ବଢୁଛି କରୋନା ମାମଲା : ମେ ୫ ତାରିଖ ଯାଏଁ ଲକଡାଉନ ବଢ଼ାଇଲା ବାଙ୍ଗଲାଦେଶ

Published By : Prameya-News7 Bureau | April 23, 2020 IST

ଢାକା ୨୩/୦୪ : ବାଙ୍ଗଲାଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି | ମହାମାରୀ ବିସ୍ତାରକୁ ରୋକିବା ପାଇଁ ଲକଡାଉନ ଜାରି ରହିଛି | ତେବେ କରୋନା ମାମଲା ବୃଦ୍ଧି ପାଉଥିବା ଦେଖି ସରକାର ଦେଶବ୍ୟାପୀ ଲକଡାଉନକୁ ମେ ୫ ତାରିଖ ପର୍ଯ୍ୟନ୍ତ ବଢାଇବାକୁ ଘୋଷଣା କରିଛନ୍ତି |


ବାଙ୍ଗଲାଦେଶର ଜନସଂଖ୍ୟା ପାଖାପାଖି ୧୬ କୋଟି | ଏଠାରେ ଏବେ ସୁଦ୍ଧା ପାଖାପାଖି ୩୭୭୨ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି | ୧୨୦ ଜଣ ପ୍ରାଣ ହରାଇଥିବାବେଳେ ୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |ବାଙ୍ଗଲାଦେଶ ପ୍ରଶାସନ ଲୋକ ପ୍ରଶାସନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଫରହାଦ ହୁସେନଙ୍କ ଜରିଆରେ ସୂଚନା ଦେଇଛନ୍ତି ଯେ, ଲକଡାଉନକୁ ଏପ୍ରିଲ ୨୬ ତାରିଖରୁ ମେ ୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି | ମେ ୬ ତାରିଖରେ ଦେଶର ଅଳ୍ପ ସଂଖ୍ୟକ ବୌଦ୍ଧ ସମ୍ପ୍ରଦାୟର ଧାର୍ମିକ ଅନୁଷ୍ଠାନ ବୌଦ୍ଧ ପୁର୍ଣିମା ପାଇଁ ଛୁଟି ରହିବ |


କରୋନା ଭାଇରସ ମହାମାରୀ ମଧ୍ୟରେ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ ସରକାର ମାର୍ଚ୍ଚ ୨୬ ତାରିଖରେ ୧୦ ଦିନ ପାଇଁ ସାମାନ୍ୟ ଅବକାଶ ଘୋଷଣା କରିଥିଲେ | କିନ୍ତୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ପରେ ଏହାକୁ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା |


ଲକଡାଉନ ସମୟରେ ଲୋକଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି | ସମସ୍ତ ସାର୍ବଜନୀନ ପରିବହନକୁ ମଧ୍ୟ ନିଲମ୍ବିତ କରିଦିଆଯାଇଛି | ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି | ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ବାଙ୍ଗଲାଦେଶର ବ୍ରାହ୍ମଣବିଡୟା ଜିଲ୍ଲାରେ ଜଣେ ମୌଲବୀଙ୍କ ଅନ୍ତିମ ଯାତ୍ରାରେ ହଜାର ସଂଖ୍ୟକ ଲୋକ ସାମିଲ ହୋଇଥିଲେ | ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୌଲବୀଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିବା ଲୋକଙ୍କ ୭ଟି ଗାଁ ସମ୍ପୂର୍ଣ୍ଣ ସିଲ କରିଥିଲେ | ଏହାସହ ଭିଡ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ଜିଲ୍ଲାର ଦୁଇ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିବାକୁ ନିର୍ଦେଶ ଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.