ବାରାମୂଲା ଆତଙ୍କୀ ହମଲାର ଦେଢ ଘଣ୍ଟା ଭିତରେ ପ୍ରତିଶୋଧ ନେଲେ ଯବାନ, ଟଳିଲେ ୩ ଆତଙ୍କୀ

Published By : Prameya-News7 Bureau | August 17, 2020 IST

ଶ୍ରୀନଗର ୧୭।୦୮: ଜାମ୍ମୁ-କାଶ୍ମୀରର ବାରାମୂଲାରେ ସିଆରପିଏଫର ନାକା ପାର୍ଟି ଉପରେ ସୋମବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିଜ ସାଥୀଙ୍କ ପ୍ରତିଶୋଧ ନେଇଛନ୍ତି ଭାରତୀୟ ସେନା। ସିଆରପିଏଫର ନାକା ଟିମ୍ ଉପରେ ଆକ୍ରମଣର ଦେଢ ଘଣ୍ଟା ଭିତରେ ହିଁ ସୁରକ୍ଷାବଳ ଅଞ୍ଚଳରେ ଛପିଥିବା ତିନି ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ମୃତକ ସମସ୍ତ ଆତଙ୍କୀ ଲସ୍କର ଏ ତୋଇବାର ସହ ସଂଶ୍ଳିଷ୍ଟ।

ସୂଚନା ଅନୁଯାୟୀ ଭାରତୀୟ ସୁରକ୍ଷାବଳକୁ ଏହାର ଗୁଇନ୍ଦା ସୂଚନା ମିଳିଥିଲା ଯେ ଆତଙ୍କବାଦୀ ଆକ୍ରମଣ ଘଟାଇବା ପରେ ଇଲାକାରେ ହିଁ ଛପି ରହିଛନ୍ତି। ଭାରତୀୟ ସୁରକ୍ଷାବଳର ଯବାନ ତୁରନ୍ତ ଇଲାକାକୁ ଘେରାବନ୍ଦୀ କରି ତଲାସି ଅଭିଯାନ ଆରମ୍ଭ କରିଥିଲେ। ତଲାସି ସମୟରେ ଆତଙ୍କବାଦୀ ଏକ ଘରୁ ଯବାନଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ତିନି ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରର ବାରାମୂଲାରେ ସୋମବାର  ପୂର୍ବାହ୍ନ ପ୍ରାୟ ୧୧ଟାରେ ସିଆରପିଏଫର ନାକା ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଆତଙ୍କବାଦୀ ବାରାମୂଲା ଜିଲ୍ଲାର କ୍ରେରି ଅଞ୍ଚଳରେ ଏହି ଘଟଣା ଘଟାଇଥିଲେ। ଆକ୍ରମଣରେ ପୋଲିସର ଜଣେ ଅଫିସର ଓ ସିଆରପିଏଫର ଦୁଇ ଯବାନ ସହିଦ ହୋଇଛନ୍ତି। ଆହତ ସୈନିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି  କରାଯାଇଥିଲା, ହେଲେ ଚିକିତ୍ସାଧୀନ ସମୟରେ ଯବାନ ଆଖିବୁଜି ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.