ଓଡ଼ିଶାରେ ପ୍ରବେଶ କରିଛନ୍ତି ବାଂଲାଦେଶୀ ଆତଙ୍କବାଦୀ: ବାଂଲା ଆତଙ୍କବାଦୀ ସଂଗଠନ ଜମାତ-ଉଲ୍-ମୁଜାହିଦ୍ଦିନର ସଦସ୍ୟଙ୍କ ଗତିବିଧି ଓଡ଼ିଶାରେ ବୃଦ୍ଧି-ଏନଆଇଏ ଡିଜି

Published By : Prameya-News7 Bureau | October 14, 2019 IST

 ନୂଆଦିଲ୍ଲୀ/ଭୁବନେଶ୍ୱର-  ଓଡ଼ିଶାରେ ପ୍ରବେଶ କରିଛନ୍ତି ବାଂଲାଦେଶୀ ଆତଙ୍କବାଦୀ। ବାଂଲା ଆତଙ୍କବାଦୀ ସଂଗଠନ ଜମାତ - ଉଲ୍ - ମୁଜାହିଦ୍ଦିନର ସଦସ୍ୟଙ୍କ ଗତିବିଧି ଓଡ଼ିଶାରେ ବୃଦ୍ଧି ପାଇଛି ବୋଲି କହିଛନ୍ତି ଏନଆଇଏ ଡିଜି ୟୋଗେଶ ଚନ୍ଦ୍ରା ମୋଦି ।  କେବଳ ଓଡ଼ିଶା ନୁହେଁ ଆସାମ, ଝାଡ଼ଖଣ୍ଡରେ ମଧ୍ୟ ବାଂଲାଦେଶୀ ଆତଙ୍କବାଦୀ ସକ୍ରିୟ ଅଛନ୍ତି।  ଏହାଛଡ଼ା ସାରା ଦେଶରେ ବାଂଲାଦେଶ ଆତଙ୍କବାଦୀ ସଂଗଠନ  ଜମାତ-ଉଲ-ମୁଜାହିଦ୍ଦିନର ଗତିବିଧି ବୃଦ୍ଧି ପାଇଛି।  ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳରେ ବି ସେମାନଙ୍କ ଗତିବିଧି ରହିଥିବା ଜଣାପଡ଼ିଛି । …

ଓଡ଼ିଶାରେ କାୟା ବିସ୍ତାର କରିସାରିଲେଣି ବାଂଲାଦେଶୀ ଆତଙ୍କବାଦୀ । ବାଂଲାଦେଶରୁ ଆସୁଥିବା ନାଗରିକ ମାନେ ଏଠାରେ ଆଡ୍ଡା ଜମାଇବାରେ ଲାଗିଛନ୍ତି । ଆଉ ସେହିମାନଙ୍କ ସାହାଯ୍ୟରେ କାମ କରୁଛି ବାଂଲାଦେଶୀ ଆତଙ୍କବାଦୀ ସଂଗଠନ । ଏକଥା ଆଉ କେହି ନୁହେଁ କହିଛନ୍ତି ଖୋଦ୍‌ ଏନ୍‌ଆଇଏ ଡିଜି । ଓଡ଼ିଶା ସହିତ ଆସାମ, ଝାଡ଼ଖଣ୍ଡରେ ବାଂଲାଦେଶୀ ଆତଙ୍କବାଦୀ ସଂଗଠନ ଜମାତ୍‌-ଉଲ-ମୁଜାହିଦ୍ଦିନର କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ୧୨୫ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସଂପର୍କରେ ସୂଚନା ଏନ୍‌ଆଇଏକୁ ଦିଆଯାଇଛି । ବାଂଲାଦେଶ ଅନୁପ୍ରବେଶକାରୀ  ଅନେକ ସମୟରେ ମତ୍ସ୍ୟଜୀବୀ ବେଶରେ ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ଆସି ଆଡ୍ଡା ଜମାଉଛନ୍ତି।  ବାଂଲାଦେଶୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ କୌଣସି ବ୍ୟବସ୍ଥା ନାହିଁ।...

ଦିଲ୍ଲୀରେ ଆୟୋଜିତ ଏହି ସୁରକ୍ଷା ସଂପର୍କିତ ସମ୍ମିଳନୀରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଡିଜିପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ସେପଟେ ଏନଆଇଏ ଆଇଜି ଆଲୋକ ମିତ୍ତଲ କହିଛନ୍ତି ୧୪ରାଜ୍ୟରୁ ଇସଲାମିକ ଷ୍ଟେଟ୍‌ର ୧୨୭ ଜଣ ସନ୍ଦିଗ୍ଧ ଆତଙ୍କୀ ଗିରଫ ହୋଇଛନ୍ତି । ନକ୍ସଲ ସଂଗଠନକୁ ବିଭିନ୍ନ କ୍ଷେତ୍ରରୁ ଫଣ୍ଡିଂ ହେଉଛି । ମାଓବାଦୀ ସଂଗଠନର  ଲିଡରମାନେ ନିଜ ପରିବାର ମାଧ୍ୟମରେ ବିଭିନ୍ନ ରିୟଲ ଇଷ୍ଟେଟ, ଟ୍ରାନ୍ସପୋର୍ଟ କମ୍ପାନୀରେ ଟଙ୍କା ଲଗାଉଛନ୍ତି।...

ଏହାକୁ ନେଇ ରାଜନୀତି ବି ତେଜିଛି।  ବିଜେପି କହିଛି ଯେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରେ ଶାସକ ଦଳ ନିଜର ଭୋଟ୍‌ ବ୍ୟାଙ୍କ ପାଇଁ ବ୍ୟବହାର କରୁଛି।  ସେମାନଙ୍କୁ ରାସନ୍‌ କାର୍ଡ ଏବଂ ଭୋଟର ପରିଚୟ ପତ୍ର ଦିଆଯାଉଛି।  ସେପଟେ କଂଗ୍ରେସ ମଧ୍ୟ କହିଛି ରାଜ୍ୟରୁ ବାଂଲାଦେଶୀ ଅନୁପ୍ରବେଶକାରୀ ବିଦା ହେବା ଦରକାର। ତେବେ ବିଜେଡି କହିଛି ଓଡ଼ିଶାରେ କେତେ ବାଂଲାଦେଶୀ ଅଛନ୍ତି ସେମାନଙ୍କର କାର୍ଯ୍ୟକଳାପ କଣ ତାହାକୁ ଭଲ ଭାବେ ଅନୁଧ୍ୟାନ କରାଯିବା ଦରକାର।...

ଦିନକୁ ଦିନ ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁଥିବା ବେଳେ ସେମାନଙ୍କ ସଂଖ୍ୟା ଏବଂ କାର୍ଯ୍ୟକଳାପ ଉପରେ ଅନୁଧ୍ୟାନ ହେବା ନିହାତି ଆବଶ୍ୟକ ହୋଇପଡ଼ିଛି।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.