ଉତ୍ତରପ୍ରଦେଶରେ ପୁଣି ଏକ ମାରାତ୍ମକ ଭାଇରସର ଭୟ : କାହିଁକି ହଠାତ୍ ମରିଗଲେ ୩୦୦ରୁ ଅଧିକ ବାଦୁଡ଼ି?
26/05/2020 at 7:01 PM

ଗୋରଖପୁର ୨୬/୫: ଉତ୍ତରପ୍ରଦେଶର ଗୋରଖପୁରରେ ଆଜି ଏକ ବିଚିତ୍ର ଘଟଣା ଘଟିଛି। ଏଠାରେ ରହସ୍ୟମୟ ଭାବେ ଏକ ବଗିଚାରେ ୩୦୦ରୁ ଅଧିକ ବାଦୁଡ଼ି ମୃତ ଅବସ୍ଥାରେ ପଡ଼ିଥିବା ଦେଖାଯାଇଛି। କେତେକ ତଳେ ପଡ଼ି ଛଟପଟ ହେଉଥିଲେ ତ କେତେକ ଆଖି ସାମନାରେ ତଳେ ପଡ଼ୁଥିଲେ। ଫଳରେ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ପୋଲିସ୍ ଏବଂ ପ୍ରଶାସନକୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ପୋଲିସ୍ ଏବଂ ବନ ବିଭାଗ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।
ଘଟଣାଟି ଘଟିଛି ଖଜନୀ ରେଞ୍ଜର ବେଲଘାଟ ଗାଁର। କୁହାଯାଉଛି ଯେ ଏଠାରେ ଧ୍ରୃବ ନାରାୟଣ ଶାହୀଙ୍କ ଆମ୍ବ ବଗିଚାରେ କିଛି ଲୋକଙ୍କୁ ତଳେ ମାଟିରେ କିଛି କଳା ରଙ୍ଗର ଜିନିଷ ପଡ଼ିଥିବାର ଦେଖାଯାଇଥିଲା। ପାଖରେ ଯାଇ ଦେଖିବାରୁ ଦୂର-ଦୂର ପର୍ଯ୍ୟନ୍ତ ଲୋକେ ଦେଖିଥିଲେ ଯେ ବାଦୁଡ଼ିର ଶବ ପଡ଼ିଛି। କେତେକ ବାଦୁଡ଼ି ତାଙ୍କ ଆଖି ସାମନାରେ ପଡ଼ୁଥିଲେ ଏବଂ କେତେକ ତଳେ ପଡ଼ି ଛଟପଟ ହେଉଥିଲେ।
ଲୋକେ ବନ ବିଭାଗ ଏବଂ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ଘଟଣାସ୍ଥଳରେ ବହୁତ ଲୋକ ଜମା ହୋଇଯାଇଥିଲେ। ଲୋକେ କହିଥିଲେ ଯେ କେତେକ ବାଦୁଡ଼ି ଏତେ ବଡ଼ ଥିଲେ ଯେ ସେମାନେ କେବେ ଏତେ ବଡ଼ ବାଦୁଡ଼ି ଦେଖିନଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଲୋକଙ୍କୁ ହଟିବାକୁ କହିଥିଲା।
ଏଠାରେ ବାଦୁଡ଼ିଙ୍କ ମୃତ୍ୟୁ ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କେତେକ ଲୋକେ ଘରୁ ଆଉ ବାହାରୁ ନାହାନ୍ତି। ଲୋକେ କହିଛନ୍ତି ଯେ ତାଙ୍କୁ ଡର ରହିଛି କୌଣସି ଭାଇରସ କାରଣରୁ ବାଦୁଡ଼ିଙ୍କ ମୃତ୍ୟୁ ହୋଇଛି।
ବାଦୁଡ଼ିଙ୍କ ଶବ ପୋଷ୍ଟମର୍ଟମକୁ ପଠାଯାଇଛି। ସେଗୁଡ଼ିକର ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏପରି ସନ୍ଦେହ କରାଯାଉଛି ଯେ ପ୍ରଚଣ୍ଡ ଖରା ଏବଂ ଗ୍ରୀଷ୍ମତାପ ଯୋଗୁଁ ବାଦୁଡ଼ିଙ୍କ ମୃତ୍ୟୁ ହୋଇଛି। ପାଣି ନମିଳିବା କାରଣରୁ ମଧ୍ୟ ବାଦୁଡ଼ିଗୁଡ଼ିକ ମୃତ୍ୟୁବରଣ କରିଥାଇପାରନ୍ତି ବୋଲି କୁହାଯାଉଛି। କିନ୍ତୁ ଯାଞ୍ଚ ପରେ ମୃତ୍ୟୁର ଅସଲି କାରଣ ଜଣା ପଡ଼ିବ।