ଟି ୨୦ ବିଶ୍ବକପ : ଅଷ୍ଟ୍ରେଲିଆର ଶାଣିତ ବୋଲିଂ ଆଗରେ ଧରାଶୟୀ ବାଂଲାଦେଶ ବ୍ୟାଟ୍ସମ୍ୟାନ୍, ମାତ୍ର ୭୩ ରନରେ ଅଲଆଉଟ

Published By : Prameya-News7 Bureau | November 04, 2021 IST

ଦୁବାଇ ୦୪/୧୧ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ଗୁରୁବାରର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଜାରି ରହିଛି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । କଙ୍ଗାରୁ ଟିମର ଶାଣିତ ବୋଲିଂ ସାମ୍ନାରେ ଧରାଶୟୀ ହୋଇଛି ବାଂଲାଦେଶ । ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ଦଳ ସଂଗ୍ରହ କରିଛି ମାତ୍ର ୭୩ ରନ । ଅଷ୍ଟ୍ରେଲିଆକୁ ଜିତିବାକୁ ହେଲେ ୭୪ ରନ କରିବାକୁ ହେବ । ଆଡମ ଜାମ୍ପାଙ୍କ ଘାତକ ବୋଲିଂ ସାମ୍ନାରେ ଆତ୍ମସମର୍ପଣ କରିଛି ବାଂଲାଦେଶ ।

ଦଳ ପକ୍ଷରୁ ଓପନର ମହମ୍ମଦ ନଇମ୍‌ ଏବଂ ଲିଟନ ଦାସ ନିରାଶ କରିଥିଲେ । ନଇବ ମାତ୍ର ୧୭ ରନ କରି ଆଉଟ ହୋଇଥିବା ବେଳେ, ଲିଟନ ଦାସ ଖାତା ମଧ୍ୟ ଖୋଲିପାରି ନାହାନ୍ତି । ସୌମ୍ୟ ସରକାର ୫ରନ, ମସ୍ତଫିଜୁର ରହିମ ୧ରନ, ଅଧିନାୟକ ମହମ୍ମଦଉଲ୍ଲା ୧୬, ଆଫିଫ୍‌ ହୋସେନ୍‌ ୦, ସମୀମ୍‌ ହୋସେନ ୧୯ରନ, ମହେଦୀ ହାସନ ୦ରନ, ମୁସ୍ତଫିଜୁର ରେହମାନ ୪, ସୋରିଫୁଲ ଇସଲାମ ୦ରନ ଏବଂ ତସ୍କିନ୍‌ ଅହମ୍ମଦ ୬ ରନ କରି ଅପରାଜିତ ଅଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୪ ଓଭରରେ ୨୧ ରନ ଦେଇ ୨ ଓ୍ବିକେଟ ନେଇଥିବା ବେଳେ, ହେଜେଲଉଡ ୨ ଓଭରରେ ୮ରନ ଦେଇ ୨ ଓ୍ବିକେଟ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୨ ଓଭରରେ ୬ ରନ ୧ ଓ୍ବିକେଟ, ପ୍ୟାଟ୍ କମିନ୍ସ ୩ ଓଭରରେ ୧୮ ରନ, ଏବଂ ଆଡମ ଜାମ୍ପା ୪ ଓଭରରେ ମାତ୍ର ୧୯ ରନ ଦେଇ ୫ଟି ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.