ବାପାକୁ ହାଣି ଦେଲା ପୁଅ, ଚଉଠି ପୂର୍ବରୁ ଗଲା ଜେଲ୍‌

Published By : Prameya-News7 Bureau | July 09, 2020 IST

କେନ୍ଦୁଝର୯/୭: ପୁଅର ଚତୁର୍ଥୀ ଦିନ କୋଦାଳ ଚୋଟରେ ବାପାର ହତ୍ୟା। ଆଉ କେହି ନୁହେଁ ଜନ୍ମିତ ପୁଅ ହିଁ ନିଜ ବାପାଙ୍କୁ ହତ୍ୟା କରିଛି। ଚତୁର୍ଥୀ ପାଇଁ ଘର ଦୁଆରେ ସାଜସଜା ଚାଲିଥିଲା। କିଛି ଘଣ୍ଟା ପରେ ପୁଅର ଚତୁର୍ଥୀ ହୋଇଥାନ୍ତା, ହେଲେ ବାପାଙ୍କୁ ହତ୍ୟା କରି ଜେଲ୍‌ ଗଲେ ଅଭିଯୁକ୍ତ ପୁଅ। କେନ୍ଦୁଝର ଜିଲ୍ଲା ବାରିଆ ଥାନା ପୋଡାସିମିଳା ଗାଁ କୁଦୁରୁ ସାହିରେ ଏଭଳି ଦୁଃଖଦ ଘଟଣା ଘଟିଛି।

କୌଣସି କାରଣରୁ ବାପ-ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଅଭିଯୁକ୍ତ ପୁଅ ରାଗରେ କୋଦାଳରେ ପିଟି ପିଟି ବାପାଙ୍କୁ ହତ୍ୟା କରିଥିଲା। ବାପାଙ୍କୁ ହତ୍ୟା କରିବା ପରେ ବାହାଘର ଚତୁର୍ଥୀ ଉତ୍ସବ ପୁରା ଫସର ଫାଟିଗଲା। ବେଦୀରେ କଉଡି ଖେଳ ବଦଳରେ ହାତରେ ପଡିଲା ହାତକଡି। ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ବାରିଆ ଥାନା ପୋଡାସିମିଳା ଗାଁ କୁଦୁରୁ ସାହିର କୁଶ ନାଏକଙ୍କ ପୁଅ ସୁନୀଲ ନାଏକ ଚାରି ଦିନ ତଳେ ବିବାହ କରିଥିଲା।

ଗୁରୁବାର ଅର୍ଥାତ ଆଜି ତାର ଚତୁର୍ଥୀ ଥିଲା। ପାରିବାରିକ କୌଣସି ଏକ କଥାକୁ ନେଇ ବାପ-ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପୁଅ ସୁନୀଲ ରାଗରେ କୋଦାଳରେ ବାପା କୁଶ ନାଏକଙ୍କୁ ପିଟି ପିଟି ହତ୍ୟା କରିଛି। ଘଟଣାସ୍ଥଳରେ ବାରିଆ ଥାନା ପୋଲିସ୍‌ ମୃତଦେହକୁ ଜବତ କରିବା ସହ ପିତୃହନ୍ତା ପୁଅକୁ ଗିରଫ କରିଛି।ମୃତ କୁଶ ନାଏକ ଚାରିଜଣଙ୍କୁ ବିବାହ କରିଛନ୍ତି। ତାଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ପୁଅ ଥିଲା ସୁନୀଲ ନାଏକ। ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.