ବିପଦ ସଙ୍କୁଳ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳୀ, କାନ୍ଥ-ଛାତରୁ ଖସୁଛି ସିମେଣ୍ଟ, ଦେଖାଯାଉଛି ଲୁହା ରଡ

Published By : Prameya-News7 Bureau | December 02, 2021 IST

ଆଠଗଡ, ୦୨|୧୨:  ବାତ୍ୟା ଓ ବନ୍ୟା ସମୟରେ ବାସହୀନ, ତଳିଆ ଅଞ୍ଚଳର କ୍ଷତିଗ୍ରସ୍ତଙ୍କୁ  ସୁରକ୍ଷିତ ସ୍ଥାନରେ ରହିବା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରିଛନ୍ତି । କିନ୍ତୁ ତାହା କେଉଁଠି ଠିକ୍ ଭାବରେ କାର୍ଯ୍ୟ ହୋଇଛି ତ ଆଉ କେଉଁଠି  ନିମ୍ନ ମାନର କାର୍ଯ୍ୟ କରି ରାଜକୋଷରୁ ଅର୍ଥ ନେଇ ଠିକାଦାର ଚମ୍ପଟ୍ ମାରିଛି ।

ଆଠଗଡ଼ ବ୍ଲକ୍ ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତ ଅଧୀନ ପାଟଲିଙ୍ଗା, ସିଳାପାଟ, ବିରିଜୀଙ୍ଗା ଗାଁର ପାଖାପାଖି ଏକ ହଜାରରୁ ଅଧିକ ଲୋକ ବସବାସ କରନ୍ତି । ଏହି ଗ୍ରାମ ଗୁଡ଼ିକ ବନ୍ୟା ଓ ବାତ୍ୟା ସମୟରେ ଅଧିକରୁ ଅଧିକ ପ୍ରଭାବିତ ହେଉଥିବାରୁ ସରକାରଙ୍କ ପକ୍ଷରୁ ପାଟଲିଙ୍ଗା ଗାଁର ସ୍କୁଲ ପରିସରରେ ଏକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରିଥିଲେ । କିନ୍ତୁ ନିର୍ମାଣର ମାତ୍ର କୋଡ଼ିଏ ବର୍ଷ ମଧ୍ୟରେ ଏହି  ବାତ୍ୟା ଆଶ୍ରୟସ୍ଥଳୀ ଏବେ ସ୍ଥାନୀୟ ବାସିନ୍ଦା ମାନଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି । ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଏହି ଆଶ୍ରୟସ୍ଥଳୀର କାନ୍ଥ ବାଡ଼ରୁ ସିମେଣ୍ଟ ଖସୁଥିବା ବେଳେ ଲୁହାଛଡ଼ ଦେଖା ଯାଉଛି । କବାଟ ଝରକା ଅବସ୍ଥା ନକହିବା ଭଲ । ଖାଲି ସେତିକି ନୁହେଁ ସନ୍ଧ୍ୟା ହେଲେ ଅସାମାଜିକ ଯୁବକଙ୍କ ଏହା ଆଡାସ୍ଥଳୀ ପାଲଟୁ ଥିବା ଅଭିଯୋଗ ହେଉଛି ।

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ବାତ୍ୟା ଆଶ୍ରୟ ସ୍ଥଳୀ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ଅତି ନିମ୍ନ ମାନର କାର୍ଯ୍ୟ କରି ଠିକାଦାର ଚମ୍ପଟ୍ ମାରିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଗ୍ରାମବାସୀ ମାନଙ୍କ ଆର୍ଥିକ ସହାୟତାରେ ବିପଦପୂର୍ଣ୍ଣ ପିଲରକୁ ଇଟା ଦ୍ଵାରା ମରାମତି କରାଯାଇଛି । ତେବେ କେତେବେଳେ ଅଘଟଣ ଘଟିବ ତାହା କହିହେବ ନାହିଁ ।  ଏନେଇ ଆଠଗଡ଼ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରଯାଇଥିଲା ।, ଖୁବ୍ ଶୀଘ୍ର ଏହାର ତଦନ୍ତ କରାଯିବ । କାର୍ଯ୍ୟରେ ଚଞ୍ଚକତା କରିଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.