ନୂଆ ବ୍ରାଞ୍ଚରେ ଯୋଗ ଦେବା ଦିନ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ: ଛିଡୁନି ସନ୍ଦେହର ସୂତା

Published By : Prameya-News7 Bureau | July 04, 2020 IST

ଝାରସୁଗୁଡ଼ା୪/୭: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ବଦଳି ହୋଇ ଆସି କାମରେ ଯୋଗଦେବା ପରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତକ ବ୍ୟାଙ୍କ କର୍ମଚାରୀ ଶିବନାଥ କୁମାର। ତାଙ୍କ ବୟସ୪୦ ବର୍ଷ। ସୂଚନା ଅନୁସାରେ ସୋନପୁର ଠାରେ ଥିବା ବିଜୟା ବ୍ୟାଙ୍କରେ ମ୍ୟାନଜର ଭାବରେ କାର୍ଯ୍ୟରତ ଶିବନାଥ କୁମାର ଶୁକ୍ରବାର ଏକ କାର ଯୋଗେ ସୋନପୁରରୁ ଅପରାହ୍ନ ୨ଟା ୩୦ ମିନିଟ୍‌ରେ ବେଲପାହାଡ଼ରେ ପହଁଞ୍ଚିଥିଲେ।

ବ୍ୟାଙ୍କ ଅଫ ବଡ଼ୋଦା, ବିଜୟା ଓ ଦେନା ବ୍ୟାଙ୍କ ସମିଶ୍ରଣ ହୋଇଥିବାରୁ ସୋନପୁରୁ ବିଜୟା ବ୍ୟାଙ୍କରୁ ଆସି ବେଲପାହାଡ଼ ବ୍ୟାଙ୍କ ଅଫ୍ ବଡ଼ୋଦାରେ ଯୋଗଦେଇଥିଲେ। ସନ୍ଧ୍ୟାରେ ପୁରୁଣା ବ୍ୟାଙ୍କ ମ୍ୟାନେଜର ପ୍ରଭାତ ଅଗ୍ରୱାଲଙ୍କ ଠାରୁ ଚାର୍ଜ ନେବାପରେ ଗୁମାଡେରା ଏକ ହୋଟେଲରେ ରହିଥିଲେ। ରାତି ୧୦ଟା ସମୟରେ ଶିବନାଥଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ସେ ହୋଟେଲ ରିସ୍ପେସନକୁ ଫୋନକରି ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଜଣାଇଥିଲେ । ହୋଟେଲ କର୍ମଚାରୀମାନେ କବାଟ ବାଡେଇବାରୁ କବାଟ ନଖୋଲିବାରୁ ମାଷ୍ଟର ଚାବିରେ କବାଟ ଖୋଲିବା ପରେ ତାଙ୍କୁ  ଅଚେତ୍‌ ଅବସ୍ଥାରେ ବେଲପାହାଡ଼ସ୍ଥିତ ଟିଆରଏଲ ହସପିଟାଲକୁ ନିଆଯାଇଥିଲା ।

ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶିବନାଥ କୁମାରଙ୍କ ମୃତ୍ୟୁ ହୋଇଥିଲା। ମୃତକ ବ୍ୟାଙ୍କ ମ୍ୟାନଜରଙ୍କ ଘର କୋପେରେଟିଭ କଲୋନୀ, କହ୍ନେୟା ଖଟାଲ, ବୋକାରୋ ଷ୍ଟିଲସିଟି ବୋଲି ଜଣାପଡ଼ିଛି। ବ୍ୟାଙ୍କ ମ୍ୟାନେଜର ଯେଉଁଦିନ କାର୍ଯ୍ୟରେ ଯୋଗ ଦେଲେ ସେହିଦିନ ତାଙ୍କର ମୃତ୍ୟୁ ହେବା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.