ଓମିକ୍ରନ୍ ଭାରିଏଣ୍ଟରେ ସଂକ୍ରମିତ ଡାକ୍ତର ସୁସ୍ଥ ହେବାପରେ ପୁଣି ହେଲେ କରୋନା ପଜିଟିଭ୍

Published By : Prameya-News7 Bureau | December 07, 2021 IST

ବେଙ୍ଗାଲୁରୁ ୦୭/୧୨ : କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ଦୁନିଆର ୪୭ ଦେଶକୁ ଏହି ଭାରିଏଣ୍ଟ ବ୍ୟାପି ସାରିଲାଣି। ଭାରତରେ ଏବେ ସୁଦ୍ଧା ୨୩ ଜଣ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ। ଇତି ମଧ୍ୟରେ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି। ବେଙ୍ଗାଲୁରୁର ଯେଉଁ ଡାକ୍ତର ଓମିକ୍ରନରେ ସଂକ୍ରମିତ ହୋଇଥିଲେ ସେ ସୁସ୍ଥ ହେବାପରେ ପୁଣି କରୋନାରେ ସଂକ୍ରମିତ ହୋଇଛନ୍ତି। ତେବେ ସେ ପୁଣିଥରେ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି ନା ତାଙ୍କର ପୁରୁଣା ରିପୋର୍ଟ ଭୁଲ ଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଦେଶରେ ଓମିକ୍ରନରେ ସଂକ୍ରମିତ ହୋଇଥିବା ଦୁଇ ଜଣଙ୍କଙ୍କ ମଧ୍ୟରୁ ବେଙ୍ଗାଲୁରୁର ଏହି ଡାକ୍ତର ଜଣେ। ଅନ୍ୟ ଜଣେ ଦକ୍ଷିଣ ଆଫ୍ରିକା ନାଗରିକ ଥିଲେ ଯିଏ ଦୁବାଇ ଚାଲି ଯାଇଛନ୍ତି।

ବେଙ୍ଗାଲୁରୁ ମହାନଗର ପାଳିକାର ଜଣେ ଅଧିକାରୀ କହିଛନ୍ତି ଯେ ବେଙ୍ଗାଲୁରୁର ଯେଉଁ ଡାକ୍ତର ଓମିକ୍ରନରେ ସଂକ୍ରମିତ ଥିଲେ ତାଙ୍କର ଟେଷ୍ଟ ରିପୋର୍ଟ ପୁଣି ପଜିଟିଭ ଆସିଛି। ଡାକ୍ତରଙ୍କୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଇଛି। ତାଙ୍କ ମଧ୍ୟରେ କିଛି ଲକ୍ଷଣ ଦେଖାଦେଇନାହିଁ।

ଅପରପକ୍ଷରେ ବେଙ୍ଗାଲୁରୁ ପୋଲିସ ଦକ୍ଷିଣ ଆଫ୍ରିକା ନାଗରିକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। କାରଣ ସେ ଓମିକ୍ରନରେ ସଂକ୍ରମିତ ହୋଇ ମଧ୍ୟ ବିମାନ ଯୋଗେ ଦୁବାଇ ଚାଲିଯାଇଛନ୍ତି। ପୋଲିସ କହିଛି ଯେ ବ୍ୟକ୍ତି ଜଣକ ଅଧିକାରୀଙ୍କୁ ନ ଜଣାଇ କ୍ୟାରେଣ୍ଟାଇନ ନିୟମ ଉଲ୍ଲଙ୍ଘନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.