ଗିରଫ ବାରିପଦା ବିଧାୟକଙ୍କୁ ମିଳିଲା ଜାମିନ, ଯନ୍ତ୍ରୀଙ୍କୁ ଡକାଇ ମାଡ ମାରିଥିଲେ

Published By : Prameya-News7 Bureau | September 04, 2020 IST

ବାରିପଦା ୦୪/୦୯ : ସହକାରୀ ଯନ୍ତ୍ରୀଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହେଲେ ବାରିପଦା ବିଧାୟକ ପ୍ରକାଶ ସୋରେନ। ବାରିପଦା ଟାଉନ ପୋଲିସ ବିଧାୟକଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି। ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବିଧାୟକ ମାଡ ମାରିବା ଅପରାଧରେ ପୋଲିସ ତାଙ୍କ ବିରୋଧରେ ୨୯୪, ୩୪୧, ୩୨୩, ୫୦୬ ଦଫା ଲଗାଇଛି। ତେବେ ଗିରଫ ବିଧାୟକଙ୍କୁ କୋର୍ଟରେ ଜାମିନ ମିଳି ଯାଇଛି।

ସୂଚନା ଅନୁଯାୟୀ , ଯନ୍ତ୍ରୀଙ୍କ ଅଭିଯୋଗକୁ ଭିତ୍ତିକରି ବାରିପଦା ଟାଉନ ପୋଲିସ ବିଧାୟକଙ୍କୁ ଅପରାହ୍ନରେ ଗିରଫ କରିଥିଲା। କିଛି ସମୟ ପଚରାଉଚୁରା ପରେ କୋର୍ଟ ଚାଲାଣ କରିଥିଲା। ପୋଲିସ ବିଧାୟକଙ୍କ ବିରୋଧରେ ୨୯୪, ୩୪୧, ୩୨୩, ୫୦୬ ଦଫା ଲଗାଇଥିଲା। ହେଲେ ଏସଡିଜେଏମ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଣେ ଜାମିନଦାର ଓ ୩୦ ହଜାର ମୁଚଲିକାରେ ଅଦାଲତ ବିଧାୟକଙ୍କ ଜାମିନକୁ ମଞ୍ଜୁରୀ ଦେଇଛନ୍ତି।

ଉଲ୍ଲେଖନୀୟ ବାରିପଦା ବିଧାୟକ ପ୍ରକାଶ ସୋରେନ ଏବଂ ତାଙ୍କର ୩ଜଣ ସମର୍ଥକଙ୍କ ଦ୍ବାରା ମାଡ ମରାଯାଇଥିବା ଅଭିଯୋଗ ଆଣିଥିଲେ ବାରିପଦା ଆଇ.ଟି.ଡି.ଏ. ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନା। ବାରିପଦା ବିଧାୟକ ପ୍ରକାଶ ସୋରେନ ଗୁରୁବାର ସକାଳୁ ଫୋନ କରି ଯନ୍ତ୍ରୀ ଗଣପତି ଜେନାଙ୍କୁ ଡକାଇଥିଲେ। ହେଲେ ଯନ୍ତ୍ରୀ ଜେନା ଫିଲ୍ଡ କାର୍ଯ୍ୟରେ ଥିବା ଯୋଗୁଁ ବିଧାୟକଙ୍କୁ ଦିନ ବେଳେ ଦେଖା କରିପାରିନଥିଲେ। ସନ୍ଧ୍ୟାରେ ଗଣପତି ଜେନା କାର୍ଯ୍ୟରୁ ଫେରିବା ପରେ ବିଧାୟକଙ୍କୁ ଦେଖା କରିବାକୁ ବାରିପଦା ସର୍କିଟ ହାଉସକୁ ଆସିଥିଲେ । ସେଠାରେ ବିଧାୟକ ତାଙ୍କ ସମର୍ଥକଙ୍କୁ କଣ ପାଇଁ କାମ ମିଳୁନାହିଁ ବୋଲି ପଚାରିବା ସହ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ।

ଯେତେ କାକୁତି ମିନତୀ ହେଲେ ମଧ୍ୟ ସେଠାରେ ଉପସ୍ଥିତ ଥିବା ବିଧାୟକଙ୍କ ଏବଂ ଅନ୍ୟ ତିନି ସମର୍ଥକ ସହ ଯନ୍ତ୍ରୀ ଜେନାଙ୍କୁ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ଗଣପତି ଜେନା । ରାତି ୮.୩୦ ମିନିଟ ପାଖାପାଖି ସେଠାରୁ ତାଙ୍କୁ ଛାଡିଦେବା ପରେ ସେ ତାଙ୍କ ବାସଭବନକୁ ଯାଇଥିଲେ ହେଲେ କିଛି ସମୟ ପରେ ଅସୁସ୍ଥ ଅନୁଭବ କରିବାରୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ତାଙ୍କ ଗୋଡ ଏବଂ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରୁଥିବା ପ୍ରକାଶ କରିଛନ୍ତି ଯନ୍ତ୍ରୀ ଗଣପତି ଜେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.