ଟଙ୍କା ଉଠାଇବାକୁ ପ୍ରମାଣ ଚାହିଁଲା ବ୍ୟାଙ୍କ, କୋକେଇରେ ମୃତବ୍ୟକ୍ତିଙ୍କୁ ଧରି ପହଞ୍ଚିଗଲେ ଗାଁ ଲୋକ

Published By : Prameya-News7 Bureau | January 06, 2021 IST

ପାଟନା,୦୬/୦୧: କୁହାଯାଏ ମୃତ୍ୟୁ ହୋଇଗଲା ପରେ ବ୍ୟକ୍ତିଟି ଦୁନିଆର ମୋହ ମାୟାରୁ ମୁକ୍ତ ହୋଇଯାଏ। ସବୁକିଛି ସଂସାର ଭିତରେ ଛାଡ଼ି ମୃତ୍ୟୁଲୋକକୁ ଚାଲିଯାଏ। କିନ୍ତୁ ପଟନା ସହରରେ ଆଜି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଟଙ୍କା ଉଠାଇବା ପାଇଁ ମୃତଦେହ ବ୍ୟାଙ୍କକୁ ଆସିଛି।

ବିହାରର ରାଜଧାନୀ ପାଟନାର ଶାହାଜାହାଁପୁର ଥାନା ଅନ୍ତର୍ଗତ ସିଗରିୟାୱ ଗ୍ରାମରେ ବାସ କରୁଥିବା ୫୫ ବର୍ଷୀୟ ମହେଶ୍ ଯାଦବଙ୍କ ବୁଧବାର ସକାଳେ ଅଜଣା ରୋଗ କାରଣରୁ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଗ୍ରାମବାସୀ ବ୍ୟାଙ୍କକୁ ଯାଇ ମହେଶଙ୍କ ଖାତାରେ ଥିବା ଟଙ୍କା ମାଗିଥିଲେ। କିନ୍ତୁ ଉକ୍ତ ବ୍ୟକ୍ତି ବ୍ୟାଙ୍କକୁ ନ ଆସିଲେ ଟଙ୍କା ଦିଆଯିବ ନାହିଁ ବୋଲି କର୍ମଚାରୀ କହିଥିଲେ। ଏହାପରେ ଗ୍ରାମବାସୀ ମୃତଦେହକୁ ନେଇ ବ୍ୟାଙ୍କରେ ରଖିଦେଇଥିଲେ।

ବ୍ୟାଙ୍କରେ ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ପଡ଼ି ରହିବା କାରଣରୁ ଲୋକେ ରୁଣ୍ଡ ହୋଇଯାଇଥିଲେ। ବ୍ୟାଙ୍କ ମ୍ୟାନେଜର ନିଜ ତରଫରୁ ୧୦ ହଜାର ଟଙ୍କା ଦେବାରୁ ମାମଲା ଶାନ୍ତ ପଡ଼ିଥିଲା ଏବଂ ଗ୍ରାମବାସୀ ମୃତଦେହ ସଂସ୍କାର ପାଇଁ ରାଜି ହୋଇଥିଲେ।

ଘଟଣା ଏହିପରି ଯେ ମୃତ ମହେଶଙ୍କର ବିବାହ ହୋଇନଥିଲା ଏବଂ ତାଙ୍କର ସଂମ୍ପର୍କୀୟ ବୋଲି କେହି ନଥିଲେ। ବ୍ୟାଙ୍କରେ ତାଙ୍କ ନାମରେ ପ୍ରାୟ ୧ ଲକ୍ଷ ଟଙ୍କା ରହିଥିଲା। କିନ୍ତୁ ବ୍ୟାଙ୍କ ଖାତାରେ ତାଙ୍କର କେହି ନୋମିନ୍ ନାଥିଲେ ଏବଂ ତାଙ୍କର କେୱାଇସି ମଧ୍ୟ ହୋଇନଥିଲା। ତେଣୁ ବ୍ୟାଙ୍କ ଟଙ୍କା ଦେବାକୁ ମନା କରିଦେଇଥିଲା। ଯାହାଫଳରେ ଗ୍ରାମବାସୀ ଏପରି ପ୍ରଦର୍ଶନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.