ଦୁବାଇ ୨୧/୦୯ : ଏସିଆ କପର ସୁପର-୪ ମ୍ୟାଚ୍‌ରେ ଆଜି ବାଂଲାଦେଶ ଓ ଭାରତର ମୁକାବିଲା ଚାଲିଛି । ଭାରତ ଆଗରେ ବାଂଲାଦେଶ ୧୭୪ ରନର ଲକ୍ଷ୍ୟ ରଖିଛି । ୪୯.୧ ଓଭରରେ ବାଂଲାଦେଶର ସମସ୍ତ ଖେଳାଳି ଆଉଟ୍ ହୋଇଯାଇଥିଲେ । ଭାରତୀୟ ବୋଲରମାନେ ଆଜି କମାଲ ଦେଖାଇଛନ୍ତି । ବିଶେଷ କରି ଚଳିତ ଏସିଆ କପର ପ୍ରଥମ ମ୍ୟାଚ୍ ଖେଳୁଥିବା ରବିନ୍ଦ୍ର ଜାଡ଼େଜା ଆଜି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ରବିନ୍ଦ୍ର ଜାଡ଼େଜା ୧୦ ଓଭରରେ ମାତ୍ର ୨୯ ରନ ଦେଇ ୪ଟି ଉଇକେଟ ହାସଲ କରିଛନ୍ତି । ଭୁବନେଶ୍ୱର କୁମାର ମଧ୍ୟ ଆଜି ବାଂଲାଦେଶ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି । ମାତ୍ର  ୩୨ରନ ଦେଇ ସେ ୩ଟି ଉଇକେଟ ହାସଲ କରିଛନ୍ତି । ଯସପ୍ରିତ ବୁମୁରାହ ମଧ୍ୟ ୩ଟି ଉଇକେଟ ନେଇଛନ୍ତି । ୟୁଜେବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କୁ କୌଣସି ଉଇକେଟ ମିଳିନଥିଲେ ମଧ୍ୟ ବ୍ୟଟ୍ସମ୍ୟାନଙ୍କୁ ରନ୍‌ କରିବାର ସୁଯୋଗ ଦେଇନାହାନ୍ତି ଏମାନେ । କୁଲଦୀପ ଯାଦବ ୧୦ ଓଭରରେ ମାତ୍ର ୩୪ ରନ୍ ଦେଇଥିବାବେଳେ ୟୁଜେବେନ୍ଦ୍ର ଚହଲ ୧୦ ଓଭରରେ ଦେଇଛନ୍ତି ୪୦ ରନ୍ ।

ଆଜି ଭାରତ ଟସ ଜିତି ବାଲାଂଦେଶକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ତେବେ ପ୍ରଥମରୁ ହିଁ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଲିଟନ ଦାସ ଓ ନଜରୁଲ ହସନ ଓପନିଂ ଯୋଡ଼ି ମଇଦାନକୁ ଓହ୍ଲାଇଥିଲେ । ତେବେ ଓପନିଂ ଯୋଡ଼ି ବହୁତ ସମୟ କ୍ରିଚ୍‌ରେ ତିଷ୍ଠି ପାରିନଥିଲା । ଲିଟନ ଦାସ ମାତ୍ର ୧୬ଟି ବଲ ଖେଳି ୭ ରନ ସଂଗ୍ରହ କରିଥିବାବେଳେ ଭୁବନେଶ୍ୱର କୁମାରଙ୍କ ବଲରେ କେଦାର ଯାଦବଙ୍କ ଦ୍ୱାରା କ୍ୟାଚ୍‌ ଆଉଟ ହୋଇଥିଲେ  । ସେହିଭଳି ନଜରୁଲ ହସନ ୧୪ଟି ବଲ ଖେଳି ୭ ରନ ସଂଗ୍ରହ କରିଥିବାବେଳେ ଯସପ୍ରିତ ବୁମେରାହଙ୍କ ବଲ୍‌ରେ ଶିଖର ଧାଓ୍ୱନଙ୍କ ଦ୍ୱାରା କ୍ୟାଚ୍‌ଆଉଟ୍‌ ହୋଇଥିଲେ । ପରବର୍ତ୍ତୀ ବ୍ୟଟ୍ସମ୍ୟାନ ମଧ୍ୟ ଦୀର୍ଘସମୟ କ୍ରିଚ୍‌ରେ ରହିପାରିନଥିଲେ । ସାକିବ ଅଲ ହସନ ୧୨ଟି ବଲ ଖେଳି ୧୭ରନ କରିଥିବାବେଳେ ରବିନ୍ଦ୍ର ଜାଡେଜାଙ୍କ ବଲରେ ଶେଖର ଧାଓ୍ୱନଙ୍କ ଦ୍ୱାରା କ୍ୟାଚ୍‌ଆଉଟ୍‌ ହୋଇଥିଲେ । ୪୫ଟି ବଲ ଖେଳି ୨୧ ରନ କରିଥିବା ମୁସାଫିକୁର୍ ରହିମ ମଧ୍ୟ ରବିନ୍ଦ୍ର ଜାଡେଜାଙ୍କ ବଲରେ ୟୁଜବେନ୍ଦ୍ରଙ୍କ ଦ୍ୱାରା କ୍ୟାଚ୍‌ଆଉଟ ହୋଇଥିଲେ । ମହମ୍ମଦ ମିଥୁନ ମାତ୍ର ୯ ରନ୍‌ କରିଥିବାବେଳେ ରବିନ୍ଦ୍ର ଜାଡେଜା ତାଙ୍କୁ ଏଲବିଡବ୍ଲୁ କରି ପ୍ୟାଭିଲିୟନକୁ ପଠାଇ ଦେଇଥିଲେ । ମହମୁଦୁଲ୍ଲାହ କିଛି ସମୟ କ୍ରିଚ୍‌ରେ ରହିଥିଲେ ମଧ୍ୟ ଅଧିକ ରନ୍‌ ସଂଗ୍ରହ କରିପାରିନଥିଲେ । ୫୦ଟି ବଲ୍‌ ଖେଳି ସେ ମାତ୍ର ୨୫ ରନ କରିଥିବାବେଳେ ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ଏଲବିଡବ୍ଲୁ ହୋଇ ଆଉଟ୍ ହୋଇଥିଲେ । ମୋସଦ୍ଦିକ୍ ହୁସେନ ମଧ୍ୟ ଦୀର୍ଘସମୟ କ୍ରିଚ୍‌ରେ ରହିଥିଲେ । ୪୩ଟି ବଲ ଖେଳି ମାତ୍ର ୧୨ ରନ୍‌ କରି ରବିନ୍ଦ୍ର ଜାଡିଜାଙ୍କ ବଲ୍‌ରେ କଟ୍‌ ବିହାଇଣ୍ଡ୍ ହୋଇଥିଲେ । ମସରଫ୍ ମୋତରଜା ଦଳକୁ ସାମାନ୍ୟ ସମ୍ଭାଳୁଥିବାବେଳେ ଯଶପ୍ରିତ ବୁମରାହଙ୍କ ବଲ୍‌ରେ ଭୁବନେଶ୍ୱର କୁମାରଙ୍କ ଦ୍ୱାରା କ୍ୟାଚ୍‌ଆଉଟ୍ ହୋଇଥିଲେ । ମେହେନ୍ଦି ହସନ ଦଳପାଇଁ ସର୍ବାଧୀକ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ୨ଟି ଛକା ଓ ୨ଟି ଚୌକା ସହାୟତାରେ ସେ ୪୨ ରନ୍ ସଂଗ୍ରହ କରିଥିଲେ । ତେବେ ଯଶପ୍ରିତ ବୁମରାହଙ୍କ ବଲ୍‌ରେ ଶେଖର ଧାଓ୍ୱନଙ୍କ ଦ୍ୱାରା ସେ କଟ୍‌ଆଉଟ୍ ହୋଇଥିଲେ । ସେ ଆଉଟ୍ ହେବାପରେ ଦଳ ସମ୍ପୁର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା । ତାଙ୍କ ପରେପରେ ମୁସ୍ତାଫିଜୁର ରେହମାନ ମାତ୍ର ୯ଟି ବଲ୍‌ ଖେଳି ୩ ରନ ସଂଗ୍ରହ କରିଥିବାବେଳେ ଯଶପ୍ରିତ ବୁମରାହଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ରୁବେଲ ହୁସେନ ୫ଟି ବଲ୍‌ ଖେଳି ୧ରନ ସଂଗ୍ରହ କରି ନଟ୍‌ଆଉଟ୍ ରହିଥିଲେ ।