ମାର୍ଚ୍ଚ ମାସରେ ଲଗାତର ୬ଦିନ ବ୍ୟାଙ୍କ ବନ୍ଦ

Published By : Prameya-News7 Bureau | February 10, 2020 IST

ନୂଆଦିଲ୍ଲୀ ୧୦।୦୨: ମାର୍ଚ୍ଚ ମାସ, ଆର୍ଥିକ ବର୍ଷର ଶେଷ ମାସ। ଏଥିପାଇଁ ବ୍ୟାଙ୍କିଂ କ୍ଷେତ୍ର ପାଇଁ ମାର୍ଚ୍ଚ ମାସର ଗୁରୁତ୍ବ ବେଶୀ । କିନ୍ତୁ ଏହି ମାସରେ ଅଧିକ ଦିନ ବ୍ୟାଙ୍କ ବନ୍ଦ ରହିବ । ଦେଶର ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଜାନୁଆରୀ ୩୧ ଓ ଫେବ୍ରୁଆରୀ ୧ରେ ଦୁଇ ଦିନିଆ ଧର୍ମଘଟ ପରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀମାନେ ପୁଣି ଧର୍ମଘଟ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁସାରେ ଆସନ୍ତା ମାସରେ ୩ ଦିନିଆ ଧର୍ମଘଟକୁ ଓହ୍ଲାଇବ ବ୍ୟାଙ୍କ କର୍ମଚାରୀ ସଂଘ । ଯଦି ଏହି ଧର୍ମଘଟ ହୁଏ, ତେବେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଲଗାତର ୬ ଦିନ ବ୍ୟାଙ୍କ ବନ୍ଦ ରହିବ ।

ମାର୍ଚ୍ଚ ମାସରେ ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟର ପୂର୍ବଦିନ ଅର୍ଥାତ୍‌ ୧୦ ତାରିଖରେ ହୋଲି ଯୋଗୁ ସରକାରୀ ଛୁଟି ପଡ଼ୁଛି । ମାର୍ଚ୍ଚ ୧୧ରୁ ୧୩ ଦିନ ପାଇଁ ଧର୍ମଘଟ ଯୋଗୁ ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବନ୍ଦ ରହିବ । ଏହାର ପରବର୍ତ୍ତୀ ୨ ଦିନ ଅର୍ଥାତ୍‌ ୧୪ ଓ ୧୫ ତାରିଖ ଦ୍ୱିତୀୟ ଶନିବାର ଓ ରବିବାର କାରଣରୁ ବ୍ୟାଙ୍କ ଖୋଲିବ ନାହିଁ । ଏହିଭଳି ଭାବେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଲଗାତର ୬ ଦିନ ବ୍ୟାଙ୍କ ଶାଖା ବନ୍ଦ ରହିବ।

ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ (ଏଆଇବିଓସି) ସଭାପତି ଦାମୋଦର ନନ୍ଦ କହିଛନ୍ତି, ନିକଟରେ ୨ ଦିନିଆ ଧର୍ମଘଟ ସତ୍ତ୍ବେ ବ୍ୟାଙ୍କ କର୍ମଚାରୀଙ୍କ ବେତନ ସଂଶୋଧନ ପାଇଁ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) କୌଣସି ପଦକ୍ଷେପ ନେଇନାହିଁ । ଏପରିକି ଏ ନେଇ ପୁନଶ୍ଚ ଆଲୋଚନା ପାଇଁ ଆଇବିଏ ପକ୍ଷରୁ କୌଣସି ଆଗ୍ରହ ଦେଖାଇନାହିଁ । ଏଣୁ ମାର୍ଚ୍ଚ ୧୧ରୁ ୧୩ ଯାଏଁ ପୁଣିଥରେ ଧର୍ମଘଟକୁ ଓହ୍ଲାଇବାକୁ ବ୍ୟାଙ୍କ ସଂଘଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି ।

ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟରେ ଓଡ଼ିଶାର ୫,୦୯୮ଟି ଯାକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖାରେ କାର୍ଯ୍ୟରତ ୪୦,୦୦୦ରୁ ଅଧିକ କର୍ମଚାରୀ ଓ ଅଧିକାରୀ ସାମିଲ ହେବେ । ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ପ୍ରାୟ ୩,୦୦୦ ଏଟିଏମ୍‌ ଖୋଲା ରହିବ । କିନ୍ତୁ ଧର୍ମଘଟର ପୂର୍ବଦିନ ଓ ପରବର୍ତ୍ତୀ ୨ ଦିନ ବ୍ୟାଙ୍କ ଛୁଟି ଥିବାରୁ ଏଟିଏମ୍‌ରେ ନଗଦ ଟଙ୍କାର ସଙ୍କଟ ଦେଖା ଦେଇପାରେ ବୋଲି ଆଶଙ୍କା କରାଯାଉଛି ।

ଏହି ଧର୍ମଘଟ ସତ୍ତ୍ବେ ଯଦି ଆଇବିଏ କର୍ମଚାରୀଙ୍କ ଦାବି ପୂରଣ ନ କରେ, ଏପ୍ରିଲ ପହିଲାରୁ ବ୍ୟାଙ୍କ ସଂଘଗୁଡ଼ିକ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ଏଆଇବିଓସି ସଭାପତି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.