Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଂଲାଦେଶୀ ଡକାୟତଙ୍କ ଖେଳ ପଡିଆ ପାଲଟିଛି ଓଡିଶା : କେମିତି ଓ କେଉଁଠି ବୂଲାଉଥିଲେ କଳାକନା ଖୋଲିଲା ପାଞ୍ଜି

17/05/2019 at 8:36 AM

ଭୁବନେଶ୍ବର (ଅମର ପଟ୍ଟନାୟକ) ୧୭|୫: ନିକଟରେ ଦିଲ୍ଲୀ ପୋଲିସର ଏସ୍‌ଟିଏଫ୍‌ ଗିରଫ କରିଥିବା ବାଂଲାଦେଶୀ ଡକାୟତ ଗ୍ୟାଙ୍ଗକୁ ଜେରା କଲାବେଳେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା କାନନ ବିହାର ଅଞ୍ଚଳରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌ ଘଟଣାର ଖିଅ ମିଳିଛି । ସେହିପରି ଇନଫୋସିଟି ଅଞ୍ଚଳରୁ ମଧ୍ୟ ବଡ ଧରଣର ଡକାୟତି ଘଟଣାରେ ସେମାନେ ସଂପୃକ୍ତ । ଏହି ୮ ଜଣିଆ ଅପରାଧୀ ଗ୍ୟାଙ୍ଗ ଓଡ଼ିଶା, ଛତିଶଗଡ ଓ ଗୋଆରେ ହତ୍ୟା ଓ ଡକାୟତି ଭଳି ଘଟଣାରେ ସଂପୃକ୍ତ ରହି ପୁଣି ବାଂଲାଦେଶ ଫେରିଯାଆନ୍ତି ।

ଓଡ଼ିଶାରେ ବାଂଲାଦେଶୀ ଅପରାଧୀଙ୍କର ଏଭଳି କାଣ୍ଡ ପ୍ରଥମ ନୁହେଁ । ପୂର୍ବରୁ ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ସଶସ୍ତ୍ର ଡକାୟତି, ହତ୍ୟା ଓ ଲୁଟ୍‌ ଘଟଣାରେ ସେମାନେ ସଂପୃକ୍ତ । ୨୦୦୦ ମସିହାରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ହରିପୁର ବଜାରର ଥିବା ପାତ୍ର ଜୁଏଲାରୀରେ ସଶସ୍ତ୍ର ଡକାୟତି ଘଟଣାରେ ସଂପୃକ୍ତ ଥିଲେ ବାଙ୍ଗଲାଦେଶୀ ଗ୍ୟାଙ୍ଗ । ଲୋକଙ୍କୁ ଭୟଭୀତ କରିବା ପାଇଁ ବୋମା ପକାଇ ଆଖୁ କିଆରୀ ମଧ୍ୟରେ ଲୁଚିବା ସହିତ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ କୁଖ୍ୟାତ ବାଂଲାଦେଶୀ ଗ୍ୟାଙ୍ଗ । ଏହି ଘଟଣାର ୨ ବର୍ଷ ପରେ ୨୦୦୨ ମସିହାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନାର ଜାରକା ବଜାରରେ ଜୁନ ମାସ ସଂଧ୍ୟା ସମୟରେ ପାତ୍ର ଅଳଙ୍କାର ଦୋକାନରେ ହୋଇଥିଲା ସଶସ୍ତ୍ର ଡକାୟତି ।

ଡକାୟତମାନେ ଗୁଳି କରି ଦୋକାନର ସିକ୍ୟୁରିଟି ଗାର୍ଡକୁ ହତ୍ୟା କରି ପ୍ରାୟ ୧ କୋଟି ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିଲେ । ସମାନ ଢଙ୍ଗରେ ରାସ୍ତାରେ ନଯାଇ ବିଲ ବାଟରେ ସେମାନେ ଧାନମଣ୍ଡଳ ଷ୍ଟେସନ ଯାଇ ଟ୍ରେନ୍‌ ଯୋଗେ ପଶ୍ଚିମବଙ୍ଗ ଓ ସେଠାରୁ ବାଂଲାଦେଶ ଚାଲିଯାଇଥିଲେ । ଧାନମଣ୍ଡଳ ଷ୍ଟେସନ ନିକଟ ଏକ ପରିତ୍ୟକ୍ତ ଘରୁ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକକୁ ଭାଙ୍ଗି ଫିଙ୍ଗିଦେଇ ଚାଲିଯାଇଥିଲେ । ତତ୍କାଳୀନ ଯାଜପୁର ପୋଲିସ ତଦନ୍ତ କରି ଘଟଣାରେ ସଂପୃକ୍ତ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମେତ ଅନ୍ୟ ସଦସ୍ୟଙ୍କୁ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ବାଙ୍ଗଲାଦେଶ ସୀମା ନିକଟରୁ ଗିରଫ କରିଥିଲା । ସେହି ଗ୍ୟାଙ୍ଗର କିଛି ଡକାୟତ ଏବେ ଓଡ଼ିଶା ଜେଲ୍‌ରେ ସଜା କାଟୁଛନ୍ତି ।

ସେହିପରି କିଛି ବର୍ଷ ତଳେ ବାଲେଶ୍ୱର ସହରରେ ଏକ ବାଂଲାଦେଶୀ ଲୁଟେରା ଗ୍ୟାଙ୍ଗ ଆତଙ୍କ ଖେଳାଇଥିଲେ । ଫେରିବାଲା ଭାବେ ସହରର ସୁନହଟ୍‌ ଅଞ୍ଚଳରେ ଭଡାଘର ନେଇ ରହୁଥିଲା ଏହି ଗ୍ୟାଙ୍ଗ । ଯାତ୍ରୀବାହୀ ବସ୍‌କୁ ଅଟକାଇ ଯାତ୍ରୀଙ୍କୁ ଲୁଟ୍‌ କରିଥିଲେ ସେମାନଙ୍କ ଆକ୍ରମଣରୁ ଆମ୍ବୁଲାନ୍ସରେ ଆସୁଥିବା ରୋଗୀ ଓ ସଂପର୍କୀୟ ମଧ୍ୟ ବାଦ୍‌ ପଡିନଥିଲେ । ଏକାଧିକ ଘଟଣାରେ ସଂପୃକ୍ତ ଏହି ବାଂଲାଦେଶୀଙ୍କୁ ବାଲେଶ୍ୱର ପୋଲିସ ବାଂଲାଦେଶ ସୀମାରୁ ଗିରଫ କରିବାକୁ ସମର୍ଥ ହୋଇଥିଲା ।

ଖାଲି ସେତିକି ନୁହେଁ ବହୁ ଚର୍ଚ୍ଚିତ ପୁରୀ ଜିଲ୍ଲା ଅସ୍ତରଙ୍ଗର ଦିନିଡିଆ ଗଣହତ୍ୟା ଘଟଣାର ମଧ୍ୟ ବାଂଲାଦେଶୀ ଲିଙ୍କ ପଦାକୁ ଆସିଥିଲା । ୨୨ ସେପ୍ଟେମ୍ବର ୨୦୧୫ରେ ହୋଇଥିବା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହିମାଦ୍ରୀ ଦାସ ଓରଫ ରହିମ ଖାନ୍‌ ଓ ତାର ସ୍ତ୍ରୀ ଆୟେଶା ବେଗମ ବାଂଲାଦେଶୀ ନାଗରିକ । ତଦନ୍ତ କରୁଥିବା ଅଧିକାରୀ ସେମାନଙ୍କୁ ଆସାମ ବାଂଲାଦେଶ ସୀମାର ଆଇଲାଖଣ୍ଡିରୁ ଗିରଫ କରିବାକୁ ସକ୍ଷମ ହୋଇଥିଲେ ।

ସୂଚନାଦାତା ନିର୍ମାଣ ଶ୍ରମିକ ଓ କବାଡିଆ

ଆମ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ  ଶସ୍ତା ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ବାଂଲାଦେଶୀ । ଶହ ଶହ ସଂଖ୍ୟାରେ ସେମାନେ ବାଂଲେଦେଶୀ ଓ ସ୍ଥାନୀୟ ଠିକାଦାରଙ୍କ ଅଧିନରେ କାମ କରୁଛନ୍ତି । ନିର୍ମାଣ ଶ୍ରମିକଙ୍କ ବ୍ୟତୀତ ଭୁବନେଶ୍ୱର ଭଳି ସହରରେ ଶହ ଶହ ବାଂଲାଦେଶୀ କବାଡିଆ ବୁଲୁଛନ୍ତି ।

ଏପରିକି କବାଡିଆ ଗୋଦାମ ମଧ୍ୟ ଏବେ ବେଆଇନ ବାଂଲାଦେଶୀଙ୍କ କର୍ତ୍ତୃତ୍ୱକୁ ଚାଲିଗଲାଣି । ସେମାନଙ୍କ ନାଗରିକତ୍ୱ ସଂପର୍କରେ ନାଁ ପୋଲିସ ନା ସ୍ଥାନୀୟ ପ୍ରଶାସନ ପାଖରେ କୌଣସି ଖବର ଅଛି । ବର୍ଷ ବର୍ଷ ଧରି ସେମାନେ କାମ କରୁଥିବା ବେଳେ ସ୍ଥାନୀୟ ଲୋକ, ବ୍ୟବସାୟ ପ୍ରତିଷ୍ଠାନ ଓ ସଂସ୍ଥା ସଂପର୍କରେ ପ୍ରତ୍ୟକ୍ଷ ଜ୍ଞାନ ସେମାନଙ୍କ ନିକଟରେ ରହୁଛି । ଏହି ସୂଚନା ଆଧାରରେ ଭୁବନେଶ୍ୱର ଭଳି ସହରରେ ଡକାୟତି କରିବା ସଂଭବ ହେଉଛି ।

ଦିନରେ ଫେରି ରାତିରେ ଚୋରି

ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା କାହିଁରେ କେତେ । ହଜାର ହଜାର  ବାଂଲାଦେଶୀ କଟକ ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ଯାଜପୁର ଭଳି ସ୍ଥାନରେ ସେମାନଙ୍କ ଆଡ୍ଡା ଜମାଇଛନ୍ତି । ଜାତୀୟ ରାଜପଥର ଚଣ୍ଡିଖୋଲ ଓ ବଡଚଣା ଭଳି ଅଞ୍ଚଳରେ ଶହ ଶହ ସଂଖ୍ୟାରେ ବାଂଲାଦେଶୀ ଆସି ରହିବା ସହିତ ଫେରି ବେପାର କରୁଛନ୍ତି । ଏହି ଫେରିବାଲା ବେଶରେ ଡକାୟତ ଓ ଅପରାଧୀ ବିଭିନ୍ନ ସ୍ଥାନ ସଂପର୍କରେ ସଠିକ ତଥ୍ୟ ହାସଲ କରନ୍ତି ।

ବିଶେଷ କରି ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରାଞ୍ଚଳରେ ନିର୍ଭୁଲ ଭାବେ ଡକାୟତି କରି ବାଂଲାଦେଶ ଖସିଯାଉଛନ୍ତି ଅପରାଧୀ । ହରିପୁର ଓ ଜାରକା ବଜାର ଡକାୟତି ଘଟଣାରେ ଫେରିବାଲା ସଂପୃକ୍ତ ଥିବା ଜଣାପଡିଥିଲା । ଖାଲି ଯାଜପୁର ନୁହେଁ ଚଣ୍ଡିଖୋଲ ଠାରୁ ଗମନାଗମନ ସୁବିଧା ଥିବା ଢେଙ୍କାନାଳ, କେନ୍ଦୁଝର, କଟକ ଓ କେନ୍ଦ୍ରାପଡା ଭଳି ଜିଲ୍ଲାରେ ଶାଢୀ, ଆଲମ୍ୟୁନିୟମ ବାସନ ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ସାମଗ୍ରୀ ପର୍ଯ୍ୟନ୍ତ ବିକ୍ରି କରିଥାନ୍ତି ଏହି ଫେରିବାଲା । ପୂର୍ବରୁ ମେଦିନିପୁର ଜିଲ୍ଲାର ପରିଚୟ ଦେଉଥିବା ଏହି ବାଂଲାଦେଶୀ ଏବେ ମାଲଦା ଓ ମୁର୍ଶିଦାବାଦର ପରିଚୟ ଦେଉଛନ୍ତି ।

ବାଂଲାଦେଶ ସୀମାରେ ଡକାୟତ ଗାଁ

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଓ ମାଲଦା ଜିଲ୍ଲାର ସୀମା ବାଂଲାଦେଶକୁ ଲାଗିଛି । ଏହି ସୀମାନ୍ତ ଅଞ୍ଚଳରେ ବେଆଇନ ଗୋଚାଲାଣ, ଡ୍ରଗ୍ସ କାରବାର, ଦେହ ବ୍ୟବସାୟ ଓ  ହୱାଲା କାରବାର ବର୍ଷ ବର୍ଷ ଧରି ଚାଲିଆସିଛି । ପରିସ୍ଥିତି ଏପରି ହୋଇଛି ଯେ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ଭଳି ଲୋକେ ସୀମାରେ ଏପାଖ ସେପାଖ ହେଉଛନ୍ତି ।

ଆଉ ଭାରତୀୟ ସୀମାରେ  ସୁପାରୀ କିଲର, ଡକାୟତ, ଚୋର ଓ ଲୁଟେରାଙ୍କ ସ୍ୱତନ୍ତ୍ର  ବସ୍ତି ରହିଛି । ପଶ୍ଚିମବଙ୍ଗ ହୋଇ ଓଡ଼ିଶା ଆସିବା ଓ ଅପରାଧ ଘଟାଇ ବାଂଲାଦେଶ ସୀମା ପାର ହେବା ସେମାନଙ୍କ ପାଇଁ ସାଧାରଣ ଘଟଣା ହୋଇଛି । ବର୍ତ୍ତମାନ ସ୍ଥିତିରେ ଓଡ଼ିଶା ପୋଲିସ ଏହାକୁ ସାଧାରଣ ଅପରାଧ ଭାବେ ନନେଇ ଗୁରୁତର ସହ ପଦକ୍ଷେପ ନେବା ଜରୁରୀ ହୋଇଛି ।

   Related Posts