ଜୋର୍ ଧରିଲା ସିଟି ହସ୍ପିଟାଲ ଦାବି, ଆଜି ମଧ୍ୟ ବନ୍ଦ ରହିଛି ବରଗଡ
4/02/2020 at 7:13 AM

ବରଗଡ ୪।୨: ବରଗଡ଼ରେ ଜୋର୍ ଧରିଲା ସିଟି ହସ୍ପିଟାଲ ଦାବି । କାଲି ଭଳି ଆଜି ମଧ୍ୟ ବରଗଡ ବନ୍ଦ ରହିଛି । ଗତ ଜାନୁଆରୀ ୨୧ରେ ବରଗଡ଼ ଭଟଲି ବ୍ଲକର ଟୁକୁର୍ଲା ଖେଦାପାଲିକୁ ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର ପରେ ପୁରୁଣା ଡାକ୍ତରଖାନାକୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଘୋଷଣା କରିଥିଲେ ସରକାର । ତେବେ ସ୍ଥାନୀୟ ଲୋକେ କିନ୍ତୁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ମାନିବାକୁ ନାରାଜ୍ ।

ସେମାନେ ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରିବା ଦାବିରେ ଗତ କିଛିଦିନ ହେବ ଆନ୍ଦୋଳନ କରୁଥିଲେ । ହେଲେ କାଲି ଏହା ଉଗ୍ରରୂପ ନେଇଥିଲା । ଲୋକେ ପୁରୁଣା ଡାକ୍ତରଖାନା ସାମ୍ନାରେ ଧାରଣାରେ ବସି ରାସ୍ତାରୋକ କରିବା ସହ ବରଗଡ଼ ପୌରାଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ ।

ସେହିଭଳି ଆଜି ମଧ୍ୟ ସମାନ ଦାବିରେ “ବରଗଡ ଏକତା ମଞ୍ଚ” ପକ୍ଷରୁ ବରଗଡ ବନ୍ଦ ଡାକରା ଦିଆଯାଇଛି । ଆଜି ସମସ୍ତ ଅଫିସ, ବ୍ୟାଙ୍କ, ଦୋକାନ ବଜାର, ସ୍କୁଲ, କଲେଜ ତଥା ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ସଂସ୍ଥା ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଛାତ୍ରଛାତ୍ରୀଙ୍କ ପରୀକ୍ଷା ଇତ୍ୟାଦିକୁ ଏହି ବନ୍ଦରୁ ବାଦ ଦିଆଯାଇଛି ।