କ୍ରିକେଟରଙ୍କ ଘରେ ଦୁର୍ଘଟଣା, ଚା ତିଆରି କରୁଥିବାବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର
30/03/2020 at 6:57 PM

ନୂଆଦିଲ୍ଲୀ ୩୦/୩: ବାଙ୍ଗଲାଦେଶୀ ବ୍ୟାଟସମ୍ୟାନ୍ ଲିଟନ୍ ଦାସଙ୍କ ପତ୍ନୀ ଦେବଶ୍ରୀ ବିଶ୍ବାସ ସଞ୍ଚିତା ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଯାହା ଫଳରେ ତାଙ୍କ ହାତ ଜଳି ଯାଇଛି। ସୂଚନା ଅନୁଯାୟୀ ଘରେ ଚା କରୁଥିବାବେଳେ ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା। ପରିବାର ଲୋକେ କହିଥିଲେ ଯେ ସିଲିଣ୍ଡରରେ ଗୋଟିଏ କଣା ଥିଲା,ଯାହା ଫଳରେ ଏହା ବିସ୍ଫୋରଣ ହୋଇଥିଲା। ସିଲିଣ୍ଡର ଫାଟିବାବେଳେ ସଞ୍ଚିତା ତାଙ୍କ ଚେହେରାକୁ ବଞ୍ଚାଇଥିଲେ କିନ୍ତୁ ତାଙ୍କ ହାତ ଜଳି ଯାଇଥିଲା। ଏହା ସହିତ ତାଙ୍କ କେଶରେ ମଧ୍ୟ ନିଆଁ ଲାଗିଯାଇଥିଲା। ବିସ୍ଫୋରଣ ଯୋଗୁଁ ରୋଷେଇ ଘରେ ହୋଇଥିବା କ୍ୟାବିନେଟର ଗୋଟିଏ ଭାଗ ସଞ୍ଚିତାଙ୍କ ଉପରେ ପଡ଼ିଯାଇଥିଲା। ଯାହା ଫଳରେ ତାଙ୍କ ଶରୀରରେ ଅନେକ କ୍ଷତ ସୃଷ୍ଟି ହୋଇଥିଲା।

ଘଟଣାଟି ଘଟିଛି ମାର୍ଚ୍ଚ ୨୭ତାରିଖରେ। ସେ ମାର୍ଚ୍ଚ ୨୯ତାରିଖରେ ଘଟଣା ବିଷୟରେ ସୂଚନା ଦେଇଥିଲେ। ସେ ମୃତ୍ୟୁର ବହୁତ ନିକଟବର୍ତ୍ତୀ ଥିଲେ ବୋଲି କହିଥିଲେ। ଯଦି ସେ ତାଙ୍କ ମୁହଁକୁ ନ ଘୋଡ଼ାଇଥାଆନ୍ତେ ତେବେ ତାଙ୍କ ମୁହଁ ମଧ୍ୟ ଜଳିଯାଇଥାଆନ୍ତା। କେଶ ପୋଡ଼ିଯିବା ପରେ ସେ ତାଙ୍କ କେଶ କାଟି ଦେଇଛନ୍ତି।

ଗତ ବର୍ଷ ଓ୍ବାଲର୍ଡ଼ କପ୍ ଆରମ୍ଭ ହେବା ପୂର୍ବରୁ ଅପ୍ରେଲରେ ଲିଟନ୍ ଦାସ ଏବଂ ସଞ୍ଚିତା ନିର୍ବନ୍ଧ କରିଥିଲେ। ଓ୍ବାଲର୍ଡ଼ କପ୍ ସରିବା ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବ୍ୟକ୍ତିଗତ କାରଣରୁ ଲିଟନ୍ ଦାସ୍ ଶ୍ରୀଲଙ୍କା ଗସ୍ତରେ ଯାଇନଥିଲେ। ବର୍ତ୍ତମାନ କରୋନା ଭାଇରସ ଭଳି ମାରାତ୍ମକ ମହାମାରୀ ଯୋଗୁଁ ବାଙ୍ଗଲାଦେଶୀ ଖେଳାଳୀ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି।
