୭-୮ ଦିନରେ ଓଡିଶା ଛୁଇଁବ ମୌସୁମୀ ! ୧୦ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

Published By : Prameya-News7 Bureau | June 04, 2021 IST

ଭୁବନେଶ୍ୱର,୦୪/୦୬:  କେରଳରେ ପାଦ ଥାପିଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଦକ୍ଷିଣ କେରଳରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷା ପରିମାଣ ଅପେକ୍ଷାକୃତ କମ୍‌ ରହିଛି । ଗୁରୁବାର ସକାଳୁ ବର୍ଷା ପ୍ରକୋପ କମିଛି । ଦକ୍ଷିଣ-ପୂର୍ବ ଆରବ ସାଗରରେ ଘୂର୍ଣ୍ଣିବଳୟ ଥିବାରୁ ପଶ୍ଚିମ ଦିଗରୁ ପବନ ବାଧାପ୍ରାପ୍ତ ହେଉଛି । ଏଥିଯୋଗୁ ମୌସୁମୀ ପ୍ରବାହ ତ୍ୱରାନ୍ୱିତ ନଥିବାରୁ ବର୍ଷା କମ୍‌ ରହିଛି । ଓଡ଼ିଶା ପାଇଁ ଭଲ ଖବର ହେଲା, ଏଥର ମୌସୁମୀ ଡେରି କରିବନି। ସ୍ୱାଭାବିକ ସମୟ କିମ୍ବା ସାମାନ୍ୟ ଆଗୁଆ ଆସିପାରେ । ଆଗାମୀ ୭-୮ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଅର୍ଥାତ୍‌ ରଜ ପୂର୍ବରୁ ମୌସୁମୀ ଓଡ଼ିଶା ପହଞ୍ଚିବା ସମ୍ଭାବନା ଅଧିକ ।

ପାଣିପାଗ ବିଭାଗ ଆକଳନ କରୁଛି, ଓଡ଼ିଶାରେ ଏ ବର୍ଷ ସ୍ୱାଭାବିକ ସମୟରେ ମୌସୁମୀ ପହଞ୍ଚିବ । ସମ୍ଭବତଃ ରଜ ପୂର୍ବରୁ (୧୦ରୁ ୧୨ ତାରିଖ ଭିତରେ) ମୌସୁମୀ ଓଡ଼ିଶା ଉପକୂଳ ଛୁଇଁବ । ଓଡ଼ିଶାକୁ ମୌସୁମୀ ଆଣିବାରେ ସହାୟକ ହେବ ଲଘୁଚାପ । ଅନୁମାନ କରାଯାଉଛି, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୧୦ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ବି ହୋଇପାରେ । ଏହା ଓଡ଼ିଶାକୁ ମୌସୁମୀ ବର୍ଷା ନେଇ ଆସିବା ସମ୍ଭାବନା ଅଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପ୍ରଥମେ ସମ୍ଭାବ୍ୟ ଲଘୁଚାପ ବାବଦରେ ପୂର୍ବାନୁମାନ କରିଥିଲେ । ତାଙ୍କ କହିବାନୁଯାୟୀ ଆସନ୍ତା ୧୦ ତାରିଖରେ ଘୂର୍ଣ୍ଣିବଳୟ ଓ ପରେ ଲଘୁଚାପ କ୍ଷେତ୍ର ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ସ୍ଥଳଭାଗରେ ସୃଷ୍ଟି ହୋଇପାରେ । ପ୍ରାଥମିକ ଆକଳନରୁ ଜଣାପଡ଼ୁଛି, ଜୁନ୍‌ ୧୦ରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ୧୧ରେ ବର୍ଷା ବଢ଼ିବ । ଏହାସହ ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୧୨ରେ ବର୍ଷା ବଢ଼ିବ । ସାରା ରାଜ୍ୟରେ ଏହି ସମୟରେ ବର୍ଷା ସମ୍ଭାବନା ଅଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ରାଜ୍ୟରେ ହାରାହାରି ୭୫ ମିଲିମିଟରରୁ ୧୦୦ ମିମି ବର୍ଷା ହୋଇପାରେ । ଏହି ଲଘୁଚାପ ହିଁ ୧୧ ତାରିଖବେଳକୁ ଓଡ଼ିଶାକୁ ମୌସୁମୀ ଟାଣି ଆଣିବ । ଯଦି ଏମିତି ହୁଏ, କେରଳ ଛୁଇଁବାର ୭-୮ ଦିନ ଭିତରେ ଓଡ଼ିଶାରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ।

ସେ ଆକଳନ କରିଛନ୍ତି, ଚଳିତବର୍ଷ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ କିମ୍ବା ତା’ଠାରୁ ଅଧିକ ରହିବ । ତେବେ ସେପ୍ଟେମ୍ବର-ଅକ୍ଟୋବରରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏବେ ଏନ୍‌ସୋ ନ୍ୟୁଟ୍ରାଲ ରହିଥିବାବେଳେ ଏହା କମିବ । ଅକ୍ଟୋବର ବେଳକୁ ଲା-ନିନା ଅଧିକ ରହିବ । ଯାହାକି ପ୍ରବଳ ବର୍ଷା କରାଇବ ।ଯଦିଓ ସାଧାରଣତଃ ଜୁନ୍‌ ପହିଲାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷାକୁ ମୌସୁମୀ ସମୟ କୁହାଯାଏ । ତେବେ ଓଡ଼ିଶାରେ ଅକ୍ଟୋବର ୧୫ ପରେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥାଏ ।

ଡ. ପଶୁପାଳକ କହିଛନ୍ତି, ଏବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ରହିଛି । ୭ରୁ ୯ ତାରିଖ ପର୍ଯ୍ୟନ୍ତ ତାତି ଆହୁରି ବଢ଼ିପାରେ । ମାଟି ଶୁଖିଲା ରହୁଛି । ବର୍ଷା ପରେ ପାଗ ଦେଖି ଚିନାବାଦାମ, ମକା, ହରଡ଼, କପା ଆଦି ଅଣଧାନ ଫସଲ ଢିପ ଜମିରେ ଆରମ୍ଭ କରିପାରିବେ । ଉତ୍ତର ଉପକୂଳ ଅଞ୍ଚଳରେ ବାତ୍ୟା ୟାସ୍‌ ପ୍ରଭାବରେ ଭଲ ବର୍ଷା ହୋଇଥିବାରୁ ମାଟି ବତର ଅଛି । ଜଳ ନିଷ୍କାସନ ସୁବିଧା ଥିବା ଜମିରେ ଏବେ ଧାନ ପାଇଁ ତଳି ପକାଇ ପାରିବେ । ନଚେତ ବର୍ଷା ପରେ ପାଗ ଦେଖି ଆରମ୍ଭ କରିବେ । 

ଖାଲୁଆ ପାଟ ଜମିରେ ଏବେ ଧାନ ବୁଣାବୁଣି ହୋଇପାରିବ । ବର୍ଷା ପରେ ପାଣି ବଢ଼ିଲେ ଧାନ ବୁଣିବା କଷ୍ଟକର ହୋଇପଡ଼ିବ । ଚଳିତବର୍ଷ ଉପକୂଳରେ ଅତ୍ୟଧିକ ବର୍ଷା ସମ୍ଭାବନା ଥିବାରୁ ଚାଷୀମାନେ ମଧ୍ୟମ କିସମର ଧାନ (ସ୍ୱର୍ଣ୍ଣ-ସବ୍‌-୧ ଓ ସିଆର-୧୦୦୯) ବୁଣିବା ଉଚିତ୍‌ ବୋଲି ଡ. ପଶୁପାଳକ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଗୁରୁବାର ତାପମାତ୍ରା ଅଧିକ ନଥିଲେ ମଧ୍ୟ ଗୁଳୁଗୁୂଳି ପ୍ରକୋପ ଜାରି ରହିଥିଲା । ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ କାଳବୈଶାଖୀ ହୋଇପାରେ ।
 

ଭାରତରେ ମୌସୁମୀ ପ୍ରବାହ ନେଇ ପୂର୍ବ ନିର୍ଦ୍ଧାରିତ ସ୍ୱାଭାବିକ ସମୟକୁ ସଂଶୋଧନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) । ପୂର୍ବରୁ କଟକରେ ମୌସୁମୀ ଆଗମନର ସ୍ୱାଭାବିକ ସମୟ ଥିଲା ୯ ଜୁନ୍‌ । ଏବେ ତାହା ୧୩ ଜୁନ୍‌ । ଗୋପାଳପୁରରେ ମୌସୁମୀ ଆଗମନର ସ୍ୱାଭାବିକ ସମୟ ୮ ଜୁନ୍‌ ଥିଲା । ଏବେ ସ୍ୱାଭାବିକ ସମୟ ୧୧ ଜୁନ୍‌ । କୋମନାରେ ମୌସୁମୀ ଆସିବାର ସ୍ୱାଭାବିକ ସମୟ ୧୧ ଜୁନ୍‌ ଥିବାବେଳେ ଏବେ ୧୫ ଜୁନକୁ ସ୍ୱାଭାବିକ ସମୟ ଧରାଯିବ । ପୁରୀରେ ମୌସୁମୀ ପହଞ୍ଚିବାର ସ୍ୱାଭାବିକ ସମୟ ୮ ଜୁନ୍‌ କୁହାଯାଉଥିଲା । ଏବେ ପୁରୀରେ ମୌସୁମୀ ଆସିବାର ସ୍ୱାଭାବିକ ସମୟ ୧୪ ଜୁନ୍‌ ରଖାଯାଇଛି । ସମ୍ବଲପୁରରେ ମୌସୁମୀ ଆଗମନର ସ୍ୱାଭାବିକ ସମୟ ୮ ଜୁନ୍‌ ଧରାଯାଉଥିଲା । ଏବେ ସମ୍ବଲପୁରରେ ମୌସୁମୀ ପହଞ୍ଚିବାର ସ୍ୱାଭାବିକ ସମୟ ୧୬ ଜୁନ୍‌ । ଏହି ହିସାବରେ ଦେଖିଲେ ଏଥର ମୌସୁମୀ ସ୍ୱାଭାବିକ ସମୟ କିମ୍ବା ତା’ ପୂର୍ବରୁ ଆସିପାରେ ଓଡ଼ିଶାକୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.