ଭଡ଼ା ଦେଲା ନାହିଁ ବ୍ୟାଙ୍କ, ତାଲା ପକେଇ ଦେଲେ ଘର ମାଲିକ

Published By : Prameya-News7 Bureau | May 10, 2021 IST

ନୀଳଗିରି,୧୦/୫: ଘରଭଡା ନପାଇବାରୁ ବାଲେଶ୍ଵର ଜିଲ୍ଲା ନୀଳଗିରି ୟୁକୋ ବ୍ୟାଙ୍କରେ ଘର ମାଲିକ ତାଲା ଝୁଲାଇ ଥିବା ଘଟଣା ଦେଖିବାକୁ ମିଳିଛି । ସର୍ବସାଧାରଣଙ୍କ ବ୍ୟାଙ୍କରେ ଏଭଳି ତାଲା ଝୁଲାଇବାକୁ ବେଆଇନ ଦର୍ଶାଇ ଗ୍ରାହକ ନାପସନ୍ଦ କରିଛନ୍ତି ।

ସେପଟେ ସାମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ତହସିଲଦାର ବ୍ୟାଙ୍କ ଯାଇ ତଦନ୍ତ କରିବା ସହ ମ୍ୟାନେଜର ଓ ଘର ମାଲିକଙ୍କ ସହ ଆଲୋଚନା କରିଛନ୍ତି । ୨୦୨୦ ନଭେମ୍ବର ମାସ ପରଠାରୁ ଘର ଖାଲି କରିବେ ବୋଲି ନୀଳଗିରି ୟୁକୋ ବ୍ୟାଙ୍କ କାଳେ ମାଲିକ ସହ ଚୁକ୍ତି କରିଥିଲେ । ବ୍ୟାଙ୍କ ଏ ପାଇଁ ୨ମାସ ସମୟ ମାଗିଥିଲେ । ହେଲେ ସମୟ ପାର ହେବାରୁ ଘର ଖାଲି କରିନପାରିବା ପରେ ଆଜି ଘର ମାଲିକ ସତ୍ୟନାରାୟଣ ମହାପାତ୍ର ନିଜେ ଆସି ବ୍ୟାଙ୍କ ସମୟ ପୂର୍ବରୁ ତାଲା ଝୁଲାଇ ଦେଇଥିଲେ । ଫଳରେ ବ୍ୟାଙ୍କ କର୍ମଚାରୀ ବ୍ୟାଙ୍କ ଖୋଲି ପାରିନଥିବା ବେଳେ ଗ୍ରାହକ ମଧ୍ୟ ହନ୍ତସନ୍ତ ହୋଇଥିଲେ ।

ସର୍ବସାଧାରଣ ବ୍ୟାଙ୍କକୁ ଏଭଳି ତାଲା ପକାଇବାକୁ ଅନେକ ନାପସନ୍ଦ କରିଛନ୍ତି । ଗ୍ରାହକଙ୍କ ମୂଲ୍ୟବାନ କାଗଜପତ୍ର ଓ ବ୍ୟାଙ୍କ ଗ୍ୟାରେଣ୍ଟି ଭିତରେ ଥିବା ବେଳେ ଗ୍ରାହକଙ୍କ ସମ୍ପତ୍ତିକୁ ଘର ମାଲିକ ଚାବି ପକାଇବାକୁ ଅଧିକାର ଦେଲା କିଏ ବୋଲି ପ୍ରଶ୍ନ ଉଠିଛି । ଯଦି ଘର ଭଡା କିମ୍ବା ବ୍ୟାଙ୍କ ଅନ୍ୟତ୍ର ସ୍ଥାନାନ୍ତର ହେବାର ଥିଲା ଆଉ ବ୍ୟାଙ୍କ କତ୍ତୃପକ୍ଷ ମାନୁ ନଥିଲେ ତାହେଲେ ଆଇନର ଆଶ୍ରୟ କିମ୍ବା ସ୍ଥାନୀୟ ପ୍ରଶାସନର ସହଯୋଗ ନେବାର ଥିଲା । ସର୍ବସାଧାରଣରେ ଗ୍ରାହକଙ୍କୁ ଏଭଳି ଅପମାନିତ କରିବା ଭଳି ଅଭିଯୋଗ ଉଠିଛି ।

ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ଖବର ପାଇ ବ୍ୟାଙ୍କ ଯାବା ସହିତ ବ୍ରାଞ୍ଚ ମ୍ୟାନେଜର ଓ ଘର ମାଲିକଙ୍କ ସହ ଆଲୋଚନା କରିଥିଲେ । ଘର ମାଲିକଙ୍କ ଅଭିଯୋଗକୁ ଯୁକ୍ତିଯୁକ୍ତ ଦର୍ଶାଇବା ସହ ତାଲା ପକାଇବା ଏକ ବେଆଇନ କାର୍ଯ୍ୟ ବୋଲି କହିଥିଲେ । ବ୍ୟାଙ୍କ ଓ ଘର ମାଲିକଙ୍କ ପାଇଁ ସର୍ବସାଧାରଣ କଣ ପାଇଁ ହଇରାଣ ହେବେ । ତୁରନ୍ତ ତାଲା ଖୋଲିବା ସହ ବ୍ୟାଙ୍କ ମ୍ୟାନେଜରଙ୍କୁ ବିବାଦର ସମାଧାନ କରିବାକୁ କହିଥିଲେ । ବ୍ୟାଙ୍କରୁ ତାଲା ଖୋଲାଯିବା ପରେ ଗ୍ରାହକ ମାନେ ବ୍ୟାଙ୍କରେ କାରବାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.