୨୦୧୩ରେ ଫାଶୀ ଦଣ୍ଡ ଶୁଣାଇଥିଲେ କୋର୍ଟ, କିନ୍ତୁ ୧୦ ବର୍ଷ ହେଲା ଦିଲ୍ଲୀରେ ଲୁଚିଥିଲା ବାଂଲାଦେଶ ଅଭିଯୁକ୍ତ : ଗିରଫ କଲା ପୋଲିସ

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ ୨୬/୧୨ : ଗତ ୧୦ ବର୍ଷ ହେଲା ଭାରତରେ ଲୁଚି ରହିଥିବା ଜଣେ ବାଂଲାଦେଶୀ ନାଗରିକକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଗିରଫ ଅଭିଯୁକ୍ତଜଣକ ହେଉଛି ସରଓ୍ବର ହୁସେନ୍ । ସେ କୌଣସି ସାଧାରଣ ଅପରାଧୀ ନୁହେଁ ବରଂ ବାଂଲାଦେଶରେ ତା ନାଁରେ ଅନେକ ମାମଲା ରହିଛି । ଅଭିଯୁକ୍ତକୁ ବାଂଲାଦେଶ ଅଦାଲତ ଫାଶୀ ଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି ।

ସୂଚନା ଅନୁସାରେ ସରଓ୍ବର ହୁସେନ୍ ନାଁରେ ବାଂଲାଦେଶରେ ଅପହରଣ ଏବଂ ହତ୍ୟା ମାମଲା ରୁଜୁ ହୋଇଥିଲା । ଯାହାର ଶୁଣାଣୀ କରି କୋର୍ଟ ତାକୁ ଫାଶି ଦଣ୍ଡାଦେଶ ଶୁଣାଇ ଥିଲେ । ଦିଲ୍ଲୀ ପୋଲିସ କହିଛି ଯେ, ଅଭିଯୁକ୍ତଜଣକ ୨୦୦୫ ମସିହାରେ ବାଂଲାଦେଶରେ ନିଜର ୫ ଜଣ ବନ୍ଧୁଙ୍କ ସହ ମିଶି ଜଣେ ଶିଶକୁ ଅପହରଣ କରିନେଇଥିଲା ଏବଂ ପରେ ତାକୁ ହତ୍ୟା କରିଥିଲା । ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।  

ତେବେ କିଛି ବର୍ଷ ଜେଲରେ ରହିବା ପରେ ସରଓ୍ବରକୁ ବେଲ ମିଳିଥିଲା । ଜାମିନରେ ଆସିବା ପରେ ଅଭିଯୁକ୍ତଜଣକ କୌଶଳକ୍ରମେ ଭାରତ ଚାଲିଆସିଥିଲା ଏବଂ ଏଠାରେ ଚୁପଚାପ ରହିଥିଲା । ଏଠାରେ ରହି ସେ ଜାଲ ପରିଚୟ ପ୍ରମାଣ ପତ୍ର ମଧ୍ୟ ବାହାର କରିଦେଇଥିଲା ।

ତେବେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବାଂଲାଦେଶୀ ଲୁଟେରାଙ୍କ ପ୍ରାର୍ଦୃଭାବ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ଏମାନେ ବହୁତ ସହଜରେ ସୀମା ପାର କରି ଭାରତକୁ ଆସି ବିଭିନ୍ନ ପ୍ରକାର ଲୁଟପାଟ କରିବା ପରେ ଅତି ସହଜରେ ବାଂଲାଦେଶ ଫେରିଯାଉଛନ୍ତି । ଏକ ଚୋରିମାମଲାରେ ଏହି ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତର ଅସଲ ରୂପ ଜାଣିବାକୁ ପାଇଛି ପୋଲିସ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.