ବାତ୍ୟା 'ଜଓ୍ୱାଦ'କୁ ନେଇ ସଜାଗ ପୁରୀ ପ୍ରଶାସନ : ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

Published By : Prameya-News7 Bureau | December 02, 2021 IST

ପୁରୀ, ୦୨/୧୨:   ବଙ୍ଗୋପସାଗର ସୃଷ୍ଟ ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ପୁରୀ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଖୁବ୍ ବେଗରେ ପବନ ବୋହିବା ଆଶଙ୍କା ଥିବାରୁ ମତ୍ସଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ନିମନ୍ତେ ପରାମର୍ଶ ଦିଆଯାଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇ ରହିଛି। 

ବାତ୍ୟା ଜୱାଦ ପ୍ରଭାବରେ ପ୍ରବଳ ବର୍ଷା ହେବା ଆଶଙ୍କା ଥିବାରୁ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଓ ସଠିକ କ୍ଷୟକ୍ଷତିର ଆକଳନ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି। ବାତ୍ୟା ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ହୋଇ ରହିଛି। ଆବଶ୍ୟକ ସ୍ଥଳେ ନିରବଚ୍ଛିନ୍ନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ  ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଜରୁରୀକାଳୀନ ସେବା ଯେପରି ଅବ୍ୟାହତ ରହିବ ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ପ୍ରତି ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବା ସହ ସମସ୍ତ ସରକାରୀ ଅଧିକାରୀ ମାନଙ୍କ ଛୁଟି ବାତିଲ କରାଯାଇଛି। ଆସନ୍ନ ପ୍ରସବମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବା ଓ ବୟସ୍କ ବ୍ୟକ୍ତି ଓ ଶିଶୁ ମାନଙ୍କ ସ୍ବାସ୍ଥ୍ଯ ଓ ଯତ୍ନ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି। ଗୃହପାଳିତ ପଶୁ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବ। ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ କୋଭିଡ ନୀୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳ, କଚ୍ଚାଘରୁ ଲୋକ ମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ନିମନ୍ତେ ପ୍ରସ୍ତୁତ ରହିବା ନିମନ୍ତେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅମଳ ଶସ୍ୟକୁ କ୍ଷେତରୁ ନେଇ ସୁରକ୍ଷିତ ସ୍ଥାନରେ ରଖିବା ନିମନ୍ତେ କୃଷକ ବନ୍ଧୁ ମାନଙ୍କୁ ପରାମର୍ଶ ଦିଆଯାଇଛି। ଜିଲ୍ଲାର କେତେକ ଉପକୂଳବର୍ତ୍ତି ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। 

ସେହିପରି ପ୍ରବଳ ବର୍ଷା ହେବା ଆଶଙ୍କା ଥିବାରୁ ଏହାର ପରବର୍ତ୍ତୀ ପରିସ୍ଥିତର ମୁକାବିଲା ଏବଂ କ୍ଷୟକ୍ଷତି ରିପୋର୍ଟ ସଠିକ ଭାବେ ପ୍ରଦାନ କରିବାକୁ ଅଧିକାରୀ ମାନଙ୍କୁ କୁହାଯାଇଛି। ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ପୁରୀର ବୃହତ୍ତମ ପେଣ୍ଠକଟା ମତ୍ସ୍ୟଜୀବୀ ବସ୍ତିର ବାସିନ୍ଦା ବାତ୍ୟାକୁ ନେଇ ବେଶି ଆତଙ୍କିତ ଅଛନ୍ତି। ପ୍ରଶାସନ ପକ୍ଷରୁ ଏଯାଏଁ ସେମାନଙ୍କୁ ସତର୍କ କରାଯାଇନଥିଲେ ମଧ୍ୟ ନିଜ ଆଡୁ ସେମାନେ ସବୁ ପ୍ରସ୍ତୁତି କରିଛନ୍ତି। ଅଧିକାଂଶ ଝୁମ୍ପୁଡି ଘର ହୋଇଥିବାରୁ ପେଣ୍ଠକଟାବାସୀ ବେଶୀ ଭୟଭୀତ ଅଛନ୍ତି। ବାତ୍ୟା ଫନିରେ ଭାଙ୍ଗିଥିବା ୮୦ପ୍ରତିଶତ ଲୋକେ ଏପର୍ଯ୍ୟନ୍ତ ଘର କରିପାରିନାହାନ୍ତି। ତଥାପି ପ୍ରଶାସନ ପକ୍ଷରୁ ସୂଚନା ମିଳିଲେ ସେମାନେ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବେ ବୋଲି କହିଛନ୍ତି। 

ତେବେ ପାଣିପାଗ ବିଭାଗର ସ୍ପଷ୍ଟ ସୂଚନା ମିଳିଲା ପରେ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ ହେବ।  ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ଧାନ ଓ ପନିପରିବା ଚାଷ ବେଶୀ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଏଣୁ ଅମଳ ଶସ୍ୟକୁ କ୍ଷେତରୁ ନେଇ ସୁରକ୍ଷିତ ସ୍ଥାନରେ ରଖିବାକୁ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.