ସପ୍ତମ ନମ୍ବରରେ ବ୍ୟାଟିଂ କରିବା ଦଳକୁ ନେତୃତ୍ଵ ନେବା କୁହାଯିବ ନାହିଁ, ଧୋନୀଙ୍କ ଉପରେ ବର୍ଷିଲେ ଗମ୍ଭୀର

Published By : Prameya-News7 Bureau | September 23, 2020 IST

ନୂଆଦିଲ୍ଲୀ ୨୩।୦୯: ଭାରତର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ଗୌତମ ଗମ୍ଭୀର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସପ୍ତମ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଧୋନୀଙ୍କୁ ବିଶାଳ ଲକ୍ଷ୍ୟର ପିଛା କରିବା ସମୟରେ ବ୍ୟାଟିଂ କ୍ରମରେ ନିମ୍ନ କ୍ରମରେ ଆସିବା ପରିବର୍ତ୍ତେ ଉପର କ୍ରମରେ ଆସି ଦଳର ନେତୃତ୍ଵ ନେବା ଦରକାର। ଗମ୍ଭୀର କହିଛନ୍ତି କୌଣସି ଅଧିନାୟକ ଏମିତି କଲେ ତାଙ୍କୁ ସମାଲୋଚନା କରାଯାଏ କାରଣ ସେ ଧୋଣୀ ତେଣୁ ତାଙ୍କ ବିଷୟରେ କେହି ଆଲୋଚନା କରୁ ନାହାନ୍ତି।

ଧୋନୀ ନିଜ ପୂର୍ବରୁ ସାମ କରନ, ଋତୁରାଜ ଗାଏକୋଓ୍ଵାଡ ଓ କେଦାର ଯାଦବଙ୍କୁ ଉପର କ୍ରମରେ ବ୍ୟାଟିଂ ପାଇଁ ପଠାଇଥିଲେ। ଗମ୍ଭୀର ଇଏସପିଏନ କ୍ରିକ୍‌ଇନଫୋ ଟି-୨୦ ଟାଇମ୍‌ ଆଉଟ୍‌ରେ କହିଛନ୍ତି, ଧୋନୀଙ୍କ ଏହି ନିଷ୍ପତ୍ତି ଦେଖି ମୁଁ ଆଚମ୍ବିତ। ଏମଏସ ଧୋନୀ ୭ ନମ୍ବରରେ ବ୍ୟାଟିଂ କରି ଆସିବାର କୌଣସି ଯଥାର୍ଥତା ନାହିଁ। ଋତୁରାଜ ଗାଏକୋଓ୍ଵାଡ ଓ ସାମ କରନ ତାଙ୍କ ପୂର୍ବରୁ ବ୍ୟାଟିଂ କରିବାର ଅର୍ଥ କଣ। ଆପଣ ଅଧିନାୟକ ଭାବେ ବିଶାଳ ଲକ୍ଷ୍ୟର ପିଛା କରିବା ବେଳେ ଉପର କ୍ରମରେ ବ୍ୟାଟିଂ କରିବାକୁ ଆସି ଦଳର ନେତୃତ୍ଵ ନେବା ଦରକାର।

ସେ କହିଛନ୍ତି ଧୋନୀ ଗତ ମ୍ୟାଚ୍‌ରେ ଯାହା କରିଛନ୍ତି ତାହାକୁ ଦଳର ନେତୃତ୍ଵ ନେବା କୁହାଯାଏ ନାହିଁ। ୨୧୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିବା ବେଳେ ଧୋନୀ ସପ୍ତମରେ ବ୍ୟାଟିଂ କରିବାକୁ ଆସିବାରୁ ଫାଫ ଡୁପ୍ଲେସିସ୍‌ ଏକାକୀ ପଡି ଯାଇଥିଲେ।

ସେ କହିଛନ୍ତି ଯଦି ଏମିତି ନିଷ୍ପତ୍ତି ଆଉ କୌଣସି ଅଧିନାୟକ ନେଇଥାନ୍ତେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥାନ୍ତା। କାରଣ ସେ ଧୋନୀ, ତେଣୁ ଏହି ବିଷୟରେ କେହି କିଛି କହୁ ନାହାନ୍ତି। ଭାରତ ପାଇଁ ୨୦୦୩ରୁ ୨୦୧୬ ମଧ୍ୟରେ ୫୮ଟି ଟେଷ୍ଟ ଓ ୧୪୭ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ଗମ୍ଭୀର କହିଛନ୍ତି, ଶୀଘ୍ର ଆଉଟ୍ ହେବା କିଛି ଖରାପ ନୁହେଁ ମାତ୍ର ଅତି କମରେ ଦଳକୁ ତ ପ୍ରେରିତ କରିବା ଉଚିତ୍। ଶେଷ ଓଭରରେ ଆପଣ ୩ ବଲରେ ୩ ଛକା ମାରିଲେ। ଯଦି ଆଗରୁ ବ୍ୟାଟିଂ କରିଥାନ୍ତେ ତେବେ ପରିଣାମ ଅଲଗା ହୋଇଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.