Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁଷମାଙ୍କ ଅନ୍ତିମ ଇଚ୍ଛା ପୂରଣ କଲେ ତାଙ୍କ ଝିଅ, ହରିସ ସାଲଭେଙ୍କୁ ଦେଲେ କୁଲଭୂଷଣ ଯାଦବ ମାମଲାର ଫିସ୍, ଜାଣନ୍ତୁ କେତେ

28/09/2019 at 4:19 PM

ନୂଆଦିଲ୍ଲୀ : ପରଲୋକ ଗତ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କ ଅନ୍ତିମ ଇଚ୍ଛାକୁ ତାଙ୍କର ଏକମାତ୍ର କନ୍ୟା ବାଂଶୁରୀ ସ୍ୱରାଜ ଶେଷରେ ପୂରଣ କରିଛନ୍ତି। ସୁଷମା ମୃତ୍ୟୁ ଶଜ୍ୟାରେ ପଡିଥିବା ବେଳେ ତାଙ୍କ ବରିଷ୍ଠ ଓକିଲ ହରିସ ସାଲଭେଙ୍କ ସହ ପାକିସ୍ତାନ ଜେଲରେ ବନ୍ଦୀ କୁଲଭୂଷଣ ଯାଦବ ମାମଲାରେ କଥା ହୋଇଥିଲେ। ଅନ୍ତର୍ଜାତୀୟ କୋର୍ଟରେ ଭାରତର ପ୍ରତିନିଧିତ୍ୱ  ଲାଗି ସାଲଭେଙ୍କୁ ସୁଷମା କିଛି ଫିସ ନେବାକୁ ନିବେଦନ କରିଥିଲେ। ହୁଏତ ଆପଣ ଟଙ୍କାଟିଏ ବି ନିଅନ୍ତୁ କିନ୍ତୁ ଓକିଲ ଫିସ ନେବାକୁ ନିଶ୍ଚିତ ଆସିବେ ବୋଲି ସାଲଭେଙ୍କୁ ସୁଷମା ନିବେଦନ କରିଥିଲେ।

ତେବେ ସୁଷମାଙ୍କ ପରଲୋକ ହୋଇସାରିଥିବାରୁ କୂଲଭୂଷଣ ଯାଦବ ମାମଲାରେ ଆଇସିସିରେ ମୋକଦ୍ଦମା ପରିଚାଳନା ଲାଗି ସାଲଭେଙ୍କୁ ଭେଟି  ତାଙ୍କ ଝିଅ ବାଂଶୁରୀ ୧ ଟଙ୍କା ଫିସ୍ ପ୍ରଦାନ କରିଛନ୍ତି। ସୁଷମାଙ୍କ ସ୍ୱାମୀ ତଥା ମିଜୋରାମର ପୂର୍ବତନ ଗଭର୍ଣ୍ଣର ସ୍ୱରାଜ କୌଶଲ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଯେଉଁଥିରେ ସେ ସାଲଭେଙ୍କୁ ଭେଟି  ବାଂଶୁରୀ ତାଙ୍କ ଫିସ ପ୍ରଦାନ କରୁଥିବାର ଏକ ଫଟୋ ସେୟାର କରିବା ସହ ‘ଆମ ଝିଅ ବାଂଶୁରୀ ସ୍ୱରାଜ ମିଷ୍ଟର ସାଲଭେଙ୍କୁ ଶୁକ୍ରବାର ଭେଟି  ୧ ଟଙ୍କା ଉପହାର ଦେଇଛନ୍ତି ’ ବୋଲି ଉଲ୍ଲେଖ କରିଛନ୍ତି।

ସାଲଭେ ଏକ ଘରୋଇ ନ୍ୟୁଜ୍ ଚାନେଲକୁ ସାକ୍ଷାତକାରରେ ସୁଷମଙ୍କ ଫିସ ସମ୍ପର୍କରେ କହିଥିଲେ। ତାଙ୍କର ଦେହାନ୍ତ ହେବା ପୂର୍ବରୁ ସେ ଟେଲିଫୋନରେ ତାଙ୍କ ସହ କଥା ହୋଇଥିଲେ ଓ ଆପଣ କାହିଁକି ଆସୁ ନାହାନ୍ତି ବୋଲି ପଚାରିଥିଲେ। ମୁଁ ତାଙ୍କୁ ଯିବି ବୋଲି ପ୍ରତିଶ୍ରୁତିଦେଇଥିଲି। ଆସିଲେ ଯାଦବ କେସ୍ ର ଫିସ୍ ନିଶ୍ଚିତ ନେଇଯିବେ ବୋଲି କହିଥିଲେ ସୁଷମା । ଫିସ ବାବଦେ ଆପଣ ଟଙ୍କାଟିଏ ବି ଚାହୁଁନାହାନ୍ତି ହେଲେ ମୁଁ ଆପଣଙ୍କୁ ୧ ଟଙ୍କା ହିଁ ଫିସ୍ ଦେବି ବୋଲି ସୁଷମା କହିଥିଲେ । ସଂଧ୍ୟା ୬ଟା ବେଳେ ତାଙ୍କ ସହ ଭେଟ ହେବାର ଥିଲା ହେଲେ ୧୦ ମିନିଟ୍ ପୂର୍ବରୁ ହୃଦଘାତରେ ତାଙ୍କର ପରଲୋକ ହୋଇଥିବାର ସୂଚନା ପାଇଥିଲି ବୋଲି ସାଲଭେ ଅତ୍ୟନ୍ତ ଦୁଃଖରସହ କହିଥିଲେ।  

   Related Posts