ବାଦୁଡି ଦେହରେ କରୋନା ଭୂତାଣୁ ଅଛି, ହେଲେ ମଣିଷକୁ ସଂକ୍ରମିତ ହେବନି: ICMR

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ ୧୫।୪:  ବାଦୁଡିଠାରୁ ମଣିଷକୁ କରୋନା ଭୂତାଣୁ ସଂକ୍ରମଣ ସମ୍ଭବ ନୁହେଁ। ବାଦୁଡି ଦହରେ ବି କରୋନା ଭୂତାଣୁ ମିଳିଛି, ହେଲେ ତାହା ମଣିଷକୁ ସଂକ୍ରମିତ କରିପାରିବ ନାହିଁ।  ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ଡା.ଆର.ଗଙ୍ଗାଖେଡକର ବୁଧବାର ଏହା ସ୍ପଷ୍ଟ କରିଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡା.ଗଙ୍ଗାଖେଡକର ଏପରି ସଂକ୍ରମଣକୁ ବିରଳ ଘଟଣା ଓ ହୁଏତ ଏକ ହଜାର ବର୍ଷରେ କେବେ ଥରେ ହୋଇପାରେ ବୋଲି କହିଛନ୍ତି। ଚୀନ ଗବେଷକ ବାଦୁଡି ଠାରୁ ମଣିଷକୁ ଭୂତାଣୁ ବ୍ୟାପିଥିବାର ଦାବି କରୁଛନ୍ତି। 

ସେମାନେ ଏହି ଭୂତାଣୁ ପ୍ରଥମେ ବାଦୁଡି ଓ ପରେ ବଜ୍ରକାପ୍ତାକୁ ସଂକ୍ରମିତ ହୋଇଥିବା ବେଳେ ମଣିଷ ଦେହରେ ସଂକ୍ରମିତ ହୋଇଥିବାର  ଦାବିକରିଥିଲେ। ତେବେ ଆମେ ମଧ୍ୟ ଏସନ୍ଦର୍ଭରେ ଗବେଷଣା କରିଛୁ ଓ ବାଦୁଡି ଦେହରୁ ମଧ୍ୟ କରୋନା ଭୂତାଣୁ ମିଳିଛି ବୋଲି ଡା.ଗଙ୍ଗାଖେଡକର କହିଛନ୍ତି। ତେବେ ବାଦୁଡି ଦେହରୁ ମିଳିଥିବା କରୋନା ଭୂତାଣୁ ମଣିଷକୁ ସଂକ୍ରମିତ କରିପାରିବ ନାହିଁ ବୋଲି ସେ କହିଛନ୍ତି।

ଆମ ଦେଶରେ ସାଧାରଣତଃ ୨ ପ୍ରକାର ବାଦୁଡି ମିଳନ୍ତି ଓ ସେମାନଙ୍କୁ ନେଇ କରୋନା ଗବେଷଣା ହୋଇଥିବା ବେଳେ ଏମାନଙ୍କ ଭୂତାଣୁରୁ ମଣିଷ ସଂକ୍ରମିତ ହେବାର ସମ୍ଭାବନା ଆଦୌ ନାହିଁ ବୋଲି କହିଛନ୍ତି ଡା.ଆର.ଗଙ୍ଗାଖେଡକର। ଯଦି ଚୀନ ଏପରି କହୁଛି ତେବେ ହୁଏତ ଏହା ୧୦୦୦ ବର୍ଷେ ପରେ ଥରେ ସମ୍ଭବ ହୋଇଥାଇପାରେ ବୋଲି ସେ କହିଛନ୍ତି। ତେବେ ଦେଶରେ କରୋନା ମୁକାବିଲା ଲାଗି ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇ ଦେଶର ଜିଲ୍ଲାମାନଙ୍କୁ ୩ଟି ଶ୍ରେଣୀରେ ବର୍ଗିକୃତ କରାଯିବ ବୋଲି କହିଛନ୍ତି।

ଯୁଗ୍ମ ସଚିବଙ୍କ ଅନୁସାରେ ଏଥିରେ ‘ହଟସ୍ପଟ୍ ଜିଲ୍ଲା’, ‘ଅଣ ହଟସ୍ପଟ୍ ଜିଲ୍ଲା’ ଓ ‘ଗ୍ରୀନ ଜିଲ୍ଲା’ ୩ଟି ଭାଗରେ ଦେଶର ସଂକ୍ରମିତ ଅଞ୍ଚଳକୁ ଚିହ୍ନଟ କରାଯିବ। ଏ ନେଇ ଭିଡିଓ କନଫରେନସିଂରେ ସମସ୍ତ ରାଜ୍ୟଙ୍କ ମୁଖ୍ୟଶାସନ ସଚିବ, ଡିଜିପି, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ଏସପି, ନଗରପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଙ୍କ ସହ ଆଲୋଚନା ହୋଇଛି। ଏ ନେଇ ଗାଇଡଲାଇନ ଜାରି କରାଯାଇଥିବା ବେଳେ ହଟସ୍ପଟ୍‌ କ୍ଷେତ୍ରକୁ ଘରକୁ ଘର ବୁଲି ସର୍ଭେ କରାଯିବ ବୋଲି ଯୁଗ୍ମ ଶାସନ ସଚିବ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.