଲଘୁଚାପ ସୃଷ୍ଟି ହୋଇ ୨୪ରେ ବାତ୍ୟାରେ ପରିଣତ ହେବ । ପ୍ରଥମ ୨୪ ଘଣ୍ଟା ଏହା ମିଆଁମାର ଆଡ଼କୁ ଗତି କରିବ । ତା’ ପରେ ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ । ସମ୍ଭାବ୍ୟ ବାତ୍ୟା ବାବଦରେ ୨୨ ତାରିଖରେ ଅଧିକ ସ୍ପଷ୍ଟ ଭାବେ ଆକଳନ କରିହେବ ।

ବିଭିନ୍ନ ପାଣିପାଗ ସଂସ୍ଥାର ଆକଳନର ବିଶ୍ଳେଷଣରୁ ଜଣାପଡ଼ିଛି, ଆସନ୍ତା ୨୫ ଓ ୨୬ ତାରିଖବେଳକୁ ବାତ୍ୟା ପାଇଁ ପଶ୍ଚିମବଙ୍ଗ ଉପକୂଳ ଓ ସୁନ୍ଦରବନରେ ପାଣିପାଗର ଉପାଦାନ ଓଡ଼ିଶା ଅପେକ୍ଷା ଅଧିକ ଅନୁକୂଳ ରହିବ । ତେଣୁ ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଉପକୂଳକୁ ଛୁଇଁବା ସମ୍ଭାବନା ଅଧିକ । ତଥାପି ଓଡ଼ିଶାକୁ ମୁହାଁଇବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନି । ସମ୍ଭବତଃ ଏହା ୨୭ରେ ସ୍ଥଳଭାଗ ଛୁଇଁବ ।   ଆଶ୍ୱସ୍ତିର କଥା ହେଲା, ସମ୍ଭାବ୍ୟ ବାତ୍ୟା ସମୁଦ୍ର ଭିତରେ ବେଶି ସମୟ ରହୁନାହିଁ, ତେଣୁଅଧିକ ଭୟଙ୍କର ହେବା ସମ୍ଭାବନା କମ୍‌ । ସମୁଦ୍ର ଭିତରେ ଥିବାବେଳେ ଏହା ଅତି ଭୀଷଣ (ଭେରି ସିଭିୟର ସାଇକ୍ଲୋନ) ବାତ୍ୟା ହୋଇପାରେ । ଉତ୍ତର ବଙ୍ଗୋପସାଗର ଜଳପତ୍ତନ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସରୁ ଅଧିକ ଥିବାରୁ ଏହା ଘନୀଭୂତ ହେବା ପାଇଁ ଅନୁକୂଳ ହୋଇପାରେ ।
ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ତଥା ସୋଆ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ସମ୍ଭାବ୍ୟ ବାତ୍ୟ।

ଆସନ୍ତା ୨୫ ତାରିଖ ଅପରାହ୍ନବେଳକୁ ଓଡ଼ିଶା ଉପକୂଳଠାରୁ ପ୍ରାୟ ୨୫୦ କିମି ଦୂରରେ ରହିବା ସମ୍ଭାବନା ଅଛି । ୨୬ ତାରିଖ ସକାଳବେଳକୁ ଉତ୍ତର ଓଡ଼ିଶାର ବାଲେଶ୍ୱର କିମ୍ବା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ପାଖରେ ଥିବ । ୨୬ ତାରିଖ ଅପରାହ୍ନବେଳକୁ ବାଲେଶ୍ୱର କିମ୍ବା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା, କଣ୍ଟାଇ ପାଖାପାଖି ଉପକୂଳ ଛୁଇଁପାରେ ଏହା ବାତ୍ୟା । ଏହି ସମ୍ଭାବ୍ୟ ବାତ୍ୟା ଅଧିକ ଘନୀଭୂତ ହେଲେ ଭୀଷଣ ବାତ୍ୟା (ଭେରି ସିଭିୟର) ରୂପ ନେଇପାରେ ।

ବାତ୍ୟା ଅବସ୍ଥାରେ ରହିଲେ ଘଣ୍ଟା ପ୍ରତି ୬୫ରୁ ୯୦ କିମି ଓ ଭୀଷଣ ବାତ୍ୟା ହେଲେ ୯୦ରୁ ୧୨୦ କିମି ବେଗରେ ପବନ ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ବର୍ଷା, ପବନ ବେଶି ପଡ଼ିବ । ୨୪ ତାରିଖ ରାତିରୁ କିଛି ଜାଗାରେ ହାଲୁକା ବର୍ଷା ହୋଇପାରେ । ୨୫ ଅପରାହ୍ନରୁ ଏହାର ପ୍ରଭାବ ବଢ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.