ବନ୍ଦ ହୋଇଗଲା ବାଣେଶ୍ବରୀ ଗଣନାଟ୍ୟ, ଜାଣନ୍ତୁ କାହିଁକି : ଘରେ ବସିଛନ୍ତି ୧୨୦ କଳାକାର

Published By : Prameya-News7 Bureau | December 01, 2018 IST

ଭୁବନେଶ୍ୱର ୧|୧୨: ବନ୍ଦ ହୋଇଗଲା ବାଣେଶ୍ୱରୀ ଗଣନାଟ୍ୟ । ୧୨୦ ଜଣ କଳାକାର ଓ କର୍ମଚାରୀ ଏବେ ଘରେ ବସିଛନ୍ତି । ଗତ ମାସ ୨୪ ତାରିଖ ଦିନ କେନ୍ଦୁଝର ଜିଲ୍ଲା ଛେନାପଦିରେ ନାଟକ କରିବା ପରେ ପାର୍ଟି ବନ୍ଦ ହୋଇଯାଇଛି । ଛେନାପଦିରୁ ପାର୍ଟି ଭଦ୍ରକ ସହରର ବାଉଦପୁର ବାଲିଯାତ୍ରା ମେଳାକୁ ଆସିବାର ଥିଲା ।  ତେବେ ପରିଚାଳନାଗତ ତ୍ରୁଟି ଯୋଗୁଁ ବାଣେଶ୍ୱରୀ ଗଣନାଟ୍ୟ ବନ୍ଦ ହୋଇଯାଇଥିବା କଳାକାରମାନେ କହିଛନ୍ତି ।   ୧୯୮୬ମସିହାରେ ସ୍ୱର୍ଗତ କେଦାର ନାଥ ସ୍ୱାଇଁଙ୍କ ଦ୍ୱାରା ଏହି ଯାତ୍ରା ପାର୍ଟି ଜନ୍ମ ନେଇଥିଲା । ଦିନ ଥିଲା ଓଡିଶାର ଏକ ନମ୍ବର ପାର୍ଟିର ବି ମାନ୍ୟତା ପାଇଥିଲା । ଦୈତାରୀ ପଣ୍ଡା , ଡଲି ଭୂୟାଁ ଭଳି କଳାକାର ବାଣେଶ୍ୱରୀ ଗଣନାଟ୍ୟରେ ଅଭିନୟ କରି ଭଲ ନାଁ ବି କମାଇଛନ୍ତି । କଥା ରହିଗଲା ମଗୁଶୁରକୁ , କାଖରେ କଳସି ମୁଣ୍ଡରେ ଗରା , କଂସେଇ ଖାନା , ଚନ୍ଦନ ଟୋପାକୁ ନାଲି ଅଳତା , ଦାନା ପାଣି ଭଳି ଅନେକ ହିଟ ନାଟକ ଦେଇଛି ବାଣେଶ୍ୱରୀ ଗଣନାଟ୍ୟ । ତେବେ କେଦାରନାଥ ସ୍ୱାଇଁଙ୍କ ଦେହାନ୍ତ ପରେ ତାଙ୍କ ପୁତ୍ର ଭାସ୍କର ଚନ୍ଦ୍ର ସ୍ୱାଇଁ ୨୦୧୫ ମସିହାରେ ନିୟୁ ବାଣେଶ୍ୱରୀ ନାଁରେ ଆଉ ଗୋଟିଏ ପାର୍ଟି ଗଢିଲେ । ଅନେକ ହାଇପେଡ୍ ଆର୍ଟିଷ୍ଟଙ୍କୁ ନେଇ ନିୟୁ ବାଣେଶ୍ୱରୀ ଭଲ ନାଟକ ବି ମଂଚସ୍ଥ କରୁଥିଲା ।  ତେବେ ମାତ୍ର ଏକ ବର୍ଷ ପରେ ନିୟୁ ବାଣେଶ୍ୱରୀକୁ ବନ୍ଦ କରିଦେଇ , ୨୦୧୬ ମସିହାରେ ଇନ୍ଦ୍ର ଭୁବନ ନାଁରେ ଆଉ ଗୋଟିଏ ପାର୍ଟି ଆରମ୍ଭ କଲେ । ତେବେ ସେହି ସମୟରେ ବାଣେଶ୍ୱରୀ ଗଣନାଟ୍ୟ ବି ଭଲ ଚାଲିଥିଲା ।  ଇନ୍ଦ୍ର ଭୁବନର ସଫଳତା ପରେ ପ୍ରଯୋଜକ ଭାସ୍କର ଚନ୍ଦ୍ର ସ୍ୱାଇଁ ୨୦୧୭ ମସିହାରେ ଆଉ ଏକ ପାର୍ଟି ଯାତ୍ରା ଗାଁ ନାମରେ ଆରମ୍ଭ କଲେ । ଏକା ସାଙ୍ଗରେ ବାଣେଶ୍ୱରୀ, ଇନ୍ଦ୍ରଭୁବନ , ଯାତ୍ରା ଗାଁ ଚାଲିଥିଲା । ଏଥର ବାଣେଶ୍ୱରୀ ଗଣନାଟ୍ୟ ଭଲ ନାଟକ ବି ପାଇଥିଲା । ମନର କଥା ବୁଝିବ କିଏ , କାଳ ବୈଶାଖୀର କାଳ ରାତି , ତୋର ଦୋଷ ନା ମୋର ଦୋଷ  ନାଟକ ମଂଚସ୍ଥ କରୁଥିଲା । ରମେଶ ବିଶ୍ୱାଳ , ପ୍ରଫୁଲ୍ଲ ପଣ୍ଡା , ଅଭୟ ସାମଲ , ନଟ ବିଶ୍ୱାଳ , ଜ୍ଞାନ , ପୁଷ୍ପା, ପମି , ରୀତା ଭଳି କଳାକାର ବି ପାର୍ଟିରେ ଥିଲେ । ତେବେ ମାଲିକ ଓ ପରିଚାଳକଙ୍କ ତ୍ରୁଡି ଯୋଗୁଁ ପାର୍ଟି ବନ୍ଦ ହୋଇଗଲା ବୋଲି କଳାକାରମାନେ କହିଛନ୍ତି । ଏହି ବିଷୟରେ ପ୍ରଯୋଜକ ଭାସ୍କର ସ୍ୱାଇଁଙ୍କୁ ପଚାରିବାରୁ ସେ କହନ୍ତି- ପରିଚାଳକଙ୍କ ତ୍ରୁଟି ଯୋଗୁଁ ଏପରି ହେଲା , ଆଉ ମକର ପରେ ପୁଣି ପାର୍ଟି ବାହାରିବ । ତେବେ ବାଣେଶ୍ୱରୀ ଗଣନାଟ୍ୟ ବନ୍ଦ ହୋଇଯିବା ପରେ ୧୨୦ଜଣ କଳାକାର ଓ କର୍ମଚାରୀଙ୍କ ଜୀବନ ଜୀବିକା ଏବେ ଦୁର୍ବିସହ ହୋଇ ପଡିଛି । ରିପୋର୍ଟ : ସର୍ବେଶ୍ୱର ନାଥ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.