କେହି ଦେଲେନି କାନ୍ଧ, ଝିଅର ମୃତଦେହକୁ ନିଜେ ବୋହିଲା ବାପା, ପଛେ ପଛେ ଚାଲିଲା ପୁଅ...

Published By : Prameya-News7 Bureau | May 17, 2021 IST

ଜଳନ୍ଧର,୧୭/୦୫: କାନ୍ଧ ଦେଲେନି କେହି । ନିଜେ ନିଜ ଝିଅର ମୃତଦେହ ବୋହିଲା ବାପା । ପଞ୍ଜାବରେ କରୋନା ସଂକ୍ରମଣ ତୀବ୍ର ହୋଇଥିଲାବଳେ ତାହାଯୋଗୁ ଜଣେ ଓଡ଼ିଆ ଶ୍ରମିକ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଏହି ଶ୍ରମିକ ଜଣଙ୍କର ୧୧ ବର୍ଷୀୟ ଝିଅ ପ୍ରାଣ ହରାଇବା ପରେ କରୋନା ଡରରେ ତା’ର ଅନ୍ତିମ ସଂସ୍କାର ପାଇଁ କେହି ବି ସହଯୋଗ କଲେନାହିଁ । ତେଣୁ ଶ୍ରମିକ ଜଣକ ନିଜ କାନ୍ଧରେ ଝିଅର ମୃତଦେହକୁ ପକାଇ ଶ୍ମଶାନକୁ ନେଇଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ଜଳନ୍ଧର ସହରର ଡେପୁଟି କମିସନର ଘନଶ୍ୟାମ ଥୋରି ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ରିପୋର୍ଟ ଅନୁଯାୟୀ, ଉକ୍ତ ଶ୍ରମିକଙ୍କ ନାମ ଦିଲ୍ଲୀପ ବୋଲି ଜଣାପଡିଛି । ତାଙ୍କ ଝିଅ କିଛି ରୋଗରେ ପୀଡ଼ିତ ଥିଲା । ସେ ତା’କୁ ପ୍ରଥମେ ଜଳନ୍ଧର ସହରର ଏକ ହସ୍ପିଟାଲକୁ ନେଇଥିଲେ । ସେଠାକାର ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ପରେ ତା’କୁ ଅମୃତସର ସ୍ଥିତ ଏକ ହସ୍ପିଟାଲକୁ ନେଇଥିଲେ । ସେଠାରେ ଚିକିିତ୍ସିତ ହେଉଥିଲାବଳେ ଚଳିତ ମାସ ୯ ତାରିଖରେ ଝିଅର ମୃତ୍ୟୁ ହୋଇଥିଲା । ସେ ଝିଅର ମୃତଦେହକୁ ନେଇ ଜଳନ୍ଧର ସହରର ରାମ ନଗର ଅଞ୍ଚଳକୁ ଆସିଥିଲେ। କିନ୍ତୁ ତାଙ୍କ ଝିଅର ଅନ୍ତିମ ସଂସ୍କାରରେ ସହଯୋଗ କରିବା ପାଇଁ କୌଣସି ପଡୋଶୀ ରାଜି ହୋଇନଥିଲେ । କାରଣ ସେମାନେ ସନ୍ଦେହ କରୁଥିଲେ ଯେ ଝିଅଟି କରୋନା ଯୋଗୁ ପ୍ରାଣ ହରାଇଛି । ଏହାପରେ ଦିଲ୍ଲୀପ ନିଜ ଝିଅର ମୃତଦେହକୁ କାନ୍ଧରେ ପକାଇ ଶ୍ମଶାନକୁ ନେଇଥିଲେ । ତାଙ୍କ ପୁଅ ପଛେ ପଛେ ଚାଲିଥିଲା।ସେ ଶ୍ମଶାନକୁ ଯାଉଥିଲାବଳେ ସେଇ ମାର୍ଗ ଦେଇ ଯାଉଥିବା ଜଣେ ବ୍ୟକ୍ତି ତାହାର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଅପଲୋଡ୍‌ କରିଥିଲେ । ଏହା ପୂରା ଦେଶରେ ଭାଇରାଲ ହୋଇଥିଲା । ଏହାପରେ ସ୍ଥାନୀୟ ପ୍ରଶାସନ ଏହାର ଯାଂଚ ଆରମ୍ଭ କରିଥିଲା ।

ତଦନ୍ତରୁ ଝିଅଟି କରୋନା ଦ୍ୱାରା ଆକ୍ରାନ୍ତ ହୋଇନଥିବାର ଜଣାପଡିଥିଲା । ସେ କରୋନା ନେଗେଟିଭ୍‌ ଥିବାରୁ ତା’ର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ବୋଲି ପ୍ରଶାସନ କହିଛି । ତେବେ କେଉଁ ପରିସ୍ଥିତିରେ ଦିଲ୍ଲୀପଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗ କରିବାକୁ ପଡିଲା, ସେନେଇ ବିସ୍ତୃତ ଭାବେ ଯାଂଚ କରି ରିପୋର୍ଟ ଦେବାକୁ ଜଳନ୍ଧରର ଡେପୁଟି କମିସନର ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.