Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାପା, ଭାଇ ଓ ବିଜେପି ନେତା ଓ୍ଵାସିମ ବାରିଙ୍କ ହତ୍ୟାର ପ୍ରତିଶୋଧ ନେଲେ ଯବାନ, ଏନକାଉଣ୍ଟରରେ ଲସ୍କର ଇ ତୋଇବାର କମାଣ୍ଡର ନିହତ

18/08/2020 at 9:49 PM

ଶ୍ରୀନଗର ୧୮।୦୮: ଜାମ୍ମୁ-କାଶ୍ମୀରର ବାରାମୂଲାରେ ସୁରକ୍ଷାବଳର ଯବାନ ଭାରତୀୟ ଜନତା ପାର୍ଟି(ବିଜେପି)ର ନେତା ଓ୍ଵାସିମ ବାରିଙ୍କ ହତ୍ୟାର ପ୍ରତିଶୋଧ ନେଇଛନ୍ତି। ସୁରକ୍ଷାବଳ ବାରାମୂଲା ଏନକାଉଣ୍ଟରରେ ଲସ୍କର ଏ ତୋଇବାର କମାଣ୍ଡର ଉସ୍ମାନ ଭାଇକୁ ହତ୍ୟା କରିଛନ୍ତି। ଉସ୍ମାନ ଭାଇ ଓ୍ଵାସିମ ବାରି, ତାଙ୍କ ବାପା ଏବଂ ଭାଇଙ୍କ ହତ୍ୟାରେ ସାମିଲ ଥିଲା।

ଆଇଜି କାଶ୍ମୀର ରେଞ୍ଜ ବିଜୟ କୁମାର କହିଛନ୍ତି ଆତଙ୍କବାଦୀ ଉସ୍ମାନ ବିଜେପି ନେତା ଓ୍ଵାସିମ ବାରି, ତାଙ୍କ ଭାଇ ଓ ବାପାଙ୍କ ହତ୍ୟା କରିଥିଲା। ଆତଙ୍କବାଦୀ ନିହତ ହେବା ପୋଲିସ ଓ ସୁରକ୍ଷାବଳ ପାଇଁ ବଡ ଉପଲବ୍ଧି। ଉଲ୍ଲେଖନୀୟ ଗତ ମାସ ୮ ତାରିଖରେ ଜାମ୍ମୁ-କାଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀ ବିଜେପି ପ୍ରଦେଶ କାର୍ଯ୍ୟକାରିଣୀର ସଦସ୍ୟ ଓ୍ଵାସିମ ବାରିଙ୍କ ହତ୍ୟା କରିଥିଲେ। ଏହା ସହିତ ତାଙ୍କ ଭାଇ ଓ ବାପାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଥିଲେ।

ଆଜି ବାରାମୂଲାର କ୍ରେଇରି ଅଞ୍ଚଳରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ୩୬ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା। ଏଥିରେ ସୁରକ୍ଷାବଳ ଗୁଳିରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ଓ୍ଵାସିମ ବାରିଙ୍କ ହତ୍ୟାକାରୀ ଆତଙ୍କବାଦୀ ଉସ୍ମାନ ଭାଇର ମୃତ୍ୟୁ ଘଟିଛି। ସେ ଗତ ଅନେକ ବର୍ଷରୁ ଆତଙ୍କବାଦୀ ଗତିବିଧି ଏବଂ ଉତ୍ତର କାଶ୍ମୀରରେ ସକ୍ରିୟ ଥିଲା।

ଏହା ପୂର୍ବରୁ କ୍ରେଇରି ଅଞ୍ଚଳରେ ସୋମବାର ରାତିରେ ସୁରକ୍ଷାବଳ ଆତଙ୍କବାଦୀଙ୍କ ବିରୋଧରେ ନିଜର ଅଭିଯାନ ବନ୍ଦ କରିଥିଲେ, ହେଲେ ମଙ୍ଗଳବାର ସକାଳେ ପୁଣି ଥରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଭୀଷଣ ଗୁଳିମାଡ ହୋଇଥିଲା। ଏହି ଗୁଳିବିନିମୟରେ ଯବାନଙ୍କ ଗୁଳିରେ ତିନି ଆତଙ୍କବାଦୀ ଟଳି ପଡିଛନ୍ତି।

   Related Posts