ମଙ୍ଗଳବାର ହୋଇଥାନ୍ତା ମଙ୍ଗନ, ହସ ଖୁସିରେ ବିବାହ ସାମଗ୍ରୀ କିଣି ଫେରୁଥିଲା ବର, କାର୍ ଧକ୍କାରେ ଚାଲିଗଲା ଜୀବନ

Published By : Prameya-News7 Bureau | May 18, 2021 IST

ବାଲିଆପାଳ,୧୮/୦୫: ଏମିତି ବି ଆସେ ମୃତ୍ୟୁ । ରାତି ପାହିଲେ ମଙ୍ଗନ ହୋଇଥାନ୍ତା । ୧୯ ତାରିଖରେ ଥିଲା ବାହାଘର । ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିଲା । କମ୍ପାନି ମ୍ୟାନେଜର ଥିବା ପୁଅର ବାହାଘର ପାଇଁ ପରିବାର କଟକଣା କୋହଳକୁ ଅପେକ୍ଷା କରିଥିଲେ । ଶେଷରେ କଟକଣା ଭିତରେ ଆସନ୍ତା ୧୯ ତାରିଖ ବାହାଘର ହେବାର ନିଷ୍ପତ୍ତି ହୋଇଥିଲା । ସୋମବାର ବର ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ବାଲେଶ୍ୱର ଯାଇଥିଲେ । ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ତାଙ୍କ ଜୀବନ । ପୁଅର ମୃତଦେହ ଘରକୁ ଫେରିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ବାଲିଆପାଳ ଥାନା ଖଗଡ଼ାପାଳ ଗ୍ରାମରେ ।

ମୃତ ଯୁବକ ହେଲେ ବାଲିଆପାଳ ଥାନା ଖଗଡ଼ାପାଳ ଗ୍ରାମର ଅଶୋକ କୁମାର ଦାସଙ୍କ ମଧ୍ୟମ ପୁତ୍ର ତପନ । ସୋମବାର ବାହାଘର ରିସେପ୍ସନରେ ବନ୍ଧୁବାନ୍ଧବଙ୍କ ପାଇଁ ମାସ୍କ, ଟୋପି କିଣିବା ସାଙ୍ଗକୁ ପାର୍ଲରକୁ ଯାଇ ଫେରିବା ପାଇଁ ତାଙ୍କର ସାଙ୍ଗ ରେମୁ ଗ୍ରାମର ସୁବ୍ରତ ଦାସଙ୍କ ସହ ଏକ ବାଇକ୍‌ରେ ବାଲେଶ୍ୱର ଯାଇଥିଲେ ତପନ । ବାଲେଶ୍ୱରରୁ କାମ ସାରି ସୁବ୍ରତ ବାଇକ୍‌ ଚଳାଇ ଘରକୁ ଫେରୁଥିଲେ । ତପନ ପଛରେ ବସିଥିଲେ । ନିଧପଣ୍ଡା ଛକ ନିକଟରେ ଏକ କାର ହଠାତ୍‌ ତାଙ୍କ ଗାଡ଼ି ଆଗରେ ବୁଲାଇ ଦେବାରୁ ବାଇକ୍‌ଟି କାରରେ ବାଡ଼େଇ ହୋଇଯାଇଥିଲା । ଘଟଣାସ୍ଥଳର ଉଭୟ ଛିଟିକି ପଡ଼ିଥିଲେ । ସୁବ୍ରତଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ତପନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ନାକ ଦେଇ ରକ୍ତସ୍ରାବ ହୋଇଥିଲା । ଘଟଣାସ୍ଥଳରେ ତପନଙ୍କ ମୃତ୍ୟୁ ହୋଇଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.