Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ରରେ ଲାଗିଛି ଭକ୍ତଙ୍କ ଭିଡ, ଆଜି ବାଙ୍କଚୁଡା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ ୯।୧୧: କାର୍ତ୍ତିକ ମାସର ପବିତ୍ର ପଞ୍ଚୁକ ପାଇଁ ଏବେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ପଞ୍ଚୁକର ଦ୍ବାଦଶୀ ତିଥିରେ ଆଜି ମହାପ୍ରଭୁ ବାଙ୍କଚୁଡ଼ା ବେଶରେ ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ। ପଞ୍ଚୁକର ବେଶ ଦର୍ଶନରେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ବାସ ଥିବାରୁ ଶ୍ରୀମନ୍ଦିରରେ ଲାଗି ରହିଛି ଭକ୍ତଙ୍କ ଗହଳି। ମହାପ୍ରଭୁଙ୍କର ଆଜିର ଏହି ବେଶ ଓ ନୀତିକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।    

ପରମ୍ପରା ଅନୁଯାୟୀ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତ ମାନେ ଶ୍ରୀଜିଉଙ୍କୁ ବାଙ୍କଚୁଡା ବେଶରେ ସଜ୍ଜିତ କରିଥିଲେ। କିମ୍ବଦନ୍ତୀ ଅନୁଯାୟୀ ଭକ୍ତ ଅକୃର ଶ୍ରୀକୃଷ୍ଣଙ୍କୁ ମଥୁରା ନେବାପାଇଁ ଗୋପପୁରକୁ ଆସି ଏହି ବେଶରେ ଦର୍ଶନ କରିଥିଲେ। ଏଣୁ ଏହାର ସ୍ମୃତି ସ୍ବରୂପ ଏହି ବେଶ ପଞ୍ଚୁକର ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେଉଅଛି। ଏହି ବେଶରେ ମହାପ୍ରଭୁଙ୍କର ମସ୍ତକର ଦକ୍ଷିଣ ପାର୍ଶ୍ୱରେ ସୁନାକିଆ ଶୋଭା ପାଇଥାଏ। ବାଙ୍କଚୁଡ଼ ବେଶ ଦର୍ଶନରେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି।  

ପଞ୍ଚୁକ ବ୍ରତ ପାଳନ କରିବା ପାଇଁ ଏବେ ଶ୍ରୀମନ୍ଦିର ସହ ପୁରୀର ବିଭିନ୍ନ ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକରେ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ହବିଷ୍ୟାଳୀ ମାନେ ଧର୍ମଧାରଣାରେ ରହିବା ସହିତ ପଞ୍ଚୁକ ବ୍ରତକୁ ଅତି ନିଷ୍ଠାର ସହ ପାଳନ କରୁଛନ୍ତି। ଯେଉଁମାନେ କାର୍ତ୍ତିକ ବ୍ରତ ପାଳନ କରିପାରିନାହାନ୍ତି ସେମାନେ ପଞ୍ଚୁକ ପାଳନ କରି ସମାନ ପୁଣ୍ୟ ଅର୍ଜନ କରୁଥିବା ମନେ କରୁଛନ୍ତି। ତେଣୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀ ମାନଙ୍କ ସମାଗମ ଲାଗି ରହିଥିବା ବେଳେ ରାଜ୍ୟର କୋଣ ଅନୁକୋଣରୁ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ଏକାଠି ହୋଇଛନ୍ତି। ପଞ୍ଚୁକ ବ୍ରତର ଦ୍ୱିତୀୟ ଦିନରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ସରକାରୀ ହବିଷ୍ୟଳୀ ଶିବିରରେ ଥିବା ହବିଷ୍ୟାଳୀମାନଙ୍କର ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ୟୁଥ୍ ବେଟର ଅଫ୍ ପୁରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ପ୍ରାୟ ୪୦ ଜଣ ଯୁବକ ହବିଷ୍ୟାଳୀମାନଙ୍କୁ ଶ୍ରୀମନ୍ଦିର ନେବା ଆଣିବାରେ ସହଯୋଗ ମଧ୍ୟ କରୁଛନ୍ତି ।

ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ଚତୁର୍ଦ୍ଦଶୀରେ ଶ୍ରୀଜିଉ ଲକ୍ଷ୍ମୀନୃସିଂହ ବେଶ ଓ ଶେଷ ଦିନ ବା ପୂର୍ଣ୍ଣମୀରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ।

71 Views

   ସମ୍ବନ୍ଧିତ ଖବର