ବାଂଲାଦେଶ କୋର୍ଟରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀ ଭାରତରୁ ଗିରଫ, ୧୦ ବର୍ଷ ହେଲା ବୁଲୁଥିଲା ମୁକ୍ତ

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ ୨୬।୧୨: ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଅବୈଧ ଭାବେ ଜାତୀୟ ରାଜଧାନୀରେ ଆତ୍ମଗୋପନ କରିଥିବା ବାଂଲାଦେଶୀ ନାଗରିକକୁ ଗିରଫ କରିଛି। ଦିଲ୍ଲୀ ଖାନପୁରରୁ ଗିରଫ ଅପରାଧୀକୁ ପୋଲିସ ମାସୁମ ଅଲ୍ଲି ଓରଫ ସରବର ଭାବେ ଚିହ୍ନଟ କରିଛି। ତା ନିକଟରୁ ଏକ ଗୁଳିଭର୍ତ୍ତି ପିସ୍ତଲ ଜବତ ହୋଇଥିବା ବେଳେ ୧୦ ବର୍ଷ ପୂର୍ବେ ବାଂଲାଦେଶୀ କୋର୍ଟ ତାକୁ ମୃତ୍ୟୁଦଣ୍ଡାଦେଶ କରିଥିବାର ଜଣାପଡିଛି। ସେ ଗତ ୨୦୧୦ ମସିହାରୁ ଭାରତରେ ରହି ଆସୁଥିଲେ ବି ତା ଆଡକୁ କାହାର ନଜର ଯାଇନଥିଲା।

କ୍ରାଇମବ୍ରାଞ୍ଚ ଏସଟିଏଫ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାଂଲାଦେଶ ବାଗେରହାଟରେ ଜନୈକ ଷ୍ଟୋରରୁ ଲୁଟ, ମାଲିକକୁ ଅପହରଣ ଓ ପରେ ହତ୍ୟା ମାମଲାରେ ମାସୁମ ଅଲ୍ଲି ଗିରଫ ହୋଇଥିଲା। ମାମଲାର ଶୁଣାଣି ବେଳେ ସେ ଅବୈଧ ଭାବେ ଦେଶରୁ ପଳାୟନ କରି ଭାରତ ଚାଲିଆସିଥିଲା। ସେ ଫେରାର ଥିବା ବେଳେ କୋର୍ଟ ମାମଲାରେ ତାକୁ ମୃତ୍ୟୁଦଣ୍ଡାଦେଶ କରିବା ସହ ତାକୁ ଧରାଇଦେଲେ ବାଂଲାଦେଶ ସରକାର ୧ଲକ୍ଷ ଟାକା(ବାଂଲାଦେଶୀ ଟଙ୍କା) ପୁରସ୍କାର ମଧ୍ୟ ଘୋଷଣା କରିଥିଲେ। 

ଗିରଫ ବେଳେ ପୋଲିସ ତା ନିକଟରୁ ଏକ ଦେଶୀ ପିସ୍ତଲ ସାଙ୍ଗକୁ ୨ଟି ଜୀବନ୍ତ ଗୁଳି ଜବତ କରିଛି।  ତା ବିରୋଧରେ ଆର୍ମସ୍ ଆକ୍ଟ ସାଙ୍ଗକୁ ବିଦେଶୀ ଅଧିନିୟମ ଧାରା ୧୪ରେ ମୋକଦ୍ଦମା ରୁଜୁ କରିଛି। ଏହା ଛଡା ଅଭିଯୁକ୍ତ ନେଇ ବାଂଲାଦେଶ ରାଷ୍ଟ୍ରଦୂତଙ୍କୁ ମଧ୍ୟ ପୋଲିସ ପକ୍ଷରୁ ସୂଚିତ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.