ଭାରତ ବିରୋଧରେ ମିଳିତ ଜାତିସଂଘ ପହଞ୍ଚିଲା ବାଂଲାଦେଶ, ଏ ହେଉଛି କାରଣ

Published By : Prameya-News7 Bureau | September 20, 2021 IST

ନୂଆଦିଲ୍ଲୀ ୨୦।୦୯:  ଭାରତ ବିରୋଧରେ ମିଳିତ ଜାତିସଂଘର ଦ୍ଵାରସ୍ଥ ହେଲା ବାଂଲାଦେଶ। ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଭାରତ ସହିତ ଲାଗି ରହିଥିବା ଦଶନ୍ଧି ପୁରୁଣା ସମୁଦ୍ର ସୀମା ବିବାଦର ସମାଧାନ ପାଇଁ ୟୁଏନରେ ଅପିଲ୍ କଲା ଆମର ଏହି ପଡୋଶୀ ଦେଶ। ୟୁଏନ ମୁଖ୍ୟାଳୟରେ ବାଂଲାଦେଶର ସ୍ଥାୟୀ ମିଶନ ଭାରତ ବିରୋଧରେ ୟୁଏନ ମହାସଚିବଙ୍କଠାରେ ଦୁଇଟି ଅପିଲ୍ ଦାୟର କରିଛି।

ବାଂଲାଦେଶର ପୂର୍ବତନ ବୈଦେଶିକ ସଚିବ ଶାହିଦୁଲ ହକ୍ ଏନାଦୋଲୁ ଏଜେନ୍ସି ସହ ଆଲୋଚନା ବେଳେ କହିଛନ୍ତି ଯେ, ଏହି  ବିବାଦ ଦୁଇ ଦେଶ ମଧ୍ୟରେ ଅନେକ  ବର୍ଷ ଧରି ଝୁଲି ରହିଛି। ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଅନେକ ଦ୍ଵିପାକ୍ଷିକ ବୈଠକ ମଧ୍ୟ ହୋଇଛି। ହେଲେ ଏହି ପ୍ରସଙ୍ଗର ସମାଧାନ କରିବାରେ ବିଫଳ ହୋଇଛୁ।

ହକ୍ କହିଛନ୍ତି, ଏବେ ଦୁଇ ଦେଶ ମିଳିତ ଜାତିସଂଘ ଯିବାକୁ ନିଷ୍ପତ୍ତି ନେଇଛୁ ଏବଂ ଆଶା କରୁଛୁ ଯେ, ୟୁଏନ ଏହି ବିବାଦର ସ୍ଥାୟୀ ସମାଧାନ କରିବାରେ ସଫଳ ହେବ। ବାଂଲାଦେଶ ମିଳିତ ଜାତିସଂଘରେ ଯାଚିକା ଦାୟର କରିବା ସହ ନିଜର କର୍ତ୍ତବ୍ୟ ନିର୍ବାହ କରିଛି। ଉଲ୍ଲେଖନୀୟ ଚଳିତ ବର୍ଷ ଏପ୍ରିଲରେ ଭାରତ ମିଳିତ ଜାତିସଂଘକୁ ଚିଠି ଲେଖି ବାଂଲାଦେଶ ଦ୍ଵାରା ନିର୍ଦ୍ଧାରିତ  ବେସଲାଇନ୍‌କ ନେଇ ଆପତ୍ତି ପ୍ରକାଶ କରିଥିଲା।

ସୂଚନାଯୋଗ୍ୟ, ମିଳିତ ଜାତିସଂଘରେ ବାଂଲାଦେଶର ଦାବି ଅନୁସାରେ, ଭାରତର  ବେସ୍ ପଏଣ୍ଟ ୮୯ ବାଂଲାଦେଶର ସମୁଦ୍ରୀ ସୀମା ନିକଟରେ ଅବସ୍ଥିତ। ବଙ୍ଗୋପସାଗର ଦକ୍ଷିଣ ଏସିଆ ଅଞ୍ଚଳରେ ରଣନୀତି ଭାବେ ଗୁରୁତ୍ଵପୂର୍ଣ୍ଣ। ଏହା ବାଂଲାଦେଶ, ଭାରତ ଓ ମିଆଁମାର ପରି ଦେଶ ମଧ୍ୟରେ ବିଭାଜିତ  ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.