ସାଇବର ଠକେଇର ଶିକାର ହେଲେ ବ୍ୟାଙ୍କ କ୍ୟାସିୟର୍‌, ଅଫର ଲୋଭରେ ହରାଇଲେ ୧୯ ଲକ୍ଷ

Published By : Prameya-News7 Bureau | September 07, 2020 IST

ବାରଣସୀ ୦୭/୦୯: ଟେକ୍ନୋଲୋଜିର ଅଗ୍ରଗତି ସାଙ୍ଗକୁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ଏବେ ସାଇବର ଠକେଇ ମାମଲା ବଢ଼ିବାରେ ଲାଗିଛି । ସାଇବର ଠକ ନୂଆ ନୂଆ ଢ଼ଙ୍ଗରେ ଲୋକଙ୍କୁ ଠକୁଥିବାର ଖବର ସାମ୍ନାକୁ ଆସୁଛି । କିନ୍ତୁ ଏବେ ମିଳିଥିବା ଏକ ଖବର ଦେଶରେ ଚହଳ ପକାଇଛି । ଜଣେ ବ୍ୟାଙ୍କ କ୍ୟାସିୟର ସାଇବର ଠକେଇରେ ଶିକାର ହୋଇଛନ୍ତି ।

ଏକ ବ୍ୟାଙ୍କର ମୁଖ୍ୟ କ୍ୟାସିୟରଙ୍କ ପାଖରୁ ୧୨ ଥରରେ ୧୯ ଲକ୍ଷରୁ ଅଧିକ ଟଙ୍କା ଠକିନେଇଛନ୍ତି ସାଇବର ଲୁଟେରା । ବାରଣସୀ ରାମପୁର ଓ୍ବାର୍ଡ ବାସିନ୍ଦା ବିପିନ ଉପାଧ୍ୟାୟ ଏଭଳି ସାଇବର ଠକେଇରେ ଶିକାର ହୋଇଥିବା ନେଇ ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ଏସପିଙ୍କ ନିର୍ଦେଶ କ୍ରମେ ରାମନଗର ପୋଲିସ ମାମଲା ରୁଜୁ କରିଛି ।

ରବିନ୍ଦ୍ରପୁର ସ୍ଥିତ ଏକ ବ୍ୟାଙ୍କରେ ମୁଖ୍ୟ କ୍ୟାସିୟର୍‌ ଭାବେ କାର୍ଯ୍ୟ କରନ୍ତି ବିପିନ ଉପାଧ୍ୟାୟ । ୨୦୧୭ରେ ବିପିନ ଉପାଧ୍ୟାୟ ଏକ ଇନସ୍ୟୁରାନ୍ସ କମ୍ପାନୀରେ ବର୍ଷକୁ ୮୨୧୯୦ ଟଙ୍କାରେ ଏକ ପଲିସି କିଣିଥିଲେ । ପଲିସ୍‌ରେ କିଛି କମି ଥିବା ନେଇ ଏକ ଫୋନ କଲ୍‌ ୨୯ ଜୁଲାଇରେ ବିପିନ ଉପାଧ୍ୟାୟଙ୍କୁ ଆସିଥିଲା । ବିପିନ ଉପାଧ୍ୟାୟଙ୍କ କହିବା ଅନୁସାରେ ତାଙ୍କୁ ଫୋନ୍‌ରେ ଆଉ ଏକ କିସ୍ତି ଦେବା ପରେ ୬ ଲକ୍ଷ ଟଙ୍କା ମିଳିବ ବୋଲି ଅଫର ମିଳିଥିଲା । ବିପିନ ଉପାଧ୍ୟାୟ ଏହିଭଳି ଭାବେ ୧୨ ଥରରେ ୧୮ ଲକ୍ଷ ୧ ହଜାର ଟଙ୍କା ଅନଲାଇନ୍‌ରେ ଜମା କରିଥିଲେ ।

ବିପିନ ଉପାଧ୍ୟାୟ ଯେତେବେଳେ ପଚାରିଲେ ଏହି ଟଙ୍କା କେଉଁଠାରେ ଜମା ହେଉଛି ତଥାକଥିତ କମ୍ପାନୀ କର୍ମଚାରୀ ପଲିସ ଖାତାରେ ଟଙ୍କା ଜମା ହେଉଥିବା ନେଇ କହିଥିଲେ । ୩ ସେପ୍ଟେମ୍ବରରେ ବିପିନ ଉପାଧ୍ୟାୟ ପୁଣି ୬୦,୦୦୦ ଟଙ୍କା ୫ଟି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲେ ।

ବିପିନ ଉପାଧ୍ୟାୟଙ୍କୁ ବାରମ୍ବାର ଟଙ୍କା ମଗାଯିବା ପରେ ତାଙ୍କୁ ସନ୍ଦେହ ହୋଇଥିଲା । ଯାଞ୍ଚ ପରେ ଜଣାପଡ଼ିଲା ସେ ଠକାମୀରେ ଶିକାର ହୋଇଛନ୍ତି । ଏହାପରେ କ୍ରାଇମବ୍ରାଞ୍ଚ ଏସପିଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ ବିପିନ ଉପାଧ୍ୟାୟ। ଏସପିଙ୍କ ନିର୍ଦେଶ କ୍ରମେ ରାମନଗର ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.