ବାଂଲାଦେଶର ସିରିଜ କ୍ଲିନସ୍ବିପ୍ , ଶେଷ ଦିନିକିଆରେ ୧୨୩ରେ ଜିମ୍ବାୱେ ପରାସ୍ତ: ତମିମ୍ ଓ ଲିଟନ୍ ପ୍ଲେୟାର ଅଫ୍ ଦ ସିରିଜ୍
7/03/2020 at 10:24 AM

ସିଲେଟ୍: ଜିମ୍ବାୱେ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ କ୍ଲିନସ୍ବିପ୍ କରିଛି ବାଂଲାଦେଶ । ପ୍ରଥମ ଦିନିକିଆରେ ୧୬୯ ରନ୍ ଓ ଦ୍ବିତୀୟ ଦିନିକିଆରେ ୪ ରନ୍ରେ ଜିତିଥିବା ବାଂଲାଦେଶ ଶୁକ୍ରବାର ଅନ୍ତିମ ମ୍ୟାଚ୍କୁ ୧୨୩ ରନ୍ରେ ବିଜୟୀ ହୋଇଛି। ଶୁକ୍ରବାର ଅନୁଷ୍ଠିତ ତୃତୀୟ ମ୍ୟାଚରେ ଓପନର ତମିମ ଇକ୍ବାଲ ଓ ଲିଟନ୍ ଦାସଙ୍କ ଶତକୀୟ ଇନିଂସ୍ ବଳରେ ବାଂଲାଦେଶ ଡି/ଏଲ୍ ନିୟମରେ ଜିମ୍ବାୱେକୁ ୧୨୩ରନ୍ରେ ପରାସ୍ତ କରିଛି ।

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଜିମ୍ବାୱେ । ବାଲାଂଦେଶ ଟିମ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଘରୋଇ ଟିମ୍ । ତମିମ୍ ଓ ଲିଟନ୍ ପାଳି ଆରମ୍ଭ କରିଥିଲେ । ଉଭୟ ଆକ୍ରମଣାତ୍ମକ ସଟ୍ମାନ ଖେଳି ଦ୍ରୁତ ବେଗରେ ସ୍କୋରକୁ ଆଗେଇ ନେଇଥିଲେ । ତମିମ୍ ଓ ଲିଟନ୍ ଶତକ ପୂରଣ କରିବା ସହ ଦିନିକିଆ କ୍ରିକେଟ୍ରେ ପ୍ରଥମ ୱିକେଟ୍ରେ ତୃତୀୟ ସର୍ବାଧିକ ଭାଗିଦାରୀ ଗଠନ କରିଥିଲେ ।

ତମିମ୍ ଓ ଲିଟନ ୨୯୨ରନ୍ ଭାଗିଦାରୀ କରିବା ପରେ ଲିଟନ୍ ବାଂଲାଦେଶ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ୧୭୬ (୧୪୩ବଲ୍, ୧୬ଚୌକା, ୮ଛକା)ରନ୍ କରି ପାଭିଲିୟନ ଫେରିଥିଲେ । ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ ତମିମ୍ଙ୍କ ଅପରାଜିତ ୧୨୮ (୧୦୯ବଲ୍, ୭ଚୌକା, ୬ଛକା) ରନ୍ ବଳରେ ଦଳୀୟ ସ୍କୋର ୩/୩୨୨ରେ ପହଞ୍ଚି ଯାଇଥିଲା ।

ବର୍ଷା କାରଣରୁ ଡି/ଏଲ୍ ନିୟମରେ ଜିମ୍ବାୱେ ସାମ୍ନାରେ ୪୩ଓଭରରୁ ୩୪୨ରନ୍ର ଲକ୍ଷ୍ୟ ରହିଥିଲା । ଅଭିଜ୍ଞ ସିକନ୍ଦର ରାଜାଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଦଳ ୩୭.୩ଓଭରରେ ୨୧୮ରନ୍ କରି ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ ରାଜା ୬୧, ରେଗିସ ଚକଭା ୩୪, ଅଧିନାୟକ ସିନ୍ ୱିଲିୟମ୍ସ ୩୪ରନ୍ କରିଥିଲେ ।

ବାଂଲାଦେଶ ପକ୍ଷରୁ ମହମ୍ମଦ ସୈଫୁଦ୍ଦିନ ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ଅଧିନାୟକ ଭାବେ ଶେଷ ଦିନିକିଆ ଖେଳାଳି ମାସରଫି ମୋର୍ତାଜାଙ୍କୁ ମ୍ୟାଚ୍ ଶେଷରେ ଖେଳାଳିମାନେ ଅଟୋଗ୍ରାଫ୍ ଥିବା ଜର୍ସି ପ୍ରଦାନ କରିଥିଲେ । ତମିମ୍ ଓ ଲିଟନ୍ ପ୍ଲେୟାର ଅଫ୍ ଦ ସିରିଜ୍ ବିବେଚିତ ହୋଇଥିଲେ ।
