ଚୌକିଦାର ବାହାରିଲା ଚୋର : ଲକରରୁ ଚୋରି କରିଥିଲା ୧୧ ଲକ୍ଷ ଟଙ୍କାର ଗହଣା

Published By : Prameya-News7 Bureau | April 15, 2019 IST

ଚଣ୍ଡୀଗଡ଼ ୧୫/୪ : ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ଚୌକିଦାର ଚୋର ହେ ସତ ହୋଇଛି | ଚଣ୍ଡୀଗଡ଼ର ମଣିମାଜରା ସ୍ଥିତ ଏକ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ ବ୍ୟାଙ୍କ ଲକରରୁ ଗ୍ରାହକଙ୍କ ୧୧ ଲକ୍ଷ ଟଙ୍କାର ସୁନା ଗହଣା ଚାରି କରିଛି | ଘଟଣା ସମ୍ପର୍କରେ ଜାଣି ପୋଲିସର ମଧ୍ୟ ମୁଣ୍ଡ ଖରାପ ହୋଇଯାଇଥିଲା |


୨୦୧୯ ମାର୍ଚ୍ଚ ୭ ତାରିଖରେ ପଞ୍ଚକୁଳ ସେକ୍ଟର ୬ ଠାରେ ରହୁଥିବା ଦେବୀଙ୍କ ମହାଜନ ଚଣ୍ଡୀଗଡ଼ର ମଣିମାଜରା ସ୍ଥିତ ବ୍ୟାଙ୍କ ଅଫ କମର୍ସ ଲକରରେ ଗହଣା ରଖିବାକୁ ଯାଇଥିଲେ | କିନ୍ତୁ ସେ ଭୁଲରେ ଗହଣା ଲକରରେ ରଖିବା ଭୁଲି ଯାଇଥିଲେ | ମାର୍ଚ ୧୩ ତାରିଖରେ ସେ ପୁଣିଥରେ ବ୍ୟାଙ୍କ ଯାଇଥିଲେ | ସେ ନିଜ ଲକର ଖୋଲି ଦେଖିଲା ବେଳକୁ ତାଙ୍କ ମୁଣ୍ଡ ଖରାପ ହୋଇଯାଇଥିଲା | ଲକରରେ ତାଙ୍କର ଗହଣା ନଥିଲା | ଗହଣାରେ ୨୫ ଭାରି ସୁନା ଏବଂ ଏକ ହୀରା ବଳା ଥିଲା | ସବୁ ଗହଣାର ମୂଲ୍ୟ ୧୧ ଲକ୍ଷ ଟଙ୍କା ଥିଲା | ଲକରରୁ ଗହଣା ଗାୟବ ହୋଇଥିବା ନେଇ ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ | କିନ୍ତୁ ବ୍ୟାଙ୍କ କର୍ମଚାରୀ ସନ୍ତୋଷଜନକ ଜବାବ ଦେଇନଥିଲେ | ଫଳରେ ମହିଳା ଥାନାରେ ମାମଲା ରୁଜ୍ଜୁ କରିଥିଲେ | ମାମଲା ରୁଜ୍ଜୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା |

ଯେଉଁ ଦିନ ମହିଳା ବ୍ୟାଙ୍କରେ ନିଜ ଗହଣା ରଖିବାକୁ ଯାଇଥିଲେ ସେହିଦିନର ସିସିଟିଭି ଫୁଟେଜ ଚେକ କରିଥିଲା ପୋଲିସ | ସିସିଟିଭିରେ ଦେଖିବାକୁ ମିଳିଥିଲା ଯେ, ଲକର ଥିବା ଷ୍ଟ୍ରଙ୍ଗ ରୁମକୁ ଅନେକ ଲୋକ ଯାଇଥିଲେ | ଏମାନଙ୍କ ମଧ୍ୟରେ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ ଅଶୋକ କୁମାର ମଧ୍ୟ ସାମିଲ ଥିଲା | ଷ୍ଟ୍ରଙ୍ଗ ରୁମକୁ ପ୍ରବେଶ କରିଥିବା ସମସ୍ତ କର୍ମଚାରୀଙ୍କୁ ଗୋଟି ଗୋଟି କରି ପୋଲିସ ପଚରାଉଚୁରା କରିଥିଲା | କିନ୍ତୁ ସମସ୍ତେ ଅସ୍ବୀକାର କରିଥିଲେ | ଶେଷରେ ପୋଲିସର ସନ୍ଦେହ ସିକ୍ୟୁରିଟି ଗାର୍ଡ ଉପରକୁ ଯାଇଥିଲା | ପୋଲିସ ଅଶୋକ କୁମାରକୁ ଶକ୍ତିର ସହ ପଚରାଉଚୁରା କରିବାରୁ ସେ ନିଜ ଦୋଷ ସ୍ୱୀକାର କରିଥିଲା | ସେ କହିଥିଲା ଯେ, ଏତେ ଗୁଡ଼ାଏ ସୁନା ଗହଣା ଦେଖି ତା ମନ ବଦଳିଯାଇଥିଲା ଏବଂ ସେ ଚୋରି କରିନେଇଥିଲା | ସେ ଗହଣା ଚୋରି କରି ନିଜ ଘର ୱାସିଂ ମେସିନରେ ଲୁଚାଇ ରଖିଛି ବୋଲି କହିଥିଲା | ପୋଲିସ ଅଶୋକ କୁମାରକୁ ଗିରଫ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.